Categories: ଖେଳ

ମୋହନବାଗାନକୁ ୭ ମାସ ପରେ ଆଇ-ଲିଗ୍‌ ଟ୍ରଫି

କୋଲକାତା, ୧୯ା୧୦ (ପି.ଟି.): ଆଇ-ଲିଗ୍‌ ଚାମ୍ପିୟନ ହେବାର ୭ ମାସ ପରେ ମୋହନବାଗାନକୁ ଶେଷରେ ଟ୍ରଫି ମିଳିଛି। ରବିବାର ଏଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ଦଳକୁ ଏହା ପ୍ରଦାନ କରାଯାଇଛି। ମାର୍ଚ୍ଚ ୧୦ରେ ଗୋଲ୍‌ରେ ପୂର୍ବତନ ଚାମ୍ପିୟନ ଆଇଜଲ ଏଫ୍‌ସିକୁ ୧-୧୦ ଗୋଲରେ ପରାସ୍ତ କରିବା ପରେ ମୋହନବାଗାନ ଆଉ ୪ ରାଉଣ୍ଡ ଖେଳ ବାକି ଥାଇ ଆଗୁଆ ଟାଇଟଲ ବିଜୟୀ ହୋଇ ସାରିଥିଲା। କୋଭିଡ୍‌-୧୯ ମହାମାରୀ ଯୋଗୁ ଟ୍ରଫି ପ୍ରଦାନ ଉତ୍ସବ ଆୟୋଜନ ହୋଇପାରି ନ ଥିଲା। ରବିବାର ଆଇ-ଲିଗ୍‌ ସୁଇଓ ସୁନନ୍ଦୋ ଧର୍‌ ବିଜୟୀ ଦଳର ଖେଳାଳି ଓ ଅଫିସିଆଲଙ୍କୁ ଟ୍ରଫି ହସ୍ତାନ୍ତର କରିଛନ୍ତି। ଏହି ଅବସରରେ କ୍ଲବର ସଭାପତି ସ୍ବପନ ସାଧନ ବୋଷ ଏବଂ ପଶ୍ଚିମବଙ୍ଗ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଅନୁପ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ। ଆଇ-ଲିଗ୍‌ ବିଜୟୀ କୋଚ୍‌ କିବୁ ଭିକୁନା ଏବଂ ତାଙ୍କ ଡେପୁଟି ରଞ୍ଜନ ଚୌଧୁରୀ, ଡିଫେଣ୍ଡର ଧନଚନ୍ଦ୍ର ସିଂ ଏବଂ କେତେଜଣ ସପୋର୍ଟ ଷ୍ଟାଫ୍‌ ସଦସ୍ୟ ଉପସ୍ଥିତ ଥିଲେ। ଚାମ୍ପିୟନ ଏଟିକେ ସହ ମିଶ୍ରଣ ପରେ ମୋହନବାଗାନ ବର୍ତ୍ତମାନ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଯୋଗ ଦେଇଛି। କୋଭିଡ୍‌ ସ୍ବାସ୍ଥ୍ୟ ପ୍ରୋଟୋକଲ ଦୃଷ୍ଟିରୁ କ୍ଲବ ତରଫରୁ ଏକ ୫ତାରକା ହୋଟେଲରେ ବଛା ବଛା ଆମନ୍ତ୍ରିତଙ୍କୁ ନେଇ ଉତ୍ସବର ଆୟୋଜନ କରାଯାଇଥିଲା। ପରେ ଟ୍ରଫିକୁ ଏକ ଖୋଲା ଯାନରେ ନେଇ ବିଜୟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ସ୍ବାସ୍ଥ୍ୟ ଗାଇଡ୍‌ ଲାଇନ୍‌କୁ ଭ୍ରୂକ୍ଷେପ ନ କରି ହଜାର ହଜାର ସଂଖ୍ୟକ ସମର୍ଥକ ବିଜୟ ଉତ୍ସବରେ ସାମିଲ ହୋଇଥିଲେ। ବର୍ତ୍ତମାନ ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ଅନେକ ସମର୍ଥକ ବିନା ମାସ୍କରେ ଗଳି ରାସ୍ତାରେ ନୃତ୍ୟଗୀତରେ ମଜ୍ଜି ଯାଇଥିଲେ। ଟ୍ରଫି ଶୋଭାଯାତ୍ରା ଏଇଏମ୍‌ ବାଇପାସ୍‌୍‌, ଶାମ୍‌ ବଜାର, ଗିରିଶ ପାର୍କ ଏବଂ ଧରମତାଲା ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଦେଇ ଯାଇଥିଲା।

Share