ଲୋକାଚାର ଦଳିବି ଚରଣେ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

 

କେଉଁ ଏକ ବିଦ୍ରୋହର ଆବେଶରେ ସେଦିନ ସେ କବି ଲେଖିଥିଲେ କେଜାଣି- ”ସମାଜ ମୁଁ ମାନିବିନି ଲୋକମତ ଦଳିବି ଚରଣେ“, ସେଇ ଢାଞ୍ଚାରେ ଏବେ ନିଜକୁ ହେତୁବାଦୀ ବୋଲାଉଥିବା ଥୋକେ ଲୋକ ନିଜ ଆଚରଣରେ ଅବ୍ୟକ୍ତ ଭାବେ ଉଚ୍ଚାରଣ କରୁଛନ୍ତି ଆଉ ଏକ ପଦ- ”ପରମ୍ପରା ମାନିବୁନି ଲୋକାଚାର ଦଳିବୁ ଚରଣେ“। ମାନବ ସଭ୍ୟତାର କ୍ରମୋନ୍ନତ ବିବର୍ତ୍ତନ ମଧ୍ୟରେ ମଣିଷର ବୌଦ୍ଧିକ ବିକାଶ ଯେତେ ତୀବ୍ରତର ହେଲେ ବି ସମାଜର ଯେଉଁ ଦୁଇଟି ଅଲିଖିତ ବିଧାନପତ୍ରକୁ ସମ୍ମାନ ଜଣାଇ ସେ କାଳ କାଳ ଧରି ତା’ ଜୀବନଯାତ୍ରାକୁ ନିୟନ୍ତ୍ରିତ କରିଆସିଛି, ତାହା ହେଉଛି ଲୋକମତ ଓ ଲୋକାଚାର। ମନ୍ଦିରରେ ପାଦ ଥାପିବା ପୂର୍ବରୁ ପାଦର ଜୋତା ହଳକୁ ମନ୍ଦିର ବାହାରେ ରଖିବାଠୁ ଆରମ୍ଭ କରି ନାରୀ-ପୁରୁଷର ଆଦିମ ସମ୍ପର୍କକୁ ଲଜ୍ଜାର ଆବରଣ ମଧ୍ୟରେ ଘୋଡ଼ାଇ ରଖିବା ପାଇଁ ନୈତିକ ଓ ସାମାଜିକ ଦାୟିତ୍ୱବୋଧର ପରମ୍ପରା ପ୍ରତ୍ୟେକ କାଳରେ ମଣିଷ ଭିତରେ ମଣିଷତ୍ୱର ପ୍ରମାଣ ଦେଇଆସିଛି। ସେମିତି ଆମ ଧର୍ମୀୟ ବିଶ୍ୱାସ ଓ ସାମାଜିକ ପରମ୍ପରା ସହ ଜଡ଼ିତ ହୋଇ ରହିଥିବା ବିଭିନ୍ନ ଲୋକାଚାର ମଧ୍ୟ ମଣିଷର ଶବ୍ଦକୋଷରୁ ଉଭାନ୍‌ ହୋଇ ଯାଇନାହିଁ।
ବିଡ଼ମ୍ବନାର ବିଷୟ, ମଣିଷ ବା ସମାଜ ପାଇଁ କିଛି ସାମୂହିକ ଅଭିବୃଦ୍ଧିର ବାର୍ତ୍ତା ନ ଥାଇ, ଏକ ଉନ୍ନତ ଜୀବନର ସମୁଚିତ ସନ୍ଦେଶ ନ ଥାଇ, ଅର୍ଥହୀନ ଭାବେ କେବଳ ନିଜ ସ୍ଥିତି ଜାହିର କରିବାକୁ ଥୋକେ ଲୋକ ଏମିତି କିଛି ବିଚାର ବାଢ଼ନ୍ତି; ଯାହା ଆମ ଧର୍ମୀୟ ଚେତନାକୁ ପ୍ରଚଣ୍ଡ ପ୍ରହାର କରେ। କେଇଦିନ ତଳେ ସଂଘଟିତ ହୋଇଥିବା ସୂର୍ଯ୍ୟୋପରାଗ ବେଳେ, ଯେଉଁଦିନ ବୈଦିକ ରୀତିନୀତି ଅନୁସାରେ ସମସ୍ତ ଦେବକର୍ମ ଓ ପାକାନ୍ନ ଭୋଜନର ନିଷେଧନାମା ମଧ୍ୟରେ ପରାଗ ମୋକ୍ଷକୁ ଅପେକ୍ଷା କରୁଥିଲେ; ସେଦିନ ଆମ ରାଜଧାନୀ ନଗରରେ କେଇଜଣ ହେତୁବାଦୀ ସର୍ବସାଧାରଣ ସ୍ଥାନରେ ଚିକେନ ବିରିୟାନି ଖାଇ ଭିନ୍ନ ଭାବେ ପାଳନ କରିଥିଲେ ଏହି ଖଗୋଳିକ ଘଟଣାଟିକୁ। ସର୍ବସାଧାରଣ ସ୍ଥାନରେ ଏକ ଗଣଭୋଜନର ଆୟୋଜନ କରି ଓ ଏହାର ଚିତ୍ର ଉତ୍ତୋଳନ କରି ସାରା ସଂସାରକୁ ଦେଖାଇବା ପାଇଁ ବିଭିନ୍ନ ଟିଭି ଚାନେଲକୁ ଆମନ୍ତ୍ରଣ କରି କ’ଣ ପ୍ରମାଣ କରିବାକୁ ଚାହୁଁଥିଲେ ଏମାନେ? ବହୁ କାଳରୁ ବହୁ ଲୋକଙ୍କ ଦ୍ୱାରା ପାଳିତ ବିଧି ବ୍ୟବସ୍ଥା ବିରୋଧରେ ବିଦ୍ରୋହ ନା ଆମ ସାମାଜିକ ପ୍ରଥା ପରମ୍ପରା ସହ ଜଡ଼ିତ ଧର୍ମଧାରଣା ପ୍ରତି ଉପହାସ?
ଧର୍ମ ହେଉ କି ଧର୍ମଧାରଣା ସହ ସଂଶ୍ଳିଷ୍ଟ ଆମ ଲୋକାଚାର ବିରୋଧରେ ବିଦ୍ରୋହ ବା ଉପହାସ ଯେତେ ଭୀଷଣ ହେଲେ ବି ଧନ୍ୟ କହିବ ଆମ ଧର୍ମର ଉଦାରତାକୁ, ଯାହା ସବୁ କିଛି ସହିନିଏ। ସୂର୍ଯ୍ୟୋପରାଗରେ ପାକତ୍ୟାଗ ଭଳି ରୀତିନୀତିକୁ କିଏ ‘ଭାଣ୍ଡ ତାମ୍‌ସା’ କହି ଅପମାନିତ କଲେଣି ତ ଅନ୍ୟ ଜଣେ ହେତୁବାଦୀ ପରାଗରେ ଚିକେନ୍‌ ବିରିୟାନି ଖାଇବାକୁ ସଂସ୍କାରର ଅବକ୍ଷୟ କହୁଥିବା ଜଣେ ଗବେଷକଙ୍କୁ ‘କୁଣ୍ଡାଖିଆ ପାଠ ପଢ଼ିଛ’ ଭଳି ଅପଶବ୍ଦ ଫିଙ୍ଗି ଆହତ କଲେଣି। ଶଙ୍କରାଚାର୍ଯ୍ୟ ମଧ୍ୟ ଏଭଳି ପ୍ରହସନକୁ ନାପସନ୍ଦ କରି ବିବୃତି ଦେଲେ। କହିଲେ, ”ଯେଉଁମାନେ ଧର୍ମୀୟ ରୀତିନୀତିକୁ ଉପହାସ କରି ପରାଗରେ ଗଣଭୋଜିର ଆୟୋଜନ କଲେ, ସେମାନେ ସୁସ୍ଥ ମନ ନେଇ ଶାସ୍ତ୍ର ଅଧ୍ୟୟନ କରନ୍ତୁ ଓ ଶାସ୍ତ୍ରଜ୍ଞାନ ଭିତରେ ଥିବା ବିଜ୍ଞାନକୁ ଅନୁଧ୍ୟାନ କରନ୍ତୁ।“ ଉଦାର ଧର୍ମର କି ମାର୍ମିକ ମାର୍ଗଦର୍ଶନ! ଅନ୍ୟ କେଉଁ ଧର୍ମ ହୋଇଥିଲେ ତାହାର ବଡ଼ପଣ୍ଡାମାନେ ଏତେବେଳକୁ ଧର୍ମୀୟ ଭାବଧାରା ଓ ଏଥିସହ ସଂଶ୍ଳିଷ୍ଟ ଲୋକାଚାରକୁ ଉପେକ୍ଷା ଓ ଉପହାସ କରିବା ଭଳି ଅପକର୍ମକୁ ଏକ ଗୁରୁତର ଅପରାଧ ଭାବେ ବିବେଚନା କରି ଏଥିପାଇଁ ଅନ୍ୟ କିଛି ଭୟଙ୍କର ପରିଣାମ ଘଟାଇବାକୁ ଫତ୍‌ଓ୍ବା ଜାରି କରି ସାରନ୍ତେଣି!
ଏଠାରେ ଉଲ୍ଲେଖ କରିବା ଅପ୍ରାସଙ୍ଗିକ ହେବନାହିଁ ଯେ, କେଇବର୍ଷ ପୂର୍ବରୁ ଭୁବନେଶ୍ୱରର ଏକ ସାଂସ୍କୃତିକ ସଭାମଞ୍ଚରୁ କିଛି ହେତୁବାଦୀଙ୍କ କଣ୍ଠରୁ ଶୁଣାଯାଇଥିଲା ଏକ ଔଦ୍ଧତ୍ୟପୂର୍ଣ୍ଣ ଉଦ୍‌ଘୋଷଣା- ‘ଯିଏ ଈଶ୍ୱରଙ୍କୁ ଧରିଆଣି ରାଜଧାନୀର ଜୟଦେବ ଭବନ ସଭାମଞ୍ଚରେ ଛିଡ଼ା କରାଇଦେବ, ତାକୁ ଲକ୍ଷେ ଟଙ୍କା ପୁରସ୍କାର ଦିଆଯିବ।’ ବଡ଼ ବିଚିତ୍ର ଥିଲା ଏହି ଆହ୍ବାନ। ଜଣେ ଅଧ୍ୟାପକଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ଏକ ଛଅଜଣିଆ କମିଟି, ଯିଏ ଈଶ୍ୱରଙ୍କୁ ପରୀକ୍ଷାନିରୀକ୍ଷା କରି ରିପୋର୍ଟ ଦେଇଥାଆନ୍ତେ! ଈଶ୍ୱରବିଶ୍ୱାସୀଙ୍କ ଭକ୍ତି ଚେତନା ଉପରେ ନିରୀଶ୍ୱରବାଦୀଙ୍କର କି ପ୍ରଚଣ୍ଡ ପ୍ରହାର! ଈଶ୍ୱର ଆଧିଭୌତିକ ଚେତନାର ଏକ ଦିବ୍ୟ ଅନୁଭବ, ଏକ ବିମଳ ବିଶ୍ୱାସ। ଜ୍ଞାନୀ ବିଜ୍ଞାନୀମାନଙ୍କୁ ନେଇ ଗଠିତ କମିଟି ଯେ କୌଣସି ଭୌତିକ ବା ପାର୍ଥତ୍ବ ଜ୍ଞାନର ମାନ ନିର୍ଦ୍ଧାରଣ କରିପାରେ। ମାତ୍ର ହୃଦ୍ୟ ଅନୁଭବ ଓ ସମର୍ପିତ ବିଶ୍ୱାସକୁ ପରଖିବା ପାଇଁ ଲକ୍ଷେ ଟଙ୍କାର ଲୋଭ କାହିଁକି, ସଂସାରର ସବୁ ସମ୍ପଦ ଅଜାଡ଼ିଦେଲେ ବି ତାହା ଯଥେଷ୍ଟ ହେବନାହିଁ। ବିଶ୍ୱାସୀଙ୍କ ପାଇଁ ଈଶ୍ୱର ସହଜଲଭ୍ୟ ହେବେ ସିନା ତର୍କରେ ଘୁଞ୍ଚତ୍ ଯାଉଥିବେ ଦୂରକୁ ଦୂର।
କେଉଟଟିଏ ପୋଖରୀରେ ଜାଲ ଛାଟି ଚାଲିଥାଏ। ଜାଲ ଫାଶ ମଧ୍ୟରେ ଗଳି ଯାଇପାରୁ ନ ଥିବା ବଡ଼ ବଡ଼ ମାଛମାନେ ପ୍ରତିଥର ଧରାପଡୁଥାଆନ୍ତି ଜାଲରେ। ସବୁଥର ଜାଲ ଭିତରୁ ଗୋଟିଏ ବି ଛୋଟମାଛ ନ ପାଇ କେଉଟ ସିଦ୍ଧାନ୍ତରେ ପହଞ୍ଚତ୍ଗଲା- ‘ଏ ପୋଖରୀରେ ଛୋଟ ମାଛ ଆଦୌ ନାହାନ୍ତି।’ ତା’ ଜାଲର ଫାଶ ଯାହା, ତାହା ମଧ୍ୟରେ ଯେ ଛୋଟ ମାଛ ଧରାପଡ଼ନ୍ତେ ନାହିଁ, ଏ କଥା ବିଚାର ନ କରି ସିଦ୍ଧାନ୍ତରେ ପହଞ୍ଚତ୍ ଯାଇଥିଲା ନିର୍ବୋଧ କେଉଟ। ଈଶ୍ୱରଙ୍କ ଅସ୍ତିତ୍ୱ ସମ୍ପର୍କରେ ମଣିଷର ଅନୁଭୂତି ଠିକ୍‌ ଏହିପରି। ନିଜ ଚେତନାର ଜାଲ ଫାଶ ମଧ୍ୟରେ ଈଶ୍ୱରଙ୍କ ଅସ୍ତିତ୍ୱ ଯଦି ଧରା ନ ପଡ଼ିଲା, ତେବେ ସ୍ବୟଂ ଧରା ଦେବା ପାଇଁ ଈଶ୍ୱର ବା କାହିଁକି ଜୟଦେବ ଭବନକୁ ଆସନ୍ତେ! କେବଳ ଦେଖାଯାଉଥିବା ଚିଜ ହିଁ ସତ୍ୟ ଓ ଆଉ ସବୁ ‘ଭାଣ୍ଡ ତାମ୍‌ସା’ ବୋଲି ଯେଉଁ ବିଜ୍ଞଜନେ ମନେକରୁଛନ୍ତି, ତାଙ୍କୁ ଯଦି ପଚରାଯାଏ ‘ପବନ ଦେଖିବାକୁ କିପରି?’ ତାକୁ ଦେଖିଥିବା ଓ ଦେଖାଇ ପାରୁଥିବା ଲୋକକୁ ଦଶଲକ୍ଷ ଟଙ୍କା ପୁରସ୍କାର ଦିଆଯିବ, ତେବେ କେମିତି ହେବ ସେମାନଙ୍କର ପ୍ରତିକ୍ରିୟା? ଈଶ୍ୱରଙ୍କ ସହ ସିନା ସମସ୍ତଙ୍କର ସମ୍ପର୍କ ନାହିଁ, ମାତ୍ର ସଞ୍ଜୀବନୀ ଶକ୍ତି ହୋଇ ସଭିଙ୍କୁ ପ୍ରାଣବନ୍ତ କରିଥିବା ପବନର ଅସ୍ତିତ୍ୱ ସ୍ବୀକାର କରିବାକୁ ସମସ୍ତେ ତ ବସ୍ତୁତଃ ବାଧ୍ୟ। ହେଲେ ପବନକୁ ଦେଖିଥିବା ଲୋକ ଏହି ସଂସାରରେ କେହି ଅଛନ୍ତି କି? ଯଦି ନାହାନ୍ତି, ତେବେ ପବନ କ’ଣ ମିଥ୍ୟା, ଠିକ୍‌ ଅଦୃଶ୍ୟ ଈଶ୍ୱରଙ୍କ ପରି?
ଈଶ୍ୱର ଅଛନ୍ତି। ସେ ଅଛନ୍ତି ପ୍ରକୃତିର ପ୍ରତିଟି ସୃଷ୍ଟିରେ। ତାଙ୍କୁ ମାନୁଥିବା ଆସ୍ତିକଙ୍କ ହୃଦୟରେ ଯେମିତି ସେ ଅଛନ୍ତି, ସେମିତି ବି ଅଛନ୍ତି, ତାଙ୍କ ଅସ୍ତିତ୍ୱକୁ ଅବଜ୍ଞା କରୁଥିବା ହେତୁବାଦୀଙ୍କ ଉପହାସରେ। ସେ ଅଛନ୍ତି ବୋଲି ବିଶ୍ୱାସ କରିବାକୁ କାହା ପାଇଁ କିଛି ବାଧ୍ୟବାଧକତା ନାହିଁ। ତାଙ୍କ ସ୍ଥିତିକୁ ଅସ୍ବୀକାର କରିବାକୁ ସମସ୍ତେ ସ୍ବାଧୀନ। ସୁତରାଂ, ଏଥିପାଇଁ ସଭାସମିତି କରି ଆହ୍ବାନ ଜଣାଇବା ବା ଲକ୍ଷେ ଟଙ୍କାର ପୁରସ୍କାର ଘୋଷଣା କରିବାର କିଛି ପ୍ରୟୋଜନ ହିଁ ନାହିଁ। ସୂର୍ଯ୍ୟୋପରାଗ ବା ଚନ୍ଦ୍ରଗ୍ରହଣ ସହ ଜଡ଼ିତ ପାକତ୍ୟାଗ ଭଳି ଧର୍ମଧାରଣା ବା ଲୋକଚାରାକୁ ଅବଜ୍ଞା କରି ଯେତେ ଚିକେନ ବିରିୟାନି ବାଣ୍ଟିଲେ ବି ଈଶ୍ୱର ନାହାନ୍ତି ବୋଲି ପ୍ରମାଣିତ ହେବନାହିଁ, ହୋଇପାରିବ ନାହିଁ।
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri