Categories: ଖେଳ

ମୁମ୍ବାଇ, ପୁଣେରେ ମହିଳା ଏସିଆନ କପ: ଆୟୋଜନରୁ ବାଦ୍‌ ପଡିଲେ ଭୁବନେଶ୍ୱର, ଅହମଦାବାଦ୍‌

ନୂଆଦିଲ୍ଲୀ,୭।୭: ଆସନ୍ତାବର୍ଷ ଜାନୁୟାରୀ ୨୦ରୁ ଫେବୃୟାରୀ ୬ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟର ଭେନ୍ୟୁରେ ପରବର୍ତ୍ତନ କରାଯାଇଛି। ଭୁବନେଶ୍ୱର ଓ ଅହମଦାବାଦକୁ ଆୟୋଜନରୁ ବାଦ୍‌ ଦିଆଯାଇଛି। ବଦଳରେ ଏହି ମେଗା ଇଭେଣ୍ଟ ମୁମ୍ବାଇ ଓ ପୁଣେରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ଦଳଗୁଡିକର ଭ୍ରମଣଜନିତ ସମୟକୁ କମ୍‌ କରିବା ଓ ବାୟୋସିକ୍ୟୁର ବବଲ ପାଇଁ ଏକ ଉନ୍ନତ କ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ଭେନ୍ୟୁରେ ପରିବର୍ତ୍ତନ କରାଯାଇଛି। କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଛି। ତେଣୁ ମହମାରୀର ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ତରଫରୁ କୁହାଯାଇଛି।
ଅନ୍ଧେରି ସ୍ପୋଟର୍‌ସ କମ୍ପ୍ଲେକ୍ସସ୍ଥିତ ମୁମ୍ବାଇ ଫୁଟବଲ ଏରିନା ଓ ପୁଣେର ବାଲଓ୍ବୋଡିସ୍ଥିତ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଏହି ମେଗା ଇଭେଣ୍ଟର ମ୍ୟାଚ୍‌ଗୁଡିକ ଆୟୋଜନ ହେବ। ବିଭିନ୍ନ ଦଳ ଓ ଅଫିସିଆଲଙ୍କ ଯାତ୍ରଜନିତ ସମସ୍ୟା ଓ ସମୟକୁ କମ୍‌ କରିବା ଦ୍ୱାରା କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିହତ କରିହେବ। ଏହା ଦ୍ୱାରା ଏକ ଉନ୍ନତ ବାୟୋ ବବଲ ସୃଷ୍ଟି କରିହେବ ଓ ଏଥିରୁ ଟୁର୍ନାମେଣ୍ଟ ସହିତ ଜଡିତ ସବୁ ବ୍ୟକ୍ତି ସୁବିଧା ପାଇପାରିବେ ବୋଲି କୁହାଯାଇଛି।
ନଭି ମୁମ୍ବାଇସ୍ଥିତ ୩୭,୯୦୦ କ୍ଷମତା ବିଶିଷ୍ଟ ଡି. ପାଟିଲ ଷ୍ଟାଡିୟମରେ ମଧ୍ୟ ଏହି ଟୁର୍ନାମେଣ୍ଟର ମ୍ୟାଚ୍‌ ଆୟୋଜନ ହେବ। ଏହି ଷ୍ଟାଡିୟମ ସମେତ ୩ଟି ଭେନ୍ୟୁରେ ଟୁର୍ନାମେଣ୍ଟ ଆୟୋଜନ ହେବ। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏକ ସୁରକ୍ଷିତ ବାୟୋ ବବଲ ସୃଷ୍ଟି କରିବା ପାଇଁ ଆମେ ଏପରି ନିଷ୍ପତ୍ତି ନେଇଛୁ ବୋଲି ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଓ ଲୋକାଲ ଅର୍ଗାନାଇଜିଂ କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ କହିଛନ୍ତି। ଷ୍ଟାଡିୟମଗୁଡିକ ମଧ୍ୟରେ ଥିବା ଭୌଗୋଳିକ ନିକଟତାକୁ ଦୃଷ୍ଟିରେ ରଖି ଆମେ ମୁମ୍ବାଇ, ନଭି ମୁମ୍ବାଇ ଓ ପୁଣେକୁ ଭେନ୍ୟୁ ରୂପେ ଚୟନ କରିଛୁ । ପୂର୍ବରୁ ମଧ୍ୟ ଏହି ଭେନ୍ୟୁଗୁଡିକରେ ଏକାଧିକ ବଡ଼ ଫୁଟବଲ ଟୁର୍ନାମେଣ୍ଟ ସଫଳତାର ସହ ଆୟୋଜନ ହୋଇଛି। ଟୁର୍ନାମେଣ୍ଟ ଆୟୋଜନ ପାଇଁ ପୂର୍ବରୁ ଅନୁମତି ଦେଇଥିବାରୁ ସେ ଓଡ଼ିଶା ଓ ଗୁଜରାଟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଆୟୋଜକ ଭାରତ ସମେତ ଜାପାନ, ଅଷ୍ଟ୍ରେଲିଆ, ଚାଇନା ଟୁର୍ନାମେଣ୍ଟ ଫାଇନାଲ୍ସରେ ସ୍ଥାନ ହାସଲ କରିସାରିଛନ୍ତି। ଖୁବ୍‌ଶୀଘ୍ର ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ବାକି ୮ଟି ଦଳ ସ୍ପଷ୍ଟ ହେବ। ୨୮ଟି ଦଳକୁ ୮ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି ଓ ଏଗୁଡିକୁ ନେଇ ଆଗାମୀ ସେପ୍ଟେମ୍ବରରେ ଟୁର୍ନାମେଣ୍ଟ ଆରମ୍ଭ ହେବ। ଏଥିରୁ ଶ୍ରେଷ୍ଠ ୮ଟି ଦଳକୁ ମୁଖ୍ୟ ଟୁର୍ନାମେଣ୍ଟରେ ସାମିଲ କରାଯିବ।
୩ଥର ଟାଇଟଲ ହାସଲ କରିଥିବା ଚାଇନିଜ ତାଇପେ, ବାହାରିନ, ତୁର୍କମେନିସ୍ଥାନ ଓ ଲାଓସ୍‌ ଗ୍ରୁପ୍‌ ଏ’ରେ ସାମିଲ ହୋଇଛନ୍ତି। ସେହିପରି ଗ୍ରୁପ୍‌ ବି’ରେ ଭିଏତ୍‌ନାମ, ତାଜିକସ୍ତାନ, ମାଳଦୀପ ଓ ଆଫଗାନିସ୍ତାନ ସାମିଲ ରହିଛନ୍ତି। ସେହିପରି ଏସିଆନ ପାଓ୍ବାର ହାଉସ୍‌ ରୂପେ ଜଣାଶୁଣା ଥିବା କୋରିଆ ସମେତ ସିଙ୍ଗାପୁର, ଇରାକ, ଇଣ୍ଡୋନେସିଆ ଗ୍ରୁପ୍‌ ସି’ରେ ସାମିଲ ହୋଇଥିବା ବେଳେ ମ୍ୟାନ୍‌ମାର, ୟୁନାଇଟେଡ ଆରବ ଏମିରେଟ୍ସ, ଗୁଆମ ଓ ଲେବାନନ ଗ୍ରୁପ୍‌ ଡି’ରେ ସାମିଲ ହୋଇ ଫାଇନାଲ୍ସ ପାଇଁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ୨୦୧୮ ମହିଳା ଏସିଆନ କପ୍‌ରେ ଜାପାନ ଚାମ୍ପିୟନ ହୋଇଥିଲା।

Share