ରତ୍ନଭଣ୍ଡାର ଖୋଲିବା ନେଇ ବିଧାନସଭାରେ ଦାବି ଉପସ୍ଥାପନ କରିବେ ବିଧାୟକ

ପୁରୀ,୨୪।୯(ଅଜିତ୍‌ ମହାନ୍ତି): ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ଅନେକ ଦିନ ହେବ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଉଛି। ଏପରି କି ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି କରି ଶ୍ରୀଜଗନ୍ନାଥ ସେନା ତରଫରୁ ଆସନ୍ତା ୪ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଆଯାଇଥିବା ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରାକୁ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସମର୍ଥନ କରିଛନ୍ତି। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପାଇଁ ସେ ଦାବି କରି ଆସୁଛନ୍ତି ମାତ୍ର ପ୍ରଶାସନ କାମ ଆଳ ଦେଖାଇ ଭକ୍ତମାନଙ୍କ ପାଇଁ ଦ୍ୱାର ଖୋଲାଯାଉ ନ ଥିବା ଷଡ଼ଙ୍ଗୀ କହିଛନ୍ତି।

ସୁଚନାଯୋଗ୍ୟ, ଦୀର୍ଘ ୩୮ ବର୍ଷ ହେବ ରତ୍ନଭଣ୍ଡାର ଖୋଲାଯାଇ ନ ଥିବା ବେଳେ ଏହାର ଜରୁରୀ ମରାମତି ଆବଶ୍ୟକ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତେବେ ବିଭିନ୍ନ ଆଳ ଦେଖାଇ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଖୋଲୁ ନ ଥିବା ବେଳେ ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ମରାମତି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା, ଯାହାକୁ ଜଗନ୍ନାଥ ସେନା ଘୋର ବିରୋଧ କରିବା ସହ ଯଥାଶୀଘ୍ର ରତ୍ନଭଣ୍ଡାର ଖୋଲିବାକୁ ବାରମ୍ବାର ଆନ୍ଦୋଳନ କରିଛି। ଏବେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବାବେଳେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗକୁ ବିଧାନସଭାରେ ଉଠାଇବେ ବୋଲି ବିଧାୟକ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି।