କିଡ୍‌ନୀ ରୋଗ କବଳରେ ୧୦ରୁ ଊର୍ଦ୍ଧ୍ୱ ଗାଁ

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୨୦ା୩ : ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ୧୦ରୁ ଊର୍ଦ୍ଧ୍ୱ ଗାଁ ଲୋକଙ୍କ ଜୀବନ କିଡ୍‌ନୀ ରୋଗ ପାଇଁ ଦୁର୍ବିସହ ହୋଇପଡିଛି। ୪୦ ବର୍ଷ ଟପିଲେ ବହୁ ଲୋକଙ୍କ ଜୀବନ ସଙ୍କଟାପନ୍ନ ହେଉଛି। ଅତି ପ୍ରଦୂଷିତ ୬ଟି କ୍ରୋମାଇଟ ୱାଶିଂ ପ୍ଲାଣ୍ଟରୁ ନିର୍ଗତ ପ୍ରଦୂଷିତ ପାଣି ଏବଂ ସିମେଣ୍ଟ କାରଖାନାର ବାୟୁ ପ୍ରଦୂଷଣ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ମତ ପ୍ରକାଶ ପାଇଛି। ଏଠାରେ କେବଳ ଗୋଲାଗାଁକୁ ଉଦାହରଣ ଭାବେ ନିଆଯାଇପାରେ। ଗତ ୫ ବର୍ଷରେ ଏହି ଗ୍ରାମର ୩୫ ଜଣଙ୍କ କିଡ୍‌ନୀ ରୋଗରେ ମୃତ୍ୟୁ ଘଟିଥିବାବେଳେ ୨୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଉକ୍ତ ସମ୍ବେଦନଶୀଳ ଘଟଣାକୁ ସ୍ବାସ୍ଥ୍ୟ ବିଭାଗ ଅତି ହାଲୁକା ଭାବେ ଗ୍ରହଣ କରି ଚିକିତ୍ସା ଚଳାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷେ କିଡ୍‌ନୀ ରୋଗ ବଢ଼ିବାର କାରଣ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ ଏଯାଏ ଅଜ୍ଞ ରହିଛି। ଆଗାମୀ ଦିନରେ ରାଜ୍ୟସ୍ତରୀୟ ଅନ୍ୟାନ୍ୟ ବିଶେଷଜ୍ଞ ଟିମ୍‌ର ସହାୟତା ନେଇ ପାଣି ଓ ବାୟୁ ପ୍ରଦୂଷଣର ମାନ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି।
ଜିଲାର ଦାନଗଦି ବ୍ଲକ ଚାନ୍ଦିଆ ପଞ୍ଚାୟତ ଅନ୍ତର୍ଗତ ଗୋଲାଗାଁ, ପଙ୍କପାଳ ପଞ୍ଚାୟତରର ମନୋହରପୁର, ଗୋବରଘାଟି ପଞ୍ଚାୟତର ଗୋବରଘାଟି, ମିରିଗିଚରା, ଆମ୍ପଲବା, ଖରଡି ଓ ବରଡି, ଡୁବୁରୀ ପଞ୍ଚାୟତର ଡୁବୁରୀ ଓ ମାଟିଆସାହି ଏବଂ ଯଖପୁରା ପଞ୍ଚାୟତର କୁଡୁମୀସାହି ଆଦି ଗ୍ରାମବାସୀଙ୍କ ଜୀବନ ଜଳ ଓ ବାୟୁ ପ୍ରଦୂଷଣରେ ଦୁର୍ବିଷହ ହୋଇ ପଡିଛି। କିନ୍ତୁ ସମ୍ପୃକ୍ତ କମ୍ପାନୀଗୁଡିକର ଅର୍ଥ ଓ ବାହୁବଳରେ ଆତଙ୍କିତ ସ୍ଥାନୀୟ ଅଧିବାସୀ ଏହାକୁ ନେଇ ସ୍ବର ଉତ୍ତୋଳନ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି । ରାଜ୍ୟର ଆର୍ଥିକ ଅଭିବୃଦ୍ଧି ପାଇଁ ଶିଳ୍ପାୟନକୁ ଆଖିବୁଜା ସହଯୋଗ କରୁଥିବା କାରଣରୁ ପ୍ରଦୂଷଣ ସମସ୍ୟାକୁ ଅଣଦେଖା କରାଯାଉଛି। ଏହି କ୍ରମରେ ଲୋକେ ଶିଳ୍ପ ବିଷୟରେ ହନ୍ତସନ୍ତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି। ଲୋକଦେଖାଣିଆ ଭାବେ ଶିଳ୍ପକୁ ଆକଟ ସିନା କର, କୌଣସି କାର୍ଯ୍ୟାନୁଷ୍ଠାନ କରି ଶିଳ୍ପପତିଙ୍କ ମନରେ କଷ୍ଟ ଦିଅନାହିଁ ନୀତିରେ ସରକାର ଚାଲିଥିବାରୁ ଗରିବ ଲୋକେ ଅକାଳରେ ମୃତ୍ୟୁମୁଖରେ ପଡୁଛନ୍ତି ବୋଲି କ୍ଷୋଭ ପ୍ରକାଶ ପାଇଛି। ଗତ ୧୫ ବର୍ଷ ହେଲା ଗୋଲାଗାଁ ଚାରିପାର୍ଶ୍ୱରେ ଚୈତନ୍ୟ ମିନେରାଲ, ଆନନ୍ଦ ଏକ୍ସପୋର୍ଟ, କଳିଙ୍ଗ ୱାସିଂ ପ୍ଲାଣ୍ଟ, ପଣ୍ଡା ୱାସିଂ ପ୍ଲାଣ୍ଟ, ମିଶ୍ରିଲାଲ କାରଖାନା ସ୍ଥାପନ ହୋଇଛି। ଗତ ପ୍ରାୟ ୨ ବର୍ଷ ହେବ ୩ଟି ଛୋଟ କାରଖାନା ବନ୍ଦ ହୋଇଛି। ତେବେ ଏହି କାରଖାନାଗୁଡିକ ଚାଲିଥିବା ସମୟରେ ସେଗୁଡିକର ବର୍ଜ୍ୟ ଓ ବିଷାକ୍ତ ପାଣି ବାହାରକୁ ଛଡାଯାଇଛି। ଏହି ବିଷାକ୍ତ ପାଣି ଗ୍ରାମ ନିକଟସ୍ଥ ବିଲବାଡିରେ ମିଶୁଛି। ଅତୀତରେ କେନ୍ଦ୍ରୀୟ ପରୀକ୍ଷାଗାରରେ ହୋଇଥିବା ପରୀକ୍ଷା ରିପୋର୍ଟରେ ବିଭିନ୍ନ ନଦୀନାଳ ପାଣିରେ ଅନୁଜ୍ଞେୟ ସୀମିତ(ପରମିସିବୁଲ ଲିମିଟ) ୦.୦୦୫(ମିଲିଗ୍ରାମ/ଲିଟର)ଠାରୁ ବହୁ ଗୁଣ ଅଧିକ ଫେନୋଲିକ କମ୍ପାଉଣ୍ଡ, ସାୟାନାଇଡ ଆଦି ରହିଥିବା ରିପୋର୍ଟରେ ଦର୍ଶାଯାଉଛି। ଏହି ଦୂଷିତ ପାଣି ଭୂତଳ ଜଳକୁ ବି ଜହର କରୁଥିବାରୁ ସେହି ପାଣି ପିଇ ସମ୍ପୃକ୍ତ ଅଞ୍ଚଳବାସୀ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଏହି କ୍ରମରେ ଗୋଲାଗାଁର ବିଦ୍ୟାଧର ପେରେଇ, ବିଦ୍ୟୁତଲତା ପେରେଇ, ବାବୁଲି ଖଟୁଆ, ଉଦୟ ଖଟୁଆ, ଚରଣ ବେହେରା, ବିଶ୍ୱନାଥ ପେଣ୍ଠେଇ, ବେଲ ମୁଣ୍ଡା, କୁଳମଣି ଖଟୁଆ, ମନମଥ ମାଟିଆ, ରଙ୍ଗିଲ ବେହେରା, ଦେବକୀ ବେହେରା, ଦୀପକ ଖଟୁଆ, ବସନ୍ତ ଖଟୁଆ, ଅନିତା ଖଟୁଆ ପ୍ରମୁଖଙ୍କ ଅକାଳରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଏହାସହ ବିଜୟ ମଲିକ, ଅଶୋକ ପେଣ୍ଠେଇ, ଶରତ ମଲିକ, ବିଦ୍ୟାଧର ମଲିକ, ଠାକୁରା ମୁର୍ମୁ ପ୍ରମୁଖ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ମଣ୍ଟୁ ଦାସ ନାମକ ଜଣେ ବକ୍ତି ହାଇକୋର୍ଟରେ ୬୪୫୩/୨୦୨୩ରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ କମିଟି ଗୋଲାଗାଁ ଗ୍ରାମକୁ ଯାଇ ତଦନ୍ତ କରି ଆକ୍ରାନ୍ତମାନଙ୍କ ରକ୍ତ ନମୁନା ପରୀକ୍ଷା କରିଛନ୍ତି। ହେଲେ କେତେଜଣ ଆକ୍ରାନ୍ତଙ୍କ କଟକ ଓ ସ୍ବାସ୍ଥ୍ୟ ଟିମ୍‌ର ରକ୍ତ ନମୁନା ପରୀକ୍ଷାରେ ବହୁ ପ୍ରଭେଦ ଦେଖା ଦେଇଛି। ଉଦାହରଣ ଭାବେ ଅଶୋକ ପେଣ୍ଠେଇଙ୍କ କଟକରେ ହୋଇଥିବା ରକ୍ତ ନମୁନା ପରୀକ୍ଷାରେ ୧୨.୮୭ ସେରମ୍‌ କ୍ରିଏଟିନାଇନ ରହିଥିବାବେଳେ ଏଥର ସ୍ବାସ୍ଥ୍ୟ ଟିମ୍‌ ପରୀକ୍ଷାରେ ୧.୨ ମିଳିଛି। ଯାହାକି ସୁସ୍ଥ ମଣିଷ ପାଇଁ ରହିଥାଏ। ଏଭଳି ଏକାଧିକ ରୋଗୀଙ୍କ ରିପୋର୍ଟ ମିଳିଛି। ଏବେ ଅଶୋକ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଏଭଳି ଭାବେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉକ୍ତ ସ୍ବାସ୍ଥ୍ୟ ଟିମ୍‌ ଖାମଖିଆଲ ଚିକିତ୍ସା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ଯାଜପୁର ସିଡିଏମ୍‌ଓ ଶିବାଶିଷ ମହାରଣାଙ୍କୁ ପଚାରିବାରେ ସେ କହିଛନ୍ତି ନିଜେ ଉକ୍ତ ଗ୍ରାମକୁ ଯାଇ କିଡ୍‌ନୀ ରୋଗର ଯାଞ୍ଚ କରିଛନ୍ତି। ଚିକିତ୍ସାରେ କୌଣସି ଅବହେଳା କରାଯାଇ ନାହିଁ। ରୋଗୀମାନଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ସେଥିରୁ କେତେଜଣ କିଡ୍‌ନୀ ରୋଗୀ ଥିବା ଜଣାପଡିଛି। ଏହାସହ ଆଗାମୀ ଦିନରେ ପାଖଆଖ ଗ୍ରାମରେ ମଧ୍ୟ ପରୀକ୍ଷା କରାଯାଇ ତଦନୁସାରେ ଚିକିତ୍ସା ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri