Categories: ଖେଳ

ମଣ୍ଟେନିଗ୍ରୋ ବକ୍ସିଂ: ଭାରତୀୟ ମହିଳା ଦଳ ଶୀର୍ଷରେ

ନୂଆଦିଲ୍ଲୀ, ୨୩ା୨ (ପି.ଟି.)-ମଣ୍ଟେନିଗ୍ରୋର ବଡ୍‌ଭାଠାରେ ଚାଲିଥିବା ୩୦ତମ ଆଡ୍ରିଆଟିକ୍‌ ପର୍ଲ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ବକ୍ସରମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବେବିରୋଜିସାନା ଚାନୁ (୫୧କେଜି) ଏବଂ ଅରୁନ୍ଧତୀ ଚୌଧାରୀ (୬୯କେଜି) ଦେଶ ପାଇଁ ଆଉ ଦୁଇଟି ସ୍ବର୍ଣ୍ଣ ଜିତିଛନ୍ତି। ଲକି ରାଣା ୬୪ କେଜି ଶ୍ରେଣୀରେ ଏକ ରୌପ୍ୟ ପଦକ ହାସଲ କରିଛନ୍ତି। ଫଳରେ ଭାରତୀୟ ମହିଳା ଦଳ ମୋଟ ୧୦ ପଦକ (୫ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ ବ୍ରୋଞ୍ଜ) ସହ ଓଭରଅଲ ପ୍ରଥମ ସ୍ଥାନ ଅଧିକାର କରିଛି। ଉଜ୍‌ବେକିସ୍ତାନ (୨ ସ୍ବର୍ଣ୍ଣ) ଓ ଚେକ୍‌ ରିପବ୍ଲିକ (୧ ସ୍ବର୍ଣ୍ଣ) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି। ରବିବାର ୩ଥର ଖେଲୋ ଇଣ୍ଡିଆ ସ୍ବର୍ଣ୍ଣ ବିଜୟିନୀ ଅରୁନ୍ଧତୀ ୟୁକ୍ରେନ୍‌ର ମାର଼୍ୟାନା ଷ୍ଟୋଇକୋଙ୍କ ବିପକ୍ଷ ମୁକାବିଲାକୁ ୫-୦ରେ ଜିତି ନେଇଥିଲେ। ଇମ୍ଫାଲସ୍ଥିତ ଏମ୍‌ସି ମେରୀକମ୍‌ ଏକାଡେମୀରେ ଟ୍ରେନିଂ ନେଉଥିବା ଚାନୁ ଏବଂ ଏସିଆନ ଜୁନିୟର ଚାମ୍ପିୟନ ଉଜ୍‌ବେକିସ୍ତାନର ସାବିନା ବୋବୋକୁଲୋଭାଙ୍କ ମଧ୍ୟରେ ଫାଇନାଲ ମୁକାବିଲା ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲା। ଭାରତୀୟ ବକ୍ସର ଏହି ବାଉଟ୍‌ ୩-୨ରେ ବିଜୟୀ ହୋଇଥିଲେ। କିନ୍ତୁ ଲକି ଫିନ୍‌ଲାଣ୍ଡ ବକ୍ସର ଲିଆ ପୁକିଲାଙ୍କଠାରୁ ୫-୦ରେ ପରାଜିତ ହୋଇ ଏକ ରୌପ୍ୟ ପାଇଥିଲେ। ଏହି ଟୁର୍ନାମେଣ୍ଟରେ ପୂର୍ବରୁ ଅନ୍ୟ ଭାରତୀୟ ମହିଳା ବକ୍ସର ଅଲ୍‌ଫିୟା ପଠାନ (୮୧କେଜି+), ବିନ୍‌କା (୬୦କେଜି) ଏବଂ ଟି. ସାନାମାଚା ଚାନୁ(୭୫କେଜି)ପ୍ରମୁଖ ସେମାନଙ୍କ କାଟେଗୋରିରେ ସ୍ବର୍ଣ୍ଣ ଜିତି ସାରିଥିଲେ। ଚମତ୍କାର ପ୍ରଦର୍ଶନ ପାଇଁ ବିନ୍‌କା ଟୁର୍ନାମେଣ୍ଟର ଶ୍ରେଷ୍ଠ ମହିଳା ବକ୍ସର ବିବେଚିତ ହୋଇଥିଲେ। ଅନ୍ୟପକ୍ଷରେ ପୁରୁଷ ବିଭାଗରେ ଭାରତୀୟ ବକ୍ସରମାନେ ୨ ପଦକ ଜିତିଛନ୍ତି। ଫଳରେ ଓଭର ଅଲ୍‌ ଷ୍ଟାଣ୍ଡିଂରେ ମୋଟ ୧୨ ପଦକ ଲାଭ କରି ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଉଜ୍‌ବେକିସ୍ତାନ ଓ ୟୁକ୍ରେନ ଯଥାକ୍ରମେ ପ୍ରଥମ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Share