Posted inଖେଳ

ମୁମ୍ବାଇ ଡବ୍ଲ୍ୟୁପିଏଲ୍‌ ଚାମ୍ପିୟନ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଗତ ସଂସ୍କରଣରେ ପଏଣ୍ଟ ଟେବୁଲର ନିମ୍ନରେ ରହିଥିବା ଲିଗ୍‌ର ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏଥର ମଧ୍ୟ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ତେବେ ଏହାର ମହିଳା ଦଳ ନିକଟରେ ଅନୁଷ୍ଠିତ ସର୍ବପ୍ରଥମ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ ଚାମ୍ପିୟନ ହୋଇ ଇତିହାସ ରଚିଛି। ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କ କରିସ୍ମା ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ମଧ୍ୟ ଦେଖିବାକୁ ମିଳିଛି। ବ୍ୟକ୍ତିଗତଭାବେ ଭଲ ଖେଳିବା ସହ ସେ ନିଜର ବଳିଷ୍ଠ ନେତୃତ୍ୱରେ ମୁମ୍ବାଇକୁ ଟାଇଟଲ ଜିତାଇଛନ୍ତି।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ୫ଟି ଦଳକୁ ନେଇ ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ମୁମ୍ବାଇଠାରେ ଅନୁଷ୍ଠିତ ହୋଇଥିଲା ସର୍ବପ୍ରଥମ ମହିଳା ପ୍ରିମିୟର ଲିଗ୍‌। ଫାଇନାଲରେ ଅନ୍ୟତମ ଶକ୍ତିଶାଳୀ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା ହରମନପ୍ରୀତଙ୍କ ଦଳ। ବିଭିନ୍ନ ଦୃଷ୍ଟିକୋଣରୁ ଦେଖିଲେ ପ୍ରଥମ ସଂସ୍କରଣଟିର ସଫଳ ପରିସମାପ୍ତି ଘଟିଛି। ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ମାନସ ପ୍ରସ୍ତୁତ ଓମେନ୍ସ ପ୍ରିମିୟର ଲିଗ୍‌କୁ ବିପୁଳ ସମର୍ଥନ ମିଳିଛି। ଫ୍ରାଞ୍ଚାଇଜ, ଦର୍ଶକ, ବିଜ୍ଞାପନ, ଗ୍ଲାମର ପୁରସ୍କାର ରାଶି ଓ ବିଦେଶୀ ମହିଳା ଖେଳାଳିମାନଙ୍କ ଆଗ୍ରହ ଏହାକୁ ସ୍ବତନ୍ତ୍ର କରିଛି। ବିସିସିଆଇର ଓମେନ୍ସ କ୍ରିକେଟକୁ ସୁଦୂରପ୍ରସାରୀ କରିବାର ଲକ୍ଷ୍ୟ ମଧ୍ୟ ପୂରଣ ହୋଇଛି। ଏଥିରେ ଅନେକ ପ୍ରତିଭାସମ୍ପନ୍ନ ମହିଳା କ୍ରିକେଟରମାନଙ୍କୁ ଦେଖିବାର ସୁଯୋଗ ମିଳିଛି। ୧୩ ଫେବୃୟାରୀରେ ୫ ଦଳର ଫ୍ରାଞ୍ଚାଇଜ ନିଲାମ ପ୍ରକ୍ରିୟାରେ ସେମାନଙ୍କର ମନପସନ୍ଦର ଖେଳାଳି ଚୟନ କରିଥିଲେ। ମହିଳା କ୍ରିକେଟ ଜଗତର ବଛାବଛା ନାମୀଦାମୀ ଖେଳାଳିମାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ଜ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଏବଂ ଗୁଜରାଟ ଜାଏଣ୍ଟ୍ସ ସେମାନଙ୍କ ଦଳରେ ସାମିଲ କରିଥିଲେ। ଡବଲ ରାଉଣ୍ଡ ରବିନ୍‌ ଲିଗ୍‌ ଏବଂ ପ୍ଲେ ଅଫ୍‌ରେ ଏଲିମିନେଟର ଏବଂ ଫାଇନାଲକୁ ମିଶାଇ ମୋଟ ୨୨ଟି ମ୍ୟାଚ ଖେଳାଯାଇଥିଲା। ଆର୍‌ସିବି ଦଳ ଲିଗ୍‌ର ଦାମୀ ଖେଳାଳି ସ୍ମୃତି ମନ୍ଧାନାଙ୍କୁ ଦଳର ଅଧିନାୟିକା କରିଥିଲା। ସେହିପରି ୟୁପି ୱାରିୟର୍ଜ ଅଷ୍ଟ୍ରେଲିଆର ଷ୍ଟାର ଉଇକେଟ କିପର ଓ ବ୍ୟାଟର ଆଲିସା ହିଲିଙ୍କୁ ନେତତ୍ୱଭାର ଦେଇଥିବାବେଳେ ଗୁଜରାଟ ଜାଏଣ୍ଟ୍ସ ଅଷ୍ଟ୍ରେଲୀୟ ଓପନର ବେଥ ମୁନିଙ୍କୁ ଦଳର ଅଧିନାୟିକା ମନୋନୀତ କରିଥିଲେ ମଧ୍ୟ ଆଘାତ ସମସ୍ୟା ଯୋଗୁ ସ୍ନେହ ରାଣା ମ୍ୟାଚଗୁଡିକରେ ନେତୃତ୍ୱ ନେଇଥିଲେ। ସେହିପରି ଭାରତୀୟ ଦଳର ବର୍ତ୍ତମାନ କ୍ୟାପଟେନ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଅଷ୍ଟ୍ରେଲିଆକୁ ବିଶ୍ୱକପ ଚାମ୍ପିୟନ କରାଇଥିବା ମେଗ୍‌ ଲାନିଙ୍ଗଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟିକା ଦାୟିତ୍ୱ ଦେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଭାରତୀୟ ଜାତୀୟ ଦଳର ଖେଳାଳି ଜେମିମା ରୋଡ୍ରିଗ୍ବେଜ, ଶେଫାଳୀ ବର୍ମା, ରାଧା ଯାଦବ, ଶିଖା ପାଣ୍ଡେ, ପୁନମ ଯାଦବ, ତାନିଆ ଭାଟ୍ଟିଆଙ୍କ ପରି ଖେଳାଳି ଥିବା ବେଳେ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ହରମନପ୍ରୀତ କୌର, ନିଲମ ବିସ୍ତ, ପୂଜା ବସ୍ତ୍ରକାର, ସୋନମ ଯାଦବ ରହିଥିଲେ। ଅନ୍ୟ ପକ୍ଷରେ ୟୁପି ୱାରିୟର୍ଜ ବେଶ୍‌ ଶକ୍ତିଶାଳୀ ଜଣାପଡୁଥିଲେ ମଧ୍ୟ ଗ୍ରୁପ ପର୍ଯ୍ୟାୟରେ ୮ଟି ମ୍ୟାଚରୁ ୪ ବିଜୟ ଏବଂ ୪ଟି ପରାଜୟ ସହ ୮ ପଏଣ୍ଟ ପାଇ ଏଲିମିନେଟର ଖେଳିଥିଲା ଏବଂ ସେଠାରେ ମ୍ୟାଚରେ ମୁମ୍ବାଇଠାରୁ ପରାସ୍ତ ହୋଇଥିଲା। ପଏଣ୍ଟ ଟେବୁଲେ ୨ଟି ଶ୍ରେଷ୍ଠ ଦଳ ଦିଲ୍ଲୀ କ୍ୟାପିଟାଲ୍‌ସ ୮ଟି ମ୍ୟାଚରୁ ୬ ବିଜୟ ଏବଂ ୨ଟି ପରାଜୟ ସହ ୧୨ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ୮ଟି ମ୍ୟାଚରୁ ୬ଟି ବିଜୟ ଏବଂ ୨ଟି ପରାଜୟ ସହ ୧୨ ପଏଣ୍ଟ ପାଇଥିଲେ। ତେବେ ରନ ହାର ଦୃଷ୍ଟିରୁ ଦିଲ୍ଲୀ କ୍ୟାପିଟାଲ୍ସର ପଏଣ୍ଟ ଟେବୁଲ ଶୀର୍ଷରେ ରହି ସିଧାସଳଖ ଫାଇନାଲ ଖେଳିଥିଲା।
ଖେଳାଳି ନିଲାମ ସମୟରେ ଚାହିଦାରେ ରହିଥିଲେ ବିଭିନ୍ନ ଦେଶର ଅଲରାଉଣ୍ଡର। ମୋଟ ୧୫୦୦ ଖେଳାଳିଙ୍କ ନାମ ନିଲାମ ପ୍ରକ୍ରିୟାରେ ରହିଥିବା ବେଳେ ଶର୍ଟଲିଷ୍ଟେଡ୍‌ ହୋଇଥିଲେ ୪୦୯ ଖେଳାଳି। ସେମାନଙ୍କ ମଧ୍ୟରୁ ମୋଟ ବିକ୍ରି ହୋଇଥିଲେ ୮୭ ଖେଳାଳି। ମୋଟ ୯୦ଜଣ ଖେଳାଳି ବିକ୍ରି ହେବାକୁ ରହିଥିବା ବେଳେ ୟୁପି ୱାରିୟର୍ଜ ୨ଜଣ ଏବଂ ମୁମ୍ବାଇ ଜଣେ ଖେଳାଳି କମ କ୍ରୟ କରିଥିଲା। ନିୟମ ଅନୁସାରେ ପ୍ରତ୍ୟେକ ଦଳ ଅତିବେଶିରେ ୧୮ ଜଣ ଖେଳାଳି କ୍ରୟ କରିପାରିବେ ଏବଂ କୌଣସି ଦଳରେ ୬ରୁ ଅଧିକ ବିଦେଶୀ ଖେଳାଳି ରହିପାରିବେ ନାହିଁ। ସେଥିମଧ୍ୟରୁ ୫ଜଣ ଆଇସିସିର ପୂର୍ଣ୍ଣ ସଦସ୍ୟତା ଦେଶରୁ ଏବଂ ଜଣେ ଖେଳାଳି ଆସୋସିଏଟ୍‌ ମେମ୍ବର ଦେଶରୁ ରହିପାରିବେ। ପ୍ରତ୍ୟେକ ଫ୍ରାଞ୍ଚାଇଜ ଖେଳାଳି କ୍ରୟ ପାଇଁ ୧୨କୋଟି ଟଙ୍କା ଖର୍ଚ୍ଚ କରିବାର ନିୟମ ଥିଲା। ପ୍ରଥମ ସଂସ୍କରଣରେ ସ୍ମୃତି ମନ୍ଧାନା ସବୁଠୁ ମହଙ୍ଗା ଖେଳାଳି ରହିଥିଲେ। ତାଙ୍କୁ କିଣିବା ସମୟରେ ଫ୍ରାଞ୍ଚାଇଜମାନଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଶେଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ ୩.୪ କୋଟି ଟଙ୍କାରେ କିଣିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେହିପରି ଆସ୍‌ଲେ ଗାର୍ଡନର ନାଟାଲି ବ୍ରଣ୍ଟ ୩ କୋଟିରୁ ଅଧିକ ମୂଲ୍ୟରେ କିଣା ଯାଇଥିବା ବେଳେ ଶେଫାଳୀ ବର୍ମା, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ବେଜ, ବେଥ ମୁନିଙ୍କୁ ୨ କୋଟିରୁ ଅଧିକ ଟଙ୍କାରେ କିଣିଥିଲେ। ଯାହାକି ପୁରୁଷ ଆଇପିଏଲ୍‌ଠାରୁ କୌଣସି ଗୁଣରେ କମ୍‌ ନ ଥିଲା। ଏହା ନିଶ୍ଚିତ ରୂପେ ଓମେନ୍ସ ପ୍ରମିୟର ଲିଗ୍‌ର ଲୋକପ୍ରିୟତାକୁ ସୂଚାଇବା ସହିତ ଆଗାମୀ ସଂସ୍କରଣର ଗୁରୁତ୍ୱ ବଢ଼ାଇବ। ବେଥ୍‌ ମୁନିଙ୍କୁ କିଣିବା ପାଇଁ ବିଭିନ୍ନ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ୨୩ ଥର ପ୍ରତିଯୋଗିତା ହୋଇଥିଲା। ହରମନପ୍ରୀତ କୌରଙ୍କ ଖରାପ ଫର୍ମ ବିଶ୍ୱକପରେ ଦେଖିବାକୁ ମିଳିଥିଲେ ମଧ୍ୟ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୮ କୋଟିରେ କିଣିଥିଲା। ମୋଟ ୮୭ ଖେଳାଳିଙ୍କୁ ୬୦ କୋଟିରେ ଫ୍ରାଞ୍ଚାଇଜମାନେ କିଣିଥିଲେ। ଏମାନଙ୍କ ମଧ୍ୟରେ ୪୬ ଜଣ ଅଲରାଉଣ୍ଡର ରହିଥିଲେ। ସର୍ବାଧିକ ୧୪ ଜଣ ଅଷ୍ଟ୍ରେଲିଆ ଖେଳାଳି କିଣା ହୋଇଥିବା ବେଳେ ଇଂଲଣ୍ଡରୁ ୭, ଦକ୍ଷିଣ ଆଫ୍ରିକାରୁ ୪, ୱେଷ୍ଟଇଣ୍ଡିଜରୁ ୨ ଏବଂ ୟୁଏଏସ୍‌ରୁ ଜଣେ ଖେଳାଳି ଥିଲେ। ୫୭ ଜଣ ଭାରତୀୟ ଖେଳାଳିଙ୍କୁ ଫ୍ରାଞ୍ଚାଇଜମାନେ ୩୨.୨କୋଟି ଟଙ୍କାରେ କିଣିଥିଲେ।
ଏକତରଫା ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସକୁ ୭ ଉଇକେଟରେ ହରାଇ ଚାମ୍ପିୟନ ହୋଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୁମ୍ବାଇ ଅଧିନାୟିକା ହରମନପ୍ରୀତ କୌର ମୋଟ ୧୦ଟି ମ୍ୟାଚରୁ ୯ଟି ମ୍ୟାଚରେ ଟସ୍‌ ହାରିଥିବା ବେଳେ ଫାଇନାଲରେ ଦଳକୁ ଚାମ୍ପିୟନ କରାଇଥିଲେ। ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ୬ କୋଟି ସହିତ ଟ୍ରଫି, ରନରଅପ ଦିଲ୍ଲୀକୁ ୩କୋଟି ଏବଂ ତୃତୀୟ ସ୍ଥାନ ଅଧିକାର ୟୁପିକୁ ୧କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଅରେଞ୍ଜ କ୍ୟାପ ମେଗ୍‌ ଲାନିଙ୍ଗ (୩୪୫ରନ୍‌) ପାଇଥିବା ବେଳେ ପର୍ପଲ କ୍ୟାପ ହାସଲ କରିଥିଲେ ହିଲି ମାଥ୍ୟୁସ (୧୬ ଉଇକେଟ)। ହରମନପ୍ରୀତଙ୍କ କ୍ୟାଚ ଶ୍ରେଷ୍ଠ ବିବେଚିତ ହୋଇଥିଲା। ଶ୍ରେଷ୍ଠ ଉଦୀୟମାନ ଖେଳାଳି ୟାସ୍ତିକା ଭାଟିଆ, ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟର ପୁରସ୍କାର ହିଲି ମାଥ୍ୟୁସ ହାସଲ କରିଥିଲେ। ଶେଫାଳୀ ବର୍ମା ଏବଂ ସୋଫି ଡିଭାଇନ ଯୁଗ୍ମଭାବେ ସର୍ବାଧିକ ଛକା (ପ୍ରତ୍ୟେକ ୧୩ଟି) ମାରିଥିଲେ। ଲିଗ୍‌ରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ସୋଫି ଡିଭାଇନ (୯୯ ରନ୍‌)ଙ୍କ ନାମରେ ରହିଥିଲା। ଶ୍ରେଷ୍ଠ ବୋଲିଂ ଫିଗର ହାସଲ କରିଥିଲେ ଦିଲ୍ଲୀ ଦଳରର ମାରିଜାନ କାପ (୫/୧୫)। ୟୁପି ୱାରିୟର୍ଜର ଟାହିଲିଆ ମାକଗ୍ରା ଟୁର୍ନାମେଣ୍ଟରେ ସର୍ବାଧିକ ୪ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବ୍ରଣ୍ଟ ଏବଂ ହରମନପ୍ରୀତ ୩ଟି ଲେଖାଏ ଅର୍ଦ୍ଧଶତକ ସହ ମିଳିତଭାବେ ଦ୍ୱିତୀୟରେ ରହିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସର ମେଗ୍‌ ଲାନିଂ ସର୍ବାଧିକ ୫୦ଟି ଚୌକା ମାରିଥିଲେ। ମୋଟାମୋଟି ଦେଖିବାକୁ ଗଲେ ଲିଗ୍‌ରେ ବିଦେଶୀ ଖେଳାଳିମାନେ ଭାରତୀୟଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri