ରିଷିଡା,୧୯।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତି ଶୁକ୍ରବାର କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ସେ କର୍ଲାମୁଣ୍ଡାର ଫଲସାପଡାଠାରେ ଶ୍ରୀରାମ ମନ୍ଦିର ନିର୍ମାଣର ଭୂମି ପୂଜନରେ ଯୋଗଦେବା ସହ ସାନଡୁଙ୍ଗୁରିଗୁଡାଠାରେ ଉଠାଜଳସେଚନର ସମସ୍ୟାର ଅନୁଧ୍ୟାନ କରିଥିଲେ। ଏଥିସହିତ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ଜଳଯୋଗାଣ ବ୍ୟବସ୍ଥା ସୁଧାରିବା ପାଇଁ ପରାମର୍ଶ ଦେଇଥିଲେ।
ପରେ ବିଧାୟିକା ମହାନ୍ତି ରାଜପୁର ଯାଇ ଏକ ଅସହାୟ ପରିବାରକୁ ଭେଟିଥିଲେ। ରାଜପୁରର ସାଏବ ସାହୁ ୮୦ ବୟସ୍କ ବ୍ୟକ୍ତି। ତାଙ୍କର ଝିଅ ଜ୍ୱାଇଁ ତାଙ୍କ ପାଖରେ ରହୁଥିଲେ। ହେଲେ ଝିଅର ଅକାଳ ମୃତ୍ୟୁ ହେବାର କିଛି ମାସ ପରେ ଜ୍ୱାଇଁଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଏଭଳିସ୍ଥିତିର ୩ ନାତୁଣୀ ଏବେ ଅଜାଙ୍କ ପାଖରେ ଅଛନ୍ତି।
ପରିଣତ ବୟସରେ ଥିବା ସାଏବ ବର୍ତ୍ତମାନ ୩ ନାତୁଣୀଙ୍କୁ ପୋଷିବା କଷ୍ଟକର ହୋଇପଡିଛି। ତାଙ୍କର ଆୟ କହିଲେ, ମାସକୁ ପାଉଥିବା ୧ ହଜାର ଟଙ୍କା ଭତ୍ତା। ଏହା ଜାଣି ବିଧାୟିକା ବ୍ୟକ୍ତିଗତ ଭାବେ ସାଏବଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏପରିକି ପ୍ରଧାନମନ୍ତ୍ରୀ ଆବାସ ଘର ସମେତ ବିଭିନ୍ନ ସହାୟତା ଯୋଗାଇଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।

