ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମ କେବଳ ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ ନଥିଲା, ଏହା ଥିଲା ରାଷ୍ଟ୍ର ଗଠନର ପ୍ରଥମ ପାହାଚ ।
ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ପ୍ରାଥମିକ ଶିକ୍ଷାକୁ ମଜବୁତ କରିବା ପାଇଁ ୨,୨୦୦ଟି ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନିର୍ମାଣ କରାଯିବ। ଏହା ସହ ଗତ ଦୁଇ ବର୍ଷରେ ୨୬ ହଜାର ଶିକ୍ଷକ-ଶିକ୍ଷୟତ୍ରୀ ନିଯୁକ୍ତ ହୋଇଥିବା ଓ ଆଗାମୀ ଦିନରେ ଆଉ ୪୫ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ଦାବି କରିଥିଲେ।
ଯୁବବର୍ଗଙ୍କୁ ସରକାରୀ ଚାକିରିରେ ଅଧିକ ସୁଯୋଗ ଦେବା ପାଇଁ ସର୍ବାଧିକ ବୟସ ସୀମା ୩୨ରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ସହ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଥିବା ସର୍ବାଧିକ ୬ଟି ସୁଯୋଗର ସୀମା ହଟାଇବାକୁ ଘୋଷଣା କରାଯାଇଛି। ଏଣିକି ନିର୍ଦ୍ଧାରିତ ସର୍ବୋଚ୍ଚ ବୟସ ସୀମା ପର୍ଯ୍ୟନ୍ତ ପ୍ରାର୍ଥୀମାନେ ପରୀକ୍ଷା ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।