‘ମୋର ଦଳ ନାହିଁ କି ଖବରକାଗଜ ନାହିଁ, ମୋର କିଛି ନାହିଁ’: ସୌମ୍ୟ ରଞ୍ଜନ ପଟ୍ଟନାୟକ

ଖୋର୍ଦ୍ଧା,୩।୧: ଦୀର୍ଘ ଦିନର ବ୍ୟବଧାନ ପରେ ମୁହଁ ଖୋଲିଛନ୍ତି ଖଣ୍ଡପଡ଼ା ବିଧାୟକ ତଥା ପୂର୍ବତ୍ତନ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ। ବୁଧବାର ଖୋର୍ଦ୍ଧା ଜାନକୀ ଜୟନ୍ତୀ ଅବସରରେ ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ଏହି ବଡ ବୟାନ ଦେଇଛନ୍ତି ସୌମ୍ୟ। ସେ କହିଛନ୍ତି ‘ -‘ନିର୍ବାଚନ ଲଢ଼ିବି କି ନାହିଁ ନିଷ୍ପତ୍ତି ନେଇନି, ପ୍ରାୟ ଲଢ଼ିବି ନାହିଁ’, ଏବେ ‘ମୋର ଦଳ ନାହିଁ କି ଖବରକାଗଜ ନାହିଁ, ମୋର କିଛି ନାହିଁ’। ମୋର କେବଳ ଓଡିଶାକୁ ଭଲ ପାଇବାର ସାହସ ଅଛି, ତାକୁ ନେଇ ମୁ ଆଗକୁ ବଢ଼ିବି।

ତେବେ ନିଜ ଖବର କାଗଜ ସଂସ୍ଥାର ସଂପାଦକ ପଦ କାହିଁକି ଛାଡ଼ିଲେ ପ୍ରଶ୍ନରେ ସୌମ୍ୟ କହିଥିଲେ, ‘ଯେଉଁ ସାମ୍ବାଦିକଙ୍କୁ ଗଢ଼ିଥିଲି, ତାଙ୍କ ଗୁଣ ଦେଖି ଛାଡ଼ିଲି, ମିଛ କଥା ନେଇ ଏତଲା କରିବେ, ତାକୁ କିଏ ବରଦାସ୍ତ କରିବ।’

ଏହା ସହିତ ସେ କହିଛନ୍ତି, ବିକାଶ ନାଁରେ ରାସ୍ତାଘାଟ, କୋଠାବାଡ଼ି କରିଦେଲେ ବିକାଶ ହୁଏ ନାହିଁ। ବାହ୍ୟ ବିକାଶ ତୁଳନାରେ ଓଡ଼ିଆଙ୍କ ଅସ୍ମିତା ବିକାଶର ଅଭାବ ରହିଛି । ଓଡ଼ିଆ ଯୁବକ ଏବେ ଟିକେ ଟିକେ କଥାରେ ନେତାଙ୍କ ପଦଲେହନ କରିବାକୁ ସଂକୋଚ କରୁନାହାନ୍ତି।’

ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ କହିଥିଲେ ‘୨୦୧୫ରୁ ଜଗନ୍ନାଥ ମନ୍ଦିର ଯାଇନାହାନ୍ତି, ବ୍ରହ୍ମବିଭ୍ରାଟ ପରେ ଜଗନ୍ନାଥ ଅସଲି କି ନକଲି ସାମ୍ବାଦିକ ସନ୍ଦେହ ସୃଷ୍ଟି କରିଥିଲେ। ଯଦି ଜଗନ୍ନାଥ ଅସଲି କି ନକଲି ଜାଣିନୁ, ଯେଉଁଠୁ ଡାକିଲେ ବି ଶୁଣିବେ। ଭକ୍ତ ସାଲବେଗ, ଦାସିଆବାଉରୀ ଭଳି ଯେଉଁଠି ଡାକିଲେ ବି ଶୁଣିବେ।’