ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼ ଲୋକ ସଭା MP ପ୍ରଦୀପ ପୁରୋହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ଏମ୍ପି ପୁରୋହିତ କହିଛନ୍ତି, ଧନୁଯାତ୍ରା ତୋରଣ ଭାଙ୍ଗିଯିବା ଘଟଣା ଦୁର୍ଭାଗ୍ୟଜନକ। ମୋହନ ମାଝୀଙ୍କର ସରକାର ଲୋକଙ୍କର ସରକାର। ବରଗଡ଼ ଧନୁଯାତ୍ରା ପାଇଁ ଏହି ସରକାର ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦେଇଛନ୍ତି। ବିଶେଷଭାବେ ଧନୁଯାତ୍ରା ସ୍ବାଗତ ତୋରଣ ନିର୍ମାଣ କରାଯାଇଛି ଏବଂ ଗୋଟିଏ ଗୋଟିଏ ତୋରଣରେ ୧କୋଟି ୮୦ଲକ୍ଷଠାରୁ ଆରମ୍ଭ କରି ୨କୋଟି, ଅଢ଼େଇ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି। ହେଲେ ସୋମବାର ପବନରେ ବରଗଡ଼ ଥାନାଛକରେ ନିର୍ମିତ ତୋରଣ ଉଡ଼ି ଯାଇଛି। ୨ଜଣ ଆହତ ମଧ୍ୟ ହୋଇଛନ୍ତି। ତୋରଣ ନିର୍ମାଣରେ ୍ଯଯାପକ ଅନିୟମିତତା ହୋଇଥିବା ଯୋଗୁ ସେଭଳି ଅଭାବନୀୟ ଘଟଣା ଘଟିଛି। ତୋରଣ ନିର୍ମାଣ ନେଇ ଆଗରୁ ମଧ୍ୟ ଅନିୟମିତତା ଅଭିଯୋଗ ହୋଇଛି। କିନ୍ତୁ କିଛି ପଦକ୍ଷେପ ନିଆଗଲା ନାହିଁ ଏବଂ ଏଥିପାଇଁ ମୋହନ ମାଝୀଙ୍କ ଜନପ୍ରିୟ ସରକାର ଲୋକଲୋଚନରେ ବଦନାମ୍ ହେବାକୁ ଯାଉଛି। ଫଳରେ ଏହାର ଭିଜିଲାନ୍ସ ତଦନ୍ତ ସହିତ ମୋହନ ମାଝୀଙ୍କ ଲୋକଙ୍କ ସରକାରକୁ ଅପମାନିତ କରିଥିବା ପୂର୍ତ୍ତ ବିଭାଗର ଦୋଷୀ ଅଧିକାରୀ, ଟେଣ୍ଡର ପ୍ରକ୍ରିୟାରେ ରହିଥିବା ଯନ୍ତ୍ରୀ, ତୋରଣ ନିର୍ମାଣ କରିଥିବା ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଲେଖି ଜଣାଇଥିବା ପୁରୋହିତ କହିଛନ୍ତି।