ନୂଆଦିଲ୍ଲୀ ,୨୬ା୩: ବିଶ୍ୱର ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ସବୁଠୁ ଆଗରେ ରହିଛନ୍ତି। ଗତ ବର୍ଷ ତୁଳନାରେ ତାଙ୍କର ଲୋକପ୍ରିୟତା ହ୍ରାସ ପାଇଥିଲେ ମଧ୍ୟ ଚଳିତ ବର୍ଷ ବିଶ୍ୱ ନେତାଙ୍କ ମଧ୍ୟରେ ତାଙ୍କ ସ୍ଥାନ ୧ ନମ୍ୱରରେ ରହିଛି। ଆମେରିକାର ମର୍ନିଂ କନ୍ସଲ୍ଟ ସଂସ୍ଥା ରିପୋର୍ଟ ଅନୁସାରେ ଗତ ବର୍ଷ ମୋଦିଙ୍କ ଲୋକପ୍ରିୟତା ହାର ୭୫ ପ୍ରତିଶତ ରହିଥିଲାବେଳେ ସେ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଭାବେ ପ୍ରଥମ ସ୍ଥାନରେ ରହିଥିଲେ। ଚଳିତବର୍ଷ ଏହି ହାର ୬୮ ପ୍ରତିଶତକୁ ହ୍ରାସ ପାଇଛି। ଏହାସତ୍ତ୍ୱେ ସେ ୧ ନମ୍ୱର ସ୍ଥାନ ବଜାୟ ରଖିଛନ୍ତି। ବିଶ୍ୱସ୍ତରରେ ୬୮ ପ୍ରତିଶତ ଲୋକ ମୋଦିଙ୍କ ପ୍ରତି ସମର୍ଥନ ଜଣାଇଥିଲାବେଳେ ୨୬ ପ୍ରତିଶତ ଲୋକ ତାଙ୍କ ବିରୋଧରେ ମତ ଦେଇଛନ୍ତି। ଅନ୍ୟ ୬ ପ୍ରତିଶତ ଲୋକ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ମୋଦିଙ୍କ ପଛରେ ଦ୍ୱିତୀୟ ଲୋକପ୍ରିୟ ନେତା ଭାବେ ସୁଇଜରଲାଣ୍ଡ୍ର ଗେ ପାର୍ମେଲିନ୍ ରହିଛନ୍ତି। ତାଙ୍କ ପ୍ରତି ୬୨ ପ୍ରତିଶତ ଲୋକଙ୍କ ସମର୍ଥନ ରହିଛି। ବିଶ୍ୱର ଅନ୍ୟତମ ପ୍ରମୁଖ ନେତାଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରତି ୩୯ ପ୍ରତିଶତ ଲୋକଙ୍କ ସମର୍ଥନ ରହିଥିଲାବେଳେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି.ଜେ. ମିୟୁଙ୍ଗଙ୍କ ପ୍ରତି ସମର୍ଥନ ୩୦ ପ୍ରତିଶତ ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଟ୍ରମ୍ପ୍ଙ୍କ ବିରୋଧରେ ୫୫ ପ୍ରତିଶତ ଲୋକ ମତ ଦେଇଛନ୍ତି। ଅନ୍ୟପକ୍ଷରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ପ୍ରତି ୫୫ ପ୍ରତିଶତ ଲୋକଙ୍କ ସମର୍ଥନ ରହିଥିବାବେଳେ ସେ ଏହି ତାଲିକାରେ ୭ମ ସ୍ଥାନରେ ରହିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକରଁଙ୍କ ପ୍ରତି ମାତ୍ର ୧୭ ପ୍ରତିଶତ ଲୋକଙ୍କ ସମର୍ଥନ ରହିଛି।

