Categories: ଖେଳ

ମିତାଲିଙ୍କ ରେକର୍ଡ: ୧୦ ହଜାର ଅନ୍ତର୍ଜାତୀୟ ରନ ପୂରଣ କଲେ

ଲକ୍ଷ୍ନୌ,୧୩।୩(ପି.ଟି.): ଅଭିଜ୍ଞ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ ଆଉ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା କ୍ରିକେଟର ହିସାବରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୦,୦୦୦ ରନ ପୂରଣ କରିଛନ୍ତି। ୩ଟି ଯାକ ଫର୍ମାଟ୍‌କୁ ଦୃଷ୍ଟିରେ ରଖି ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ ୩୮ ବର୍ଷୀୟ ମିତାଲି ୩୬ରନ ସଂଗ୍ରହ କରିବା ସହ ଏହି ସଫଳତା ହାସଲ କରିଛନ୍ତି। ଇନିଂସର ୨୮ତମ ଓଭରରେ ଆନ ବୋସ୍କଙ୍କୁ ଚୌକା ମାରିବା ସହ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ମିତାଲିଙ୍କ ପୂର୍ବରୁ ଇଂଲଣ୍ଡର ଚାର୍ଲୋଟ ଏଡ୍‌ଓ୍ବାଡର୍‌ସ ଏକମାତ୍ର ମହିଳା ଖେଳାଳି ଭାବେ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ ପୂରଣ କରିଥିଲେ। ମିତାଲି ଦିନିକିଆରେ ଭାରତର ନେତୃତ୍ୱ ନେଉଛନ୍ତି। ସେ ୧୦ଟି ଟେଷ୍ଟ ଖେଳି ୬୬୩ ରନ ସଂଗ୍ରହ କରିଥିଲେ। ଟେଷ୍ଟରେ ୨୧୪ ରନ ତାଙ୍କର ଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର। ସେହିପରି ସେ ୨୧୨ଟି ଦିନିକିଆ ଖେଳି ୬୯୭୪ ଓ ୮୯ଟି ଟି୨୦ ଖେଳି ୨୩୬୪ ରନ ସଂଗ୍ରହ କରିