ଭୁବନେଶ୍ୱର,୯ା୫(ସୁନିତ୍ ମିଶ୍ର):କୋଲକାତାଠାରେ ଶୁକ୍ରବାର ଭାଜପା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ବୈଠକରେ ଯୋଗଦେଇଥିଲେ। ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କୁ ଭାଜପା ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି। ଏହି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବାଛିବା ଲାଗି ଶାହାଙ୍କୁ ପର୍ଯ୍ୟବେକ୍ଷକ ଏବଂ ମୋହନଙ୍କୁ ସହପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି। ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯିବା ପରେ ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧନ କରିବାକୁ ଯାଇ ମୋହନ ଚରଣ ମାଝୀ କହିଛନ୍ତି, ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା। ଏହିଦିନକୁ ସମ୍ଭବ କରିବା ପାଇଁ ଭାଜପାର ସବୁ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଯେତେ ଧନ୍ୟବାଦ ଦେଲେ କମ୍ ହେବ। ପଶ୍ଚିମବଙ୍ଗରେ ୨୦୧୧ରେ ମାତ୍ର ୩ ଆସନରୁ ଆସି ଏବେ ୨୦୭ ଆସନରେ ପହଞ୍ଚତ୍ବା ସବୁ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଲାଗି ଏକ ଅବିସ୍ମରଣୀୟ ଯାତ୍ରା। ଏଥିଲାଗି ମହାପ୍ରଭୁଙ୍କୁ କୋଟି କୋଟି ପ୍ରଣାମ।
ସେ ଆହୁରି କହିଛନ୍ତି, ଉଭୟ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଲୋକମାନେ ଶ୍ରୀଜଗନ୍ନାଥଙ୍କୁ କେବଳ ଭକ୍ତି କରନ୍ତି ନାହିଁ ବରଂ ହୃଦୟରୁ ଭଲ ପାଆନ୍ତି। ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଆଗକୁ ଉଭୟ ରାଜ୍ୟ ଭିତରେ ସ୍ନେହ ଓ ସମ୍ପର୍କ ଆହୁରି ବୃଦ୍ଧିହେବ। ବଙ୍ଗଳାର ଏହି ରୂପ ଦେଖିବା ଲାଗି ଦଳର ସଂସ୍ଥାପକ ଶ୍ୟାମାପ୍ରସାଦ ମୁଖାର୍ଜୀ ସବୁବେଳେ ଚାହୁଁଥିଲେ। ତାଙ୍କୁ ପଶ୍ଚିମବଙ୍ଗ ଲାଗି ଯେଉଁ ଦାୟିତ୍ୱ ମିଳିଛି ସେଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୋଦିଙ୍କ ମାର୍ଗଦର୍ଶନ ଏବଂ ଶାହାଙ୍କ ରଣନୀତି ଲାଗି ଭାଜପା ପାଇଁ କିଛି ଅସମ୍ଭବ ନୁହେଁ। ଶୁଭେନ୍ଦୁ ଅଧିକାରୀ ଯେଉଁଭଳି ତୃଣମୂଳ କଂଗ୍ରେସର ସାମ୍ନାକଲେ, ସେଥିଲାଗି ତାଙ୍କୁ ବହୁ ଧନ୍ୟବାଦ। ଭାଜପା ସରକାର ଆସିବା ପରେ ଏଠାରେ ଶାନ୍ତି ସ୍ଥାପନ ହେବ ଏବଂ ବିକାଶ ଆଗକୁ ବଢ଼ିବ। କେବଳ କେରଳମ୍ ଏବଂ ତାମିଲନାଡୁକୁ ଛାଡ଼ି ଦେଲେ ଭାଜପା ବର୍ତ୍ତମାନ ସବୁ ରାଜ୍ୟରେ ସରକାରରେ ଅଛି କିମ୍ବା ମୁଖ୍ୟ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଛି। ପଶ୍ଚିମବଙ୍ଗକୁ ୩ ଥର ପ୍ରଚାର କରିବାକୁ ଆସିଛନ୍ତି। ତାଙ୍କ ସହ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ, ଏମ୍ପି ଏବଂ ୫୦୦ରୁ ଅଧିକ କର୍ମକର୍ତ୍ତା ପ୍ରଚାରରେ ସାମିଲ ହୋଇଥିଲେ। ସେ ଯେଉଁ ୬ଟି ଆସନରେ ପ୍ରଚାର କରିଥିଲେ ସେଥିରୁ ୫ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ବଙ୍ଗଳା ଜନସାଧାରଣ ବିକାଶ ଏବଂ ଶାନ୍ତି ପାଇଁ ଚାହିଁ ବସିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।