କୋରାପୁଟ MP ସପ୍ତଗିରି ଉଲାକାଙ୍କୁ ମିଳିଲା ‘ସଂସଦ ରତ୍ନ’ ଉପାଧି! କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ ପକ୍ଷରୁ ଉତ୍ସବ ଓ ସମ୍ବର୍ଦ୍ଧନା

କଲ୍ୟାଣସିଂହପୁର, ୧୦।୯ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ଏକ ବିଶେଷ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଲୋକସଭା MP ଶ୍ରୀଯୁକ୍ତ ସପ୍ତଗିରି ଉଲାକା ପ୍ରତିଷ୍ଠିତ ‘ସଂସଦ ରତ୍ନ’ ଉପାଧିରେ ସମ୍ମାନିତ ହୋଇଥିବା ଖୁସିରେ ବ୍ଲକ କଂଗ୍ରେସ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

MP ପ୍ରତିନିଧି ଶ୍ରୀ କୁମାର ସ୍ୱାମୀ କୌଶଲ୍ୟାଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ନେତୃବୃନ୍ଦ MPଙ୍କ କାର୍ଯ୍ୟାବଳୀର ଉଚ୍ଚ ପ୍ରଶଂସା କରିଥିଲେ। ସଂସଦ ଗୃହରେ ଅଞ୍ଚଳର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା, ସ୍ୱାର୍ଥ ଓ ବିକାଶମୂଳକ ପ୍ରସଙ୍ଗକୁ ଦୃଢ଼ ତଥା ନିରନ୍ତର ଭାବେ ଉପସ୍ଥାପନ କରି ଉଲ୍ଲେଖନୀୟ ସେବା ଯୋଗାଇଥିବାରୁ ସେ ଏହି ଜାତୀୟସ୍ତରୀୟ ସମ୍ମାନର ହକଦାର ହୋଇଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ଏହି ସମ୍ବର୍ଦ୍ଧନା ସଭାରେ ବ୍ଲକ କଂଗ୍ରେସ ସଭାପତି ନାଗେଶ୍ୱର ରାଓ, ସରପଞ୍ଚ ଗୌତମ ବାଲି, ବ୍ଲକ କଂଗ୍ରେସ କମିଟି ସମ୍ପାଦକ ପ୍ରଶାନ୍ତ ନନ୍ଦ କୌଶଲ୍ୟାଙ୍କ ସମେତ ବହୁ ବରିଷ୍ଠ ନେତା, ଯୁବ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ। ଏହି ଅବସରରେ ଦଳୀୟ କର୍ମୀମାନେ ପରସ୍ପରକୁ ମିଷ୍ଟାନ୍ନ ବଣ୍ଟନ କରି ଆନନ୍ଦପ୍ରକାଶ କରିବା ସହ MPଙ୍କ ଉତ୍ତରୋତ୍ତର ଉନ୍ନତି ଓ ଦୀର୍ଘାୟୁ କାମନା କରିଥିଲେ।

Dharitri – Odisha’s No.1 Odia Daily

Share