ପ୍ରକୃତିମାତାଙ୍କୁ ବ୍ୟକ୍ତିତୁଲ୍ୟ ଅଧିକାର

ଗତ ଏପ୍ରିଲ ୧୯ ତାରିଖ (୨୦୨୨) ଦିନ ମଦୁରାଇସ୍ଥିତ ମାଡ୍ରାସ୍‌ ଉଚ୍ଚ ନ୍ୟାୟାଳୟ ବେଞ୍ଚ ବିଚାରପତି ଏସ୍‌. ଶ୍ରୀମଥି ପରିବେଶପ୍ରେମୀମାନଙ୍କ ପାଇଁ ପ୍ରଦାନ କରିଛନ୍ତି ଏକ ଅଭୂତପୂର୍ବ ରାୟ ା ଏଥିରେ ସେ ‘ପ୍ରକୃତିମାତା’ଙ୍କୁ ଆଇନତଃ ଜଣେ ବ୍ୟକ୍ତି ବିଶେଷ ରୂପେ ଗ୍ରହଣ କରି ତାଙ୍କର ଏକ ନିରାପଦ ସୁସ୍ଥ ଜୀବନ ବଞ୍ଚତ୍ବାର ମୌଳିକ, ସାମ୍ବିଧାନିକ ଏବଂ ମାନବତୁଲ୍ୟ ଅଧିକାର ଥିବାର ସୂଚନା ଦେଇଛନ୍ତି ା ଏ. ପେରିୟାକାରୁପାନ ନାମକ ଜନୈକ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଆବେଦନ ବିଚାରକୁ ନେଇ ପ୍ରଦାନ କରାଯାଇଥିବା ଏହି ୨୩ପୃଷ୍ଠା ସମ୍ବଳିତ ରାୟରେ ପୁନଶ୍ଚ କୁହାଯାଇଛି, ”ଆମ ବିଗତ ପିଢ଼ିର ବଂଶଧରମାନେ ପ୍ରକୃତିମାତାଙ୍କୁ ତାଙ୍କ ପ୍ରାଚୀନ ଗୌରବ ସହିତ ଆମକୁ ପ୍ରଦାନ କରିଛନ୍ତି। ଏଣୁ ଆଗାମୀ ପିଢ଼ିକୁ ତାଙ୍କୁ ସେହି ରୂପେ ହସ୍ତାନ୍ତର କରିବାକୁ ଆମେ ନୈତିକତା ଦୃଷ୍ଟିରୁ ବାଧ୍ୟ ା“
ପ୍ରକୃତିକୁ ସମଗ୍ର ଜୀବଜଗତର ‘ମହାନ୍‌ ମାତା’ ରୂପେ ବିଚାର କରିବା ବିଶ୍ୱର ପ୍ରାୟ ସବୁ ଧର୍ମ ଓ ଦର୍ଶନରେ ରହିଛି ା ତେବେ ଶିଳ୍ପ ବିପ୍ଳବର ପରବର୍ତ୍ତୀକାଳଠାରୁ ଆରମ୍ଭ ହୋଇଥିବା ବସ୍ତୁବାଦୀ ଜୀବନଧାରା ଆମ ମନରୁ ବିଚାରକୁ ଅପସାରିତ କରିବାରେ ଲାଗିଛି। ଫଳରେ ଦିନକୁଦିନ ଏହା ରୁଗ୍‌ଣ ହୋଇ ଜୀବନଧାରଣ କ୍ଷମତା ହରାଇବାରେ ଲାଗିଛି, ଯାହାକି ଏକ ଅବଶ୍ୟମ୍ଭାବୀ ପ୍ରଳୟର ଆଗମନକୁ ତ୍ୱରାନ୍ବିତ କରି ଚାଲିଛି ା ଏକଥା କିଛି ଚିନ୍ତାଶୀଳ ବ୍ୟକ୍ତିଙ୍କ ମନକୁ ଆନ୍ଦୋଳିତ କରିବା ଫଳରେ କ୍ରମଶଃ ଦାନା ବାନ୍ଧୁଛି ପ୍ରକୃତିମାତାଙ୍କୁ ମଣିଷ ଭଳି ସମସ୍ତ ଆଇନଗତ ଅଧିକାର ପ୍ରଦାନ କରିବାର ଚିନ୍ତାଧାରା। ଅତଏବ ବିଗତ ବର୍ଷମାନଙ୍କରେ ପରିସଂସ୍ଥା, ପଶୁପକ୍ଷୀ ଶ୍ରେଣୀ, ନଦ-ନଦୀ ଏବଂ ପ୍ରାକୃତିକ ଦୁନିଆର ଉପାଦାନଗୁଡ଼ିକୁ ଏହା ଦେବା ଲାଗି ବିଭିନ୍ନ ଦେଶରେ ‘ପ୍ରକୃତିର ଅଧିକାର’ ଆଇନ ସମୂହ ପ୍ରଣୀତ ହେଲାଣି ା ବିଚାରାଳୟମାନେ ଏଥିରେ ପ୍ରମୁଖ ଭୂମିକା ନେଇ ନିର୍ଦ୍ଦେଶମାନ ଦେଉଛନ୍ତି ା ମାଡ୍ରାସ୍‌ ଉଚ୍ଚ ନ୍ୟାୟାଳୟର ରାୟ ହେଲା ତନ୍ମଧ୍ୟରୁ ସଦ୍ୟତମ ା
‘ପ୍ରକୃତିର ଅଧିକାର’କୁ ନେଇ ବିକଶିତ ହୋଇଥିବା ଧାରଣା ଅନୁସାରେ ପରିସଂସ୍ଥା ଆଇନତଃ ବ୍ୟକ୍ତିତୁଲ୍ୟ ମର୍ଯ୍ୟାଦା ଲାଭ କରିବା ଉଚିତ। ଯେପରିକି ଏହାକୁ କେହି କ୍ଷତି ପହଞ୍ଚାଇ ପାରିଲେ ଏହା ବିଚାରାଳୟର ଆଶ୍ରୟ ନେଇପାରିବ। ଅତଏବ କୌଣସି ତଥାକଥିତ ବିକାଶମୂଳକ ଯୋଜନା କିମ୍ବା ଜଳବାୟୁ ପରିବର୍ତ୍ତନ ହେତୁ ପରିବେଶୀୟ ଅବକ୍ଷୟ ଘଟିଲେ ଏହା ନିଜ ‘ଅଭିଭାବମାନଙ୍କ’ (ବ୍ୟକ୍ତି କିମ୍ବା ସଂସ୍ଥା) ମାଧ୍ୟମରେ ତାହା କରିପାରିବ ା ଏଥିରେ ସ୍ବୀକାର କରାଯାଇଛି ଯେ, ଏକ ପରିସଂସ୍ଥୀୟ ବ୍ୟବସ୍ଥାର ଅଧିକାର ରହିଛି ତା’ ନିଜ ସ୍ଥିତିକୁ ବଜାୟ ରଖିବାକୁ, ବିକଶିତ ହେବାକୁ ଏବଂ ପୁନଃ ରୋଦ୍‌ଗମ ହେବାକୁ।
ବିଗତ ବର୍ଷମାନଙ୍କରେ ପୃଥିବୀର ଭିନ୍ନ ଭିନ୍ନ ଦେଶରେ ‘ପ୍ରକୃତିମାତା’ ତଥା ଏହାର ମୌଳିକ ଉପାଦାନଗୁଡ଼ିକୁ ବ୍ୟକ୍ତିତୁଲ୍ୟ ଅଧିକାର ଦେବା ଲାଗି କିଛି କିଛି ପଦକ୍ଷେପ ନିଆଯାଇଛି ା ଉଦାହରଣ ସ୍ବରୂପ, ୨୦୦୮ରେ ଇକ୍ୟୁଡର ପ୍ରଥମ କରି ‘ପ୍ରକୃତିର ଅଧିକାର ସମୂହ’ ଆଇନକୁ ସ୍ବୀକୃତି ଦେଲା ଏବଂ ତାହା କାର୍ଯ୍ୟକାରୀ କଲା ା ସେହିପରି ୨୦୧୦ରେ ଆମେରିକାର କେତୋଟି ରାଜ୍ୟ ନଦୀ, ହ୍ରଦ ତଥା ଅନ୍ୟାନ୍ୟ ଜଳାଶୟଗୁଡ଼ିକ ପାଇଁ ଏ ଅଧିକାର ସ୍ବୀକାର କଲେ। ଅନ୍ୟପକ୍ଷରେ, ୨୦୧୭ରେ ନ୍ୟୁଜିଲାଣ୍ଡର ହ୍ବାଂଗନୁଲ ନଦୀ, ଆମେରିକାର କଲୋରାଡୋ ନଦୀ ଏବଂ ଅଷ୍ଟ୍ରେଲିଆର ୟାରା ନଦୀ ଓ ତା’ର ଉପତ୍ୟକା ତଥା ସେଗୁଡ଼ିକର ପରିସଂସ୍ଥା ପାଇଁ ଆଇନଗତ ଭାବେ ବ୍ୟକ୍ତିତୁଲ୍ୟ ମୌଳିକ ଅଧିକାରକୁ ଅଳ୍ପ ବହୁତ ସ୍ବୀକୃତି ମିଳିଲା ା ପୁନଶ୍ଚ କଲମ୍ବିଆର ଆମାଜନ୍‌ରେ ବନ ବିଧ୍ୱଂସ ରୋକିବା ପାଇଁ ୨୦୧୮ରେ ସେଠାରେ ଉଚ୍ଚତମ ନ୍ୟାୟାଳୟ ଏ ଅରଣ୍ୟର ପରିବେଶ ଓ ପରିସଂସ୍ଥା ସହିତ ସଂପୃକ୍ତ ବ୍ୟବସ୍ଥାମାନଙ୍କୁ ‘ଜୀବନ, ସ୍ବାସ୍ଥ୍ୟ, ସର୍ବନିମ୍ନ ଜୀବନଧାରଣର ସାଧନ, ସ୍ବାଧୀନତା ଏବଂ ବ୍ୟକ୍ତିତୁଲ୍ୟ ମର୍ଯ୍ୟାଦା’ ପ୍ରଦାନ କଲା।
ଏହା ପରବର୍ତ୍ତୀ (୨୦୧୯) ପେରୁସ୍ଥିତ ଆମାଜନ ପାଇଁ ମଧ୍ୟ ଏପରି ବ୍ୟବସ୍ଥା ଲାଗୁ କରାଗଲା ଏବଂ ୨୦୨୫ ସୁଦ୍ଧା ବନ ବିଧ୍ୱଂସ ଶୂନ୍‌କୁ ହ୍ରାସ କରିବାର ଲକ୍ଷ୍ୟଧାର୍ଯ୍ୟ କରାଗଲା। ସେହିବର୍ଷ ବାଂଲାଦେଶର ଉଚ୍ଚତମ ନ୍ୟାୟାଳୟ ସେଠାର ସମସ୍ତ ନଦନଦୀଙ୍କୁ ବ୍ୟକ୍ତିତୁଲ୍ୟ ଅଧିକାରମାନ ପ୍ରଦାନ କଲାବେଳେ ୨୦୨୦ରେ ଆର୍ଜେଣ୍ଟିନା ତା’ର ପାରାନା ତ୍ରିକୋଣଭୂମି ଅଞ୍ଚଳ ପ୍ରତି ମଧ୍ୟ ତାହା ଲାଗୁକଲା।
ଆମ ଦେଶରେ ୨୦୧୭ରେ ଗଙ୍ଗା ଓ ଯମୁନା ନଦୀ ଦ୍ୱୟକୁ ଆଇନଗତ ଭାବେ ବ୍ୟକ୍ତିତୁଲ୍ୟ ଅଧିକାର ପ୍ରଦାନ ଲାଗି ଉତ୍ତରାଖଣ୍ଡର ଉଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେଇଥିଲେ। ଏଥିରେ ଏହାର ସେହି ଅନୁରୂପ କର୍ତ୍ତବ୍ୟ ଏବଂ ଦାୟିତ୍ୱ ମଧ୍ୟ ଥିବାର ଦର୍ଶାଯାଇଥିଲା। ସେଥିପାଇଁ ଉଚ୍ଚତମ ନ୍ୟାୟାଳୟ ଏହାକୁ କାର୍ଯ୍ୟ ଉପଯୋଗୀ ନୁହେଁ ବୋଲି କହି ଖାରଜ କରିଦେଇଥଲେ। କାରଣ, ଏହା ମତରେ ଏହାର ଅର୍ଥ ହେଲା ବନ୍ୟା ଭଳି ଘଟଣା ଲାଗି ଏହି ନଦୀଗୁଡ଼ିକୁ ଦାୟୀ କରିବା ଏବଂ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା। ଏହାପରେ ଉତ୍ତରାଖଣ୍ଡ ଏବଂ ପଞ୍ଜାବ ଓ ହରିୟାଣାର ଉଚ୍ଚ ନ୍ୟାୟାଳୟମାନେ ଯଥାକ୍ରମେ ୨୦୧୮ ଏବଂ ୨୦୧୯ରେ ପଶୁପକ୍ଷୀମାନଙ୍କୁ ଆଇନତଃ ବ୍ୟକ୍ତିତୁଲ୍ୟ ଅଧିକାର ପ୍ରଦାନ ଲାଗି ସ୍ବୀକୃତି ଦେଇଥିଲେ। ସେହିପରି ୨୦୨୦ରେ ନେପାଳ-ଭାରତ ସୀମାରେ ଥିବା ସୁଖ୍‌ନା ହ୍ରଦକୁ ‘ଜୀବନ୍ତ ସତ୍ତା’ ରୂପେ ଗଣନା କରାଯାଇଛି। ତେବେ ଏସବୁ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ହେଲା ସେହିବର୍ଷ ଗୁଜରାଟର ”ଦ ପିପୁଲ୍ସ ଚାରିଏଟିୟର ଅର୍ଗାନାଇଜେଶନ“ ଦେଶର ଉଚ୍ଚତମ ନ୍ୟାୟାଳୟରେ ରୁଜୁ କରିଥିବା ମାମଲା। ଭାରତର ”ପ୍ରିଭେନଶନ୍‌ ଅଫ୍‌ କ୍ରୁଏଲିଟି ଟୁ ଆନିମଲ୍‌ସ ଆକ୍ଟ“ ଏବଂ ସମ୍ବିଧାନର ବିଭିନ୍ନ ଧାରା ଉପରେ ଭିତ୍ତି କରି ଏହା କରାଯାଇଛି। ସାମାଜିକ ଏବଂ ପରିବେଶ ନ୍ୟାୟ ପାଇଁ ସଂଗ୍ରାମ ଚଳାଇଥିବା ଏ ସଂସ୍ଥା ତା’ର ୮୩ ପୃଷ୍ଠା ବ୍ୟାପୀ ଆବେଦନରେ ସବୁ ଲୋକଙ୍କୁ ଏଥିପାଇଁ ଆଇନଗତ ଦାୟିତ୍ୱ ଏବଂ ଅଧିକାର ପ୍ରଦାନ ଲାଗି ଅନୁରୋଧ କରାଯାଇଛି। ଏହା ଗୃହୀତ ହେଲେ, ”ପ୍ରକୃତିମାତାକୁ ବ୍ୟକ୍ତିତୁଲ୍ୟ ଅଧିକାର“ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାରେ ଭାରତ ହେବ ଅନ୍ୟତମ ଅଗ୍ରଣୀ ଦେଶ।
ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ମାଡ୍ରାସ୍‌ ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ହେଉଛି ସବୁଠାରୁ ପ୍ରଭାବଶାଳୀ। ତେଣୁ ଏହାକୁ ଏକ ଆନ୍ତର୍ଜାତିକ କର୍ମଶାଳାରେ ଏବେ ଉଚ୍ଚ ପ୍ରଶଂସା କରିଛନ୍ତି ନେଦରଲ୍ୟାଣ୍ଡସ୍‌ର ପ୍ରସିଦ୍ଧ ପରିବେଶବିତ୍‌ ତଥା ଲେଇଡେନ୍‌ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତିକ ଆଇନ ବିଭାଗ ପ୍ରଫେସର ମାର୍ଗାରେଥା ଓ୍ବିଓ୍ବିରିଙ୍କେ। ସେ କହିଛନ୍ତି ଯେ, ପ୍ରକୃତିମାତାକୁ ସୁରକ୍ଷା ଦେବା ପାଇଁ ସବୁ ଦିଗ ବିଚାରକୁ ନେଇ ଏହି ରାୟରେ ରହିଛି ବ୍ୟାପକ ବ୍ୟବସ୍ଥା। ଅତଏବ, ଏହା ହୁଏତ ସମସ୍ତଙ୍କ ଆଖି ଖୋଲିବାକୁ ଏବଂ ପ୍ରକୃତି ଉପରେ ଚାଲିଥିବା ଅବାରିତ ଅତ୍ୟାଚର ରୋକିବାକୁ କିଛି ମାତ୍ରାରେ ସମର୍ଥ ହୋଇପାରିବ।

  • ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
    ମୋ: ୯୯୩୭୯୮୫୭୬୭

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri