Categories: ଫୁରସତ

ଓଡ଼ିଶା ବିକାଶ ପଥରେ ମୋଦିଜୀଙ୍କ ୫ଜି ରଥ

ନୂଆବର୍ଷ ଦିନ ମୁଁ ଜଣେ ବନ୍ଧୁଙ୍କୁ ଦେଖାକରିବା ପାଇଁ ନିଜ ଗାଡ଼ିରେ ଯାଉଥାଏ। ଦେଖିଲି, ମୁଖ୍ୟ ରାସ୍ତାରେ ଅସମ୍ଭବ ଟ୍ରାଫିକ୍‌ ଭିଡ଼। ଭିଡ଼ରୁ ବର୍ତ୍ତିବା ପାଇ ମୁଁ ଗାଡ଼ିରୁ ଓହ୍ଲାଇ ପଡ଼ି ଅଟୋରିକ୍ସା କରିବି ବୋଲି ସ୍ଥିର କଲି। ଅଟୋ ଡ୍ରାଇଭରଙ୍କୁ ଗଳିବାଟ ବତାଇବା ବେଳେ ମୁଣ୍ଡରେ ଗୋଟାଏ କଥା କିନ୍ତୁ ମୋର ଖେଳୁଥାଏ – ପେମେଣ୍ଟ କରିବି କେମିତି। କାରଣ ମୋର ଧାରଣା ଥିଲା, ପେମେଣ୍ଟ କ୍ୟାସ୍‌ରେ ଦେବାକୁ ପଡ଼ିବ। ଆଉ ମୋ ପାଖରେ କ୍ୟାସ୍‌ ନ ଥିଲା। ମୋର ୭୦ ଟଙ୍କାର ଭଡ଼ା ହେଉଥାଏ, ହଠାତ୍‌ ଅଟୋଚାଳକ ମୋତେ ପଚାରିଲେ, ”ସାର୍‌! ଫୋନ୍‌ରେ ପେମେଣ୍ଟ କରିବେ“? ମୋ ସୁରକ୍ଷା ଅଧିକାରୀ ସଙ୍ଗେ ସଙ୍ଗେ ଅଟୋ ଚାଳକଙ୍କ ନମ୍ବର ନେଇ ପେମେଣ୍ଟ କଲେ, ମୋବାଇଲ୍‌ରେ ଅଟୋ ଚଳକଙ୍କ ବ୍ୟାଙ୍କ ଖାତା ନଁା ”ଶିବ ସୋନକର“ ସହ ୧୦୦ ଟଙ୍କାର ସଫଳ ବ୍ୟାଙ୍କ ପେମେଣ୍ଟର ମେସେଜ୍‌ ମଧ୍ୟ ଆସିଗଲା। ଅଟୋ ଚାଳକ ଜଣକ ନିଜ ପାଉଣା ପାଇ କହିଲା ”ଡିଜିଟାଲ ପେମେଣ୍ଟ ସବୁଠୁ ବେଷ୍ଟ, ଆପଣଙ୍କୁ ବି ସୁବିଧା ଆଉ ମୋତେ ବି ସୁବିଧା।“ ଏହି କଥା ପଦକରେ ମୁଁ ଯେତିକି ଆଶ୍ୱସ୍ତ ହେଲି ତା’ଠାରୁ ବେଶି ଆହ୍ଲାଦିତ ହେଲି।

ସମୟ ଯେତିକି ଆଗକୁ ଆଗକୁ ଯାଉଛି, ଆମ ବିଶ୍ୱ ସେତିକି ଡିଜିଟାଇଜ୍‌ ହେବାରେ ଲାଗିଛି। ‘ଡିଜିଟାଲ୍‌ ଫାଷ୍ଟ’ ଯୁଗରେ ଟଙ୍କାପଇସା ନେଣଦେଣ ଯେଉଁ ହାରରେ ଡିଜିଟାଲ ହେବାରେ ଲାଗିଛି, ଆଗକୁ ହୁଏତ ଡିଜିଟାଲ ଅର୍ଥନୀତି ନ କହି ବରଂ ଯାହା ଡିଜିଟାଲ ତାହା ହିଁ ଅର୍ଥନୀତି ବୋଲି ଧରିନିଆଯିବ। ୨ଜି, ୩ଜି, ୪ଜି ମାଧ୍ୟମରେ ଆମେ ନିକଟ ଅତୀତରେ ଟେଲିଯୋଗାଯୋଗର ବେଗ ବା ସ୍ପିଡ୍‌ରେ ଯେଉଁ ପ୍ରଦର୍ଶିତ ଅଭିବୃଦ୍ଧି ଦେଖିଆସିଛୁ, ତାହା ଆମର ସ୍ପିଡ୍‌ ଅଭିଳାଷକୁ ଆହୁିର ବେଶି ବେଶି ବଢ଼ାଇ ଚାଲିଛି। ବିଗତ ଶତାବ୍ଦୀ ଥିଲା ମେକାନିକାଲ ସ୍ପିଡ୍‌ର ଶତାବ୍ଦୀ। ଆଉ ଚଳିତ ଶତାବ୍ଦୀ ହେଉଛି ଭର୍ଚୁଆଲ ସ୍ପିଡ୍‌ର ଶତାବ୍ଦୀ। ମେକାନିକାଲରୁ ଭର୍ଚୁଆଲକୁ ଆସୁ ଆସୁ ଆମର ଏ ଯେଉଁ ଆଦର୍ଶଗତ ପରିବର୍ତ୍ତନ ହେଲା, ତାହା ଆମ ସମସ୍ତଙ୍କର କ୍ରିୟା ପ୍ରତିକ୍ରିୟା, ଆଚାର ବ୍ୟବହାରରେ ଏକ ଆମୂଳଚୂଳ ପରିବର୍ତ୍ତନ ଆଣିଛି, ଯାହାକୁ ଆମର ସାମଗ୍ରିକ ଜନସମୁଦାୟକୁ ସ୍ବୀକାର କରିବାକୁ ପଡ଼ିବ। ଏହି କ୍ରମରେ ୫ଜି କେବଳ ଏକ ବୈଷୟିକ ପରିବର୍ତ୍ତନ ନୁହେଁ, ୫ଜି ହେଉଛି ଡିଜିଟାଲ ବିଶ୍ୱର ଏକ ସୁଦୃଢ଼ ଭିତ୍ତିଭୂମି।

ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ – ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ରଙ୍କ ଏହି ଉକ୍ତି ଦଶନ୍ଧି ଦଶନ୍ଧି ଧରି ଓଡ଼ିଶାବାସୀଙ୍କ କପାଳଲିଖନ ପାଲଟି ଯାଇଥିଲା। କାଲି ପରି ଲାଗୁଛି, ଡିଡି ଓଡ଼ିଆର ୨୪ ଘଣ୍ଟିଆ ଚାନେଲର ଲୋକାର୍ପଣ ବେଳେ ତତ୍କାଳୀନ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଦିବଂଗତା ସୁଷମା ସ୍ବରାଜ କ୍ଷୋଭର ସହ ଯାହା କହିଥିଲେ ତାହାର ମର୍ମ ଥିଲା, ଭାରତର ସବୁ ଭାଷାରେ ଦୂରଦର୍ଶନର ୨୪ ଘଣ୍ଟିଆ ଚାନେଲ୍‌ ଆରମ୍ଭ ହୋଇ ସାରିଥିବା ବେଳେ ଡିଡି ଓଡ଼ିଆ କ୍ଷେତ୍ରରେ ଏହା ନ ହେବା ଏକ ବ୍ୟତିକ୍ରମ ନୁହେଁ, ବିଡମ୍ବନା ମଧ୍ୟ। ଭାତହାଣ୍ଡିରୁ ଭାତଟିଏ ଚିପିବା ଭଳି ଏ ଘଟଣା। ଅନେକ ଦଶନ୍ଧି ଧରି କେନ୍ଦ୍ରରେ ରାଜ୍‌ କରୁଥିବା ଶାସକ ଦଳମାନେ ଓଡ଼ିଶାକୁ ଏକ ଟେକେନ୍‌ ଫର୍‌ ଗ୍ରାଣ୍ଟେଡ୍‌ ଷ୍ଟେଟ୍‌ ଭାବେ ସତେ ଯେମିତି ଧରି ନେଇଥିଲେ। ଦଶନ୍ଧି ଦଶନ୍ଧିର ଉପେକ୍ଷା ଓ ଅବହେଳା ଯୋଗୁ ମୋବାଇଲ୍‌ ସେବା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ପଡ଼ି ରହିଥିଲା, ଫଳତଃ ଓଡ଼ିଶାରେ ୬୦୯୯ ଗଁା ଗତବର୍ଷ ଯାଏ ମୋବାଇଲ୍‌ ସେବା ପାଇ ପାରୁ ନ ଥିଲେ। ସୁଖର କଥା ଆମ ରାଜ୍ୟ ପାଇଁ ସେ ଅବହେଳା ଓ ଅଣଦେଖା ଯୁଗ ଆଉ ନାହିଁ। ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇ ସାରିଛନ୍ତି। ଏହି କ୍ରମରେ ଭାରତର ଅନ୍ୟ ବହୁ ରାଜ୍ୟ ପୂର୍ବରୁ ଆଜି ଓଡ଼ିଶାରେ ଆରମ୍ଭ ହେଉଛି ୫ଜି ସେବା।
