Categories: ଖେଳ

ନମ୍ବର ଓ୍ବାନ୍‌ ସ୍ଥାନକୁ ଫେରିଲେ ମିଥାଲି

ଦୁବାଇ, ୭ା୭ (ପି.ଟି.)- ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଭାବୀ ପ୍ରଦର୍ଶନ ପରେ ଭାରତ ଅଧିନାୟକ ମିଥାଲି ରାଜ ୩ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ ର଼୍ୟାଙ୍କିଙ୍ଗ ତାଲିକାର ଶୀର୍ଷ ସ୍ଥାନକୁ ଫେରିଛନ୍ତି। ଭାରତ ଏହି ସିରିଜରେ ୧-୨ରେ ପରାଜିତ ହୋଇଥିଲେ ହେଁ ୩୮ ବର୍ଷୀୟା ମିଥାଲି ତିନୋଟି ଯାକ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ପ୍ରଥମ ଦୁଇ ଅନ୍ତର୍ଜାତୀୟ ଦିନିକିଆରେ ୭୨ ଓ ୫୯ ରନ କରିଥିଲେ। ପରେ ସିରିଜର ଫାଇନାଲ ମ୍ୟାଚରେ ଅପରାଜିତ ୭୫ରନ କରି ଭାରତକୁ ୪ ଉଇକେଟରେ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହାପୂର୍ବରୁ ସେ ୨୦୧୮ ଫେବୃୟାରୀରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ୨୦୦୫ରେ ପୋଚେଷ୍ଟ୍ରୁମ୍‌ଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ମ୍ୟାଚରେ ଅପରାଜିତ ୯୧ରନ କରିବା ପରେ ସେ ପ୍ରଥମ ଥର ନମ୍ବର ଓ୍ବାନ ସ୍ଥାନ ଅଧିକାର କରିଥିଲେ। ଦୀର୍ଘ ୧୬ ବର୍ଷ ବ୍ୟବଧାନରେ ନମ୍ବର ଓ୍ବାନ ସ୍ଥାନକୁ ଫେରିବାରେ ସେ ପ୍ରଥମ ମହିଳା ବ୍ୟାଟ୍ସଓମ୍ୟାନ ବିବେଚିତ ହୋଇଛନ୍ତି। ଭାରତର ଧୂଆଁଧାର ଓପନର ଶେଫାଳୀ ବର୍ମା ସିରିଜର ଶେଷ ଦୁଇଟି ଅନ୍ତର୍ଜାତୀୟ ଦିନିକିଆରେ ୪୪ ଓ ୧୯ ରନ କରିବା ଦ୍ୱାରା ୪୯ସ୍ଥାନ ପଦୋନ୍ନତି ପାଇଛନ୍ତି। ସେ ୭୧ତମ ସ୍ଥାନରେ ରହିଛନ୍ତି। ଭେଟେରାନ ପେସ୍‌ ବୋଲର ଝୁଲନ ଗୋସ୍ବାମୀ ୪ ସ୍ଥାନ ଉପରକୁ ଉଠି ୫୩ ତମ ସ୍ଥାନରେ ଅଛନ୍ତି। ବୋଲର ତାଲିକାରେ ଅଲରାଉଣ୍ଡ ଦୀପ୍ତି ଶର୍ମା ଗୋଟିଏ ସ୍ଥାନ ଡେଇଁ ୧୨ତମ ସ୍ଥାନରେ ଅଛନ୍ତି। ଅନ୍ତିମ ମ୍ୟାଚରେ ସେ ୪୭ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରିଥିଲେ।

Share