ଦିଗପହଣ୍ଡି, ୨୩।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଚାଲିଥିବା ମା’ ବୁଢ଼ୀ ଠାକୁରାଣୀଙ୍କ ପ୍ରସିଦ୍ଧ ଶାରଦୀୟ ଯାତ୍ରା ମହୋତ୍ସବ ଶୁକ୍ରବାର ୭ମ ଦିନରେ ପହଞ୍ଚିଛି। ଏହି ଅବସରରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଯାତ୍ରା ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି।
ବିଧାୟକ ଡ. ମହାପାତ୍ର ଯାତ୍ରା ପୀଠରେ ପହଞ୍ଚିବା ପରେ ଯାତ୍ରା ପରିଚାଳନା କମିଟି ପକ୍ଷରୁ ତାଙ୍କୁ ଉଷ୍ମ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ ଅସ୍ଥାୟୀ ଯାତ୍ରା ମଣ୍ଡପକୁ ପାଛୋଟି ନିଆଯାଇଥିଲା। ସେଠାରେ ସେ ମା’ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ସୁଖ-ସମୃଦ୍ଧି କାମନା କରି ସୋଡ଼ଷୋପଚାର ପୂଜାର୍ଚ୍ଚନା କରିଥିଲେ।
ଯାତ୍ରା ପୀଠରେ ସୁସଜ୍ଜିତ ଆଲୋକମାଳା, ମାନସିକଧାରୀଙ୍କ ନାନାଦି ବେଶଭୂଷା ଏବଂ ରାମଦୋଳି, ମୀନାବଜାର ସହ ବିଭିନ୍ନ ସାମଗ୍ରୀର ପସରା ଯାତ୍ରା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବେଶ୍ ଆକୃଷ୍ଟ କରୁଛି। ପ୍ରତ୍ୟେକ ଦିନ ମା’ଙ୍କ ଆଜ୍ଞାମାଳ ଓ ଘଟ ପରିକ୍ରମା ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଏହାସହ ପ୍ରତିସନ୍ଧ୍ୟାରେ ମଞ୍ଚରେ ନାଟକ ଓ ଥିଏଟର ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇ ଶ୍ରଦ୍ଧାଳୁଙ୍କୁ ବିପୁଳ ମନୋରଞ୍ଜନ ଯୋଗାଇଦେଉଛି।
ଚଳିତ ଶାରଦୀୟ ଯାତ୍ରା ମହୋତ୍ସବ ଆସନ୍ତା ୨୫ ତାରିଖ ଆଶ୍ୱିନ କୁମାର ପୂର୍ଣ୍ଣମୀ ଭୋର ସମୟରେ ମା’ଙ୍କ ଗର୍ଭଗୃହକୁ ବାହୁଡ଼ା ଯାତ୍ରା ସହ ଉଦ୍ଯାପିତ ହେବ। ଏ ସମ୍ପର୍କରେ ଯାତ୍ରା କମିଟି ସଭାପତି ବିଚିତ୍ରାନନ୍ଦ ପଟ୍ଟନାୟକ ଏବଂ ସମ୍ପାଦକ ତଥା କାଉନସିଲର ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି।