ଏକ ଗତିଶୀଳ ଦେଶର ମୁଖ୍ୟସ୍ରୋତରେ ସମସ୍ତଙ୍କୁ ସମ୍ମିଳିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଦୂରଦୃଷ୍ଟି ଓ ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରଚେଷ୍ଟାରେ ୨୦୨୨ରେ ଓଡ଼ିଶାକୁ ୩୨୧୯ କୋଟି ବ୍ୟୟରେ ୩୯୩୩ଟି ମୋବାଇଲ ଟାଓ୍ବାର ପ୍ରତିଷ୍ଠା ଆରମ୍ଭ କରାଯାଇଥିଲା, ପରେ USOF-LWE Phase ୨ରେ ଅତିରିକ୍ତ ୪୮୩ଟି ଟାଓ୍ବାର ଓଡ଼ିଶାର ମାଓବାଦୀ ପ୍ରବଣ ଜିଲାଗୁଡିକରେ ମଧ୍ୟ ସ୍ଥାପନ କରାଯାଉଛି। ଏହି କ୍ରମରେ ଓଡ଼ିଶାର ୬୦୯୯ ଅଣସେବାପ୍ରାପ୍ତ ଗାଁରୁ ୪୪୧୩ ଗାଁକୁ ମୋବାଇଲ ସେବା ପହଞ୍ଚାଇ ଦିଆଯାଇ ସାରିଲାଣି । USOF ଆସନ୍ତା ଦିନଗୁଡିକରେ ଏହା ବିଏସ୍‌ଏନ୍‌ଏଲ୍‌ ଦ୍ୱାରା ଆରମ୍ଭ କରାଯିବ, ବିଏସ୍‌ଏନ୍‌ଏଲ୍‌ ଦ୍ୱାରା ତ୍ୱରାନ୍ବିତ ହେବା ପରେ ଓଡ଼ିଶାର ସମସ୍ତ ଜନବସତି ମୋବାଇଲ ସେବା ପାଇପାରିବେ ା ଦେଶର ସମସ୍ତ ୨.୬ ଲକ୍ଷ ଗ୍ରାମପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇବା ପାଇଁ ୨୨, ୬୭୬ କୋଟି ବ୍ୟୟରେ ଭାରତନେଟ୍‌ ପ୍ରକଳ୍ପ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି। ଓଡ଼ିଶାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୬୭୫୬ ଗ୍ରାମପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ୨,୫୧୧ଟି ଗ୍ରାମପଞ୍ଚାୟତରେ ଓ୍ବାଇ-ଫାଇ ହଟସ୍ପଟ୍‌ ସ୍ଥାପନ କରାଯାଇ ସାରିଛି। କେନ୍ଦ୍ର କ୍ୟାବିନେଟ୍‌ ଓଡ଼ିଶା ସମେତ ଦେଶର ସମସ୍ତ ରାଜସ୍ବ ଗ୍ରାମକୁ ସଂଯୋଗ କରିବା ପାଇଁ ଭାରତନେଟ୍‌ର ପରିସୀମାକୁ ବୃଦ୍ଧି କରିଛି ।

ଦୂର ଓ ଦୁର୍ଗମ ଅଞ୍ଚଳଗୁଡିକରେ ୫/୪ଜି ସେବା କେବଳ ମୋବାଇଲ ସମ୍ପର୍କ ସୃଷ୍ଟି କରିବା ଲକ୍ଷ୍ୟନେଇ ନୁହେଁ ବରଂ ସେହି ଅଞ୍ଚଳଗୁଡିକୁ ପ୍ରଶସ୍ତି ଓ ପ୍ରଗତିର ପଥ ଉନ୍ମୋଚନ କରିବା ଲକ୍ଷ୍ୟ ନେଇ କରାଯାଉଛି । ଆମ ରାଜ୍ୟ ତଥା ଦେଶର ସମସ୍ତ ଗାଁଗଣ୍ଡା, ଜଙ୍ଗଲ, ଟାପୁ, ହ୍ରଦ, ଦ୍ୱୀପ ଓ ସୀମାବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ସିଧା ଯୋଗସୂତ୍ର । ଗରିବ କଲ୍ୟାଣର ଲକ୍ଷ୍ୟ ନେଇ ଚାଲୁଥିବା ମୋଦି, ସମସ୍ତ ସରକାରୀ ଯୋଜନାଗୁଡିକୁ ଇଣ୍ଟରନେଟ୍‌ ମାଧ୍ୟମରେ ଲୋକପ୍ରିୟ ଓ ଲୋକାଦୃତ କରିପାରିଛନ୍ତି । ସମଗ୍ର ଶାସନ ବ୍ୟବସ୍ଥା ଓ ନାଗରିକ ସୁବିଧାକୁ ୫ଜି ପୂରାପୂରି ବଦଳାଇ ଦେବ ା ଷ୍ଟାର୍ଟଅପ୍‌ଗୁଡିକ ପାଇଁ ଏହା ସଞ୍ଜୀବନୀ ପାଲଟିବ । ଛାତ୍ରୀଛାତ୍ର, ମହିଳା ବିଶେଷକରି ଯୁବବର୍ଗଙ୍କୁ ସଶକ୍ତ କରିବାରେ ୫ଜି ହିଁ ସବୁଠୁ ବଡ଼ ଭୂମିକା ନେବ । ଓଡ଼ିଶାର ମାଛ ଚାଷ ହେଉ ଅବା ସ୍ଥାନୀୟ ଶିଳ୍ପ, ପର୍ଯ୍ୟଟନ ହେଉ ଅବା ଓଡ଼ିଆ ହାତତିଆରି ସାମଗ୍ରୀ ଅବା ଡ୍ରୋନ୍‌ ମାଧ୍ୟମରେ ରୋଗୀଙ୍କୁ ଔଷଧ ଯୋଗାଣ ୫ଜିର ଡିଜିଟାଲ ପ୍ଲାଟଫର୍ମ ଯୋଗେ ଆମ ଉଦ୍ୟୋଗୀମାନେ ସ୍ପିଡ୍‌ ସାଙ୍ଗେ ସାଲିସ୍‌ ନ କରି ବିଶ୍ୱର କୋଣ ଅନୁକୋଣରେ ନିଜ ନିଜର ସେବା ଓ ଉତ୍ପାଦ ସବୁକୁ ଗୋଟିଏ କ୍ଲିକ୍‌ରେ ପହଞ୍ଚାଇ ଦେଇପାରିବେ ।

୫ଜିର ବୈଶିଷ୍ଟ୍ୟଗୁଡିକ ଯଥା ଦ୍ରୁତ ଇଣ୍ଟରନେଟ୍‌ କମ୍‌ ଲାଟେନ୍ସି ଓ ଅଧିକ କନେକ୍‌ଶନ ଡେନ୍ସିଟି ଯୋଗୁ ସ୍ବାସ୍ଥ୍ୟସେବାର ଅନେକ କ୍ଷେତ୍ରରେ ଏହା ମୂଲ୍ୟବାନ ପ୍ରମାଣିତ ହେବ, ଯେଉଁଥିରେ ଟେଲିସ୍ବାସ୍ଥ୍ୟ, ରିମୋଟ୍‌ ସର୍ଜରି, ସୁବିଧାରେ ବଡ଼ଡାକ୍ତରୀ ଫାଇଲ ସ୍ଥାନାନ୍ତରଣ, ରୋଗୀର ଗତିବିଧି ଟ୍ରାକିଂ, ପ୍ରକୃତ ସମୟ ମନିଟରିଂ ପାଇଁ ପରିଧାନ ଯୋଗ୍ୟ ଉପକରଣ ବ୍ୟବହାର ଏବଂ ରୋଗୀଙ୍କୁ ନିରନ୍ତର ଚିକିତ୍ସା ସୂଚନା ଏବଂ ସମର୍ଥନ ପ୍ରଦାନ କରିବା ଅନ୍ତର୍ଭୁକ୍ତ। ଏହା ସହ ସ୍ମାର୍ଟ ଆମ୍ବୁଲାନ୍ସ ସାଙ୍ଗକୁ ଦୁର୍ଗମ ଅଞ୍ଚଳରେ ଚିକିତ୍ସା ସୁବିଧା, ଭିଡିଓ ମାଧ୍ୟମରେ ଟେଲି-ସ୍ବାସ୍ଥ୍ୟସେବା ଆଦି କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିବ ୫ଜି। ସଂକ୍ଷେପରେ ୫ଜି ଏକ ନୂତନ ସ୍ବାସ୍ଥ୍ୟ ଇକୋସିଷ୍ଟମକୁ ସକ୍ଷମ କରିବା ପାଇଁ ଅତ୍ୟାବଶ୍ୟକ ସ୍ତରର ସଂଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଉଛି- ଯାହା ସ୍ଥାନ କାଳ ବିଶେଷରେ ରୋଗୀ ଏବଂ ସ୍ବାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ଠିକ୍‌, ଦକ୍ଷ, ସୁବିଧାଜନକ, ସୁଲଭ, ପ୍ରଭାବଶାଳୀ ଏବଂ ଅନୁଯାୟୀ ସ୍କେଲ୍‌ରେ ସଂଯୋଗ କରିପାରିବ । ଏଆର୍‌/ଭିଆର୍‌ ଟେକ୍ନୋଲୋଜିକୁ ନେଇ ମହାପ୍ରଭୁଙ୍କ ରଥଯାତ୍ରାକୁ ଏଣିକି ସମସ୍ତେ ପ୍ରତ୍ୟକ୍ଷ ଦର୍ଶନର ଅନୁଭବ କରିପାରିବେ, ପୃଥିବୀର ଯେକୌଣସି ସ୍ଥାନରେ ଥାଇ ମଧ୍ୟ । ସ୍ମାର୍ଟ ସିଟିଗୁଡ଼ିକୁ ଆହୁରି ସ୍ମାର୍ଟ କରିବ ୫ଜି । ସ୍ମାର୍ଟ ସିଓ୍ବେଜ୍‌, ସ୍ମାର୍ଟ ଓ୍ବାଟର ମ୍ୟାନେଜମେଣ୍ଟ, ସ୍ମାର୍ଟ ଭିତ୍ତିଭୂମି ସାଙ୍ଗକୁ ସ୍ମାର୍ଟ ହେଲ୍‌ଥ କେୟାର ଏ ସବୁ କିଛି ସମ୍ଭବ ହେବାକୁ ଯାଉଛି ଖୁବ୍‌ ଶୀଘ୍ର ।

ଆସନ୍ତା ୫ବର୍ଷ ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହେବ। କାରଣ ଏହି ଅବଧିରେ ହିଁ ୫ଜି ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ। ଆଉ ଓଡ଼ିଶା ପାଇଁ ଏହା ଆହୁରି ଅଧିକ ଗୁରୁତ୍ୱ ବହନ କରିବ, କାରଣ ୫ଜି ଜରିଆରେ ହିଁ ଓଡ଼ିଶା ନିଜର ଡିଜିଟାଲ ତଥା ଟେକ୍ନୋଲୋଜିକାଲ ଗ୍ୟାପ୍‌କୁ ଅତିକ୍ରମ କରିଯାଇ ପାରିବ। ଦେଶର ଅନ୍ୟ ଆଗୁଆ ରାଜ୍ୟଗୁଡ଼ିକ ସଙ୍ଗେ ସମକକ୍ଷ ହୋଇପାରିବ। ଶିକ୍ଷା ସାଙ୍ଗକୁ ଦକ୍ଷତା ବିକାଶ, ନିଯୁକ୍ତି, ଏପରି କି ଆତ୍ମନିର୍ଭରଶୀଳତାରେ ଓଡ଼ିଶା ଆଶାଠାରୁ ବେଶି ସଫଳତା ସାଉଁଟି ପାରିବ। ରାୟଗଡ଼ା ଭଳି ଆକାଂକ୍ଷୀ ଜିଲାର ଅପହଞ୍ଚ ଇଲାକାର ଜଣେ ଜନଜାତି ଅଧିବାସୀଙ୍କୁ ମଧ୍ୟ ଗୋଟିଏ କ୍ଲିକ୍‌ରେ ସାରା ପୃଥିବୀର ଯେକୌଣସି ସ୍ଥାନର ଯେକୌଣସି ବ୍ୟକ୍ତି, ସଂସ୍ଥା ଅବା ସମୁଦାୟକୁ ସମ୍ପର୍କ ସ୍ଥାପନ କରିବାର ସୁଯୋଗ ମିଳିପାରିବ। ଏହା ହିଁ ହେବ ଓଡ଼ିଶା ବିକାଶର ପ୍ରକୃତ ମଡେଲ।

ପଶୁପାଳନକୁ ଫୋକସ୍‌ରେ ରଖି ଭାରତର ଏକ ଅଗ୍ରଣୀ ଘରୋଇ କମ୍ପାନୀ ୫ଜି କାମଧେନୁ ବୋଲି ଅଭିହିତ କରିବା ସୂଚାଉଛି ଯେ, ଏହି ନୂଆ ଟେକ୍ନୋଲୋଜିର କେତେ ସୁଦୂରପ୍ରସାରୀ ଉପଯୋଗିତା ରହିଛି। ଦେଶର କୋଟି କୋଟି ପଶୁସମ୍ପଦ ଉପରେ ନିରନ୍ତର ଦୃଷ୍ଟି ରଖିବା ସାଙ୍ଗକୁ ଲମ୍ପି ରୋଗ ଭଳି ପଶୁମାନଙ୍କର ବିଭିନ୍ନ ରୋଗ ନିରାକରଣ ତଥା ଗର୍ଭଧାରଣ, ପୋଷଣ ଆଦିକୁ ଟ୍ରାକ୍‌ କରିବା ଆଉ ଅସମ୍ଭବ ନୁହେଁ। ସେହିପରି ରିଅଲ ଟାଇମ୍‌ରେ ଚାଷବାସ ଓ ପାଣିପାଗର ଅପଡେଟ୍‌, ମୃତ୍ତିକାର ଯାଞ୍ଚ, ଡ୍ରୋନ୍‌ ଯୋଗେ ଫସଲର ରୋଗପୋକ ନିୟନ୍ତ୍ରଣ ଭଳି କାର୍ଯ୍ୟ ଆହୁରି ଉଚ୍ଚକୋଟୀର ହୋଇପାରିବ ୫ଜି ବଳରେ। ମୋଟାମୋଟି ଭାବେ କହିଲେ, ଗ୍ରାମୀଣ ଓଡ଼ିଶାରେ ଇଜ୍‌ ଅଫ୍‌ ଲିଭିଂକୁ ସୁନିଶ୍ଚିତ କରିବା ପାଇଁ ସଶକ୍ତ ଅସ୍ତ୍ର ପାଲିଟିବ ୫ଜି ଟେକ୍ନୋଲୋଜି।

ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳର ସମସ୍ତ ଛାତ୍ରୀଛାତ୍ର ଏବଂ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଉଚ୍ଚ ମାନର ସୁଲଭ ଶିକ୍ଷା ପ୍ରଦାନ କରିବାକୁ ମୋଦି ସରକାରଙ୍କର ଏକ ବିରାଟ ଲକ୍ଷ୍ୟ ରହିଛି। ୫ଜି ଏ ଦିଗରେ ଏକ ଗେମ୍‌ ଚେଞ୍ଜର ହୋଇପାରିବ। ୫ଜି ଭର୍ଚୁଆଲ୍‌ ଶ୍ରେଣୀଗୃହ, ଲାଇବ୍ରେରି, ଭର୍ଚୁଆଲ ଲାବ୍‌ (ସିମୁଲେଶନ) ଏବଂ ରିମୋଟ ନିୟନ୍ତ୍ରିତ ଲାବ୍‌ ଆମ ଦେଶର ଶିକ୍ଷା ବ୍ୟବସ୍ଥାକୁ ନୂଆ ଦିଗନ୍ତ ପ୍ରଦାନ କରିବ। ଡିଜିଟାଲ ଡିଭାଇଡକୁ ଦୂର କରିବାରେ ୫ଜି ହିଁ ସହାୟକ ହେବ। ସୁଗମ ହେଉ କି ଦୁର୍ଗମ ଓଡ଼ିଶାର କୌଣସି ଅଞ୍ଚଳର ଛାତ୍ରୀଛାତ୍ର ଆଉ ଗୁଣାତ୍ମକ ଶିକ୍ଷାରୁ ବଞ୍ଚତ୍ତ ହୋଇ ରହିବେ ନାହିଁ। ପ୍ରତ୍ୟେକ ବିଦ୍ୟାର୍ଥୀ ନିଜ ଘର/ ଅନୁଷ୍ଠାନରେ ରହି ଦେଶ ତଥା ବିଶ୍ୱର ଟପ୍‌ କମ୍ପାନୀଗୁଡ଼ିକରେ ଭର୍ଚୁଆଲ୍‌ ଇଣ୍ଟର୍ନଶିପ କରିପାରିବେ। ଦୂରଦୂରାନ୍ତରକୁ ଭର୍ଚୁଆଲ ଫିଲ୍ଡ ଟ୍ରିପ୍‌ରେ ବି ଯାଇପାରିବେ, ଅସଂଖ୍ୟ ଡାଟାକୁ ରିଅଲ ଟାଇମ୍‌ରେ ବିଶ୍ଳେଷଣ କରି ଗବେଷଣାର ମାନକୁ ବଢ଼ାଇ ପାରିବେ। ‘ସ୍ବୟମ’ ପୋର୍ଟାଲରୁ ମନ ମୁତାବକୁ ଆଡଭାନ୍ସଡ୍‌ କୋର୍ସ ମଧ୍ୟ କରିପାରିବେ। ଏତଦ୍‌ ବ୍ୟତୀତ ଉଭୟ ଆଧୁନିକ ଏବଂ ପାରମ୍ପରିକ ଶିକ୍ଷା କ୍ଷେତ୍ରରେ ଭାରତର ପ୍ରଜ୍ଞା ଏଣିକି ସମଗ୍ର ବିଶ୍ୱରେ ପହଞ୍ଚତ୍ପାରିବ।

ସମଗ୍ର ଶିକ୍ଷାର ପୂର୍ଣ୍ଣ ରୂପାୟନ ସାଙ୍ଗକୁ ମୋଦିଜୀଙ୍କ ଗରିବ କଲ୍ୟାଣର ପରିକଳ୍ପନାକୁ ଆମେ ୫ଜି ବଳରେ ସାକାର କରିପାରିବା। କମନ ସର୍ଭିିସ ସେଣ୍ଟରର ଏକ ବିସ୍ତୃତ ନେଟଓ୍ବର୍କ ଗରିବମାନଙ୍କୁ ବିଶେଷ କରି ଦୁର୍ଗମ ଅଞ୍ଚଳର ଅଧିବାସୀଙ୍କୁ ବରଦାନ ସଦୃଶ ହେବ। ଫସଲ ବୀମା ପଞ୍ଜୀକରଣ, ପିଏମ୍‌ଇଏ ନାମାଙ୍କନ, ପେନ୍‌ସନ୍‌ ପଞ୍ଜୀକରଣ, ଇ-ଶ୍ରମ ଏବଂ ଜାତୀୟ କ୍ୟାରିୟର ସେବା ପଞ୍ଜୀକରଣ ଭଳି ଲୋକାଭିମୁଖୀ କାର୍ଯ୍ୟ ଆହୁରି ଅଧିକ ସୁରୁଖୁରୁରେ ହେବ।

ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପାଇଁ ୫ଜି ସେବାର ଶୁଭାରମ୍ଭ ସତରେ ଏକ ସ୍ମରଣୀୟ ମୁହୂର୍ତ୍ତ। ୫ଜିର ସ୍ପିଡ୍‌ ଓ କନେକ୍ଟିଭିଟି ଭବିଷ୍ୟତରେ ସାରା ଓଡ଼ିଶାକୁ ଗୋଟିଏ ପରିବାରରେ ପରିଣତ କରିବ, ଏହା ନିଃସନ୍ଦେହ। ଡେଲିଭରି ନୁହେଁ, ଫାଷ୍ଟ ଡେଲିଭରିର ଯୁଗରେ ଆମେ ପ୍ରବେଶ କରିସାରିଛେ। ଏହି ଫାଷ୍ଟ ଡେଲିଭରିକୁ ସୁନିଶ୍ଚିତ କରିବ ବ୍ୟାପକ ଡିଜିଟାଲ କନେକ୍ଟିଭିଟି। ଲୋକେ ଯେତିକି ଅଧିକ କନେକ୍ଟ ହେବେ, ସେତିକି ଅଧିକ ସଶକ୍ତ ହେବେ, ଆତ୍ମନିର୍ଭର ହେବେ। ୨୦୧୪ରେ ମାତ୍ର ୬ କୋଟି ବ୍ରଡବ୍ୟାଣ୍ଡ ୟୁଜର ଥିଲେ, ଯାହା ଆଜି ବୃଦ୍ଧି ପାଇ ୮୦ କୋଟିରୁ ଅଧିକ ହୋଇସାରିଛନ୍ତି। ସେହିପରି ୨୦୧୪ରେ ଦେଶରେ ମାତ୍ର ୨୫ କୋଟି ଇଣ୍ଟରନେଟ୍‌ ସଂଯୋଗ ଥିଲା, ଆଜି ଏହି ସଂଖ୍ୟା ପାଖାପାଖି ୮୫ କୋଟି। ଉଲ୍ଲେଖଯୋଗ୍ୟ ଯେ, ସହରୀ ଇଣ୍ଟରନେଟ୍‌ ୟୁଜରମାନଙ୍କୁ ସଂଖ୍ୟାରେ ଟପିବାକୁ ବସିଲେଣି ଆମ ଗ୍ରାମାଞ୍ଚଳ ୟୁଜରମାନେ। ୨ଜି, ୩ଜି, ୪ଜି ଲଞ୍ଚ ସମୟରେ ଭାରତ ଟେକ୍ନୋଲୋଜି କ୍ଷେତ୍ରରେ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ଥିଲା। କିନ୍ତୁ ୫ଜି କ୍ଷେତ୍ରରେ ଆମେ ଆତ୍ମନିର୍ଭରତାର ପ୍ରମାଣ ଦେଇ ନୂଆ ଇତିହାସ ରଚିଛୁ। ପ୍ରଥମଥର ପାଇଁ ଟେଲିକମ୍‌ ଟେକ୍ନୋଲୋଜିରେ ବୈଶ୍ୱିକ ମାନ ବା ଗ୍ଲୋବାଲ ଷ୍ଟାଣ୍ଡାର୍ଡ ନିର୍ଦ୍ଧାରଣ କରି ବିଶ୍ୱର ନେତୃତ୍ୱ ନେଉଛି ଆଜି ଭାରତ। ଭାରତ ସରକାର ଡିଜିଟାଲ ପେମେଣ୍ଟର ମାର୍ଗକୁ ସରଳ କରିବା ସାଙ୍ଗକୁ ଆପ୍‌ ମାଧ୍ୟମରେ ସିଟିଜେନ୍‌ ସେଣ୍ଟ୍ରିକ୍‌ ଡେଲିଭରି ବ୍ୟବସ୍ଥାର ପ୍ରସାର କରୁଛନ୍ତି। ଟେକ୍ନୋଲୋଜି ଆଜି ଗଣତାନ୍ତ୍ରିକ ହୋଇଛି। ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରକୁ ୫ଜି ବଳରେ ଏକ ବିଶାଳ ଡିଜିଟାଲ ଗଣତନ୍ତ୍ରରେ ରୂପାନ୍ତରିତ କରିବାର ପ୍ରକ୍ରିୟା ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆରମ୍ଭ ହୋଇସାରିଛି। କେବଳ ସୀମିତ ବର୍ଗଙ୍କ ପାଇଁ ନୁହେଁ, ୧୩୦ କୋଟି ଭାରତୀୟଙ୍କ ପାଇଁ ଟେକ୍ନୋଲୋଜିର ଲାଭ ମିଳିବା ଆରମ୍ଭ ହୋଇଛି। ତାହା ନ ହୋଇଥିଲେ ମାରାତ୍ମକ କରୋନା ମହାମାରୀକୁ ଆମେ ଏତେ ଦୃଢ଼ ଭାବେ ଆୟତ୍ତ କରିପାରି ନ ଥାଆନ୍ତେ।

୫ଜି ବଳରେ ଶିଳ୍ପ ବିପ୍ଳବ ୪.୦ରୁ ଭାରତ, ବିଶେଷକରି ଓଡ଼ିଶା କେବଳ ଲାଭବାନ ହେବ ନାହିଁ ବରଂ ଏହାର ନେତୃତ୍ୱ ମଧ୍ୟ ନେବ। କୁହାଯାଏ, ସପ୍ତଦଶ ଶତାବ୍ଦୀ ଡଚ୍‌ମାନଙ୍କର ଥିଲା ତ ଅଷ୍ଟାଦଶ ଶତାବ୍ଦୀ କାଳେ ଫ୍ରେଞ୍ଚମାନଙ୍କର ଥିଲା। ପୁଣି ଊନବିଂଶ ଶତାବ୍ଦୀ ବ୍ରିଟିଶମାନଙ୍କର ଥିଲା ତ ବିଂଶ ଶତାବ୍ଦୀ ଆମେରିକାନମାନଙ୍କର ଥିଲା। ହେଲେ ଏକବିଂଶ ଶତାବ୍ଦୀ ଏସୀୟ, ବିଶେଷକରି ଭାରତୀୟଙ୍କର ହିଁ ହେବ। ନିଜକୁ ବିଶ୍ୱର ପଞ୍ଚମ ସର୍ବବୃହତ୍‌ ଅର୍ଥନୀତିରେ ପରିଣତ କରି ଭାରତ ଉପରୋକ୍ତ ଭବିଷ୍ୟବାଣୀ ସତ ହେବା ନେଇ ସଙ୍କେତ ଦେଇଛି ମାତ୍ର। ବିଭିନ୍ନ କ୍ଷେତ୍ରରେ ଭାରତର ଜନସାଧାରଣଙ୍କର ସ୍କିଲିଂ, ଅପ୍‌-ସ୍କିଲିଂ, ରି-ସ୍କିଲିଂ ଆଦି କରାଇ ଆମେ ନିଶ୍ଚୟ ଗ୍ଲୋବାଲ ଲିଡର ବା ବିଶ୍ୱଗୁରୁ ହୋଇପାରିବା। ୫ଜି କନେକ୍ଟିଭିଟି ଏକ ଜନଆନ୍ଦୋଳନରେ ପରିଣତ ହେବାକୁ ଯାଉଛି। ଏହା ସାମ୍ପ୍ରତିକ ବିଶ୍ୱକୁ ମୋଦିଜୀଙ୍କର ଏକ ବିରାଟ ଅବଦାନ କହିଲେ ଭୁଲ୍‌ ହେବ ନାହିଁ। ଗରିବ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ୫ଜି ଆଗକୁ ଦେଶରେ ଯେଉଁ ବିରାଟ ବିପ୍ଳବକୁ ଜନ୍ମ ଦେବାକୁ ଯାଉଛି, ତାହା ଆଗାମୀ ଶତାବ୍ଦୀର ଭାରତ ଇତିହାସରେ ଯେପରି ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ, ଏହା ହିଁ ଆମର ସଙ୍କଳ୍ପ ହେଉ। ଜନଧନ-ଆଧାର-ମୋବାଇଲ ଆଧାରିତ ଜୀବନଶୈଳୀ ୫ଜି ଯୋଗୁ ଆହୁରି ସହଜ, ସୁଲଭ ଏବଂ ଦ୍ରୁତ ହେବାକୁ ଯାଉଛି ଏହା ନିଶ୍ଚିତ।

– ଶିକ୍ଷା, ଦକ୍ଷତା ବିକାଶ
ଓ ଉଦ୍ୟମିତା ମନ୍ତ୍ରୀ
ଭାରତ ସରକାର

Share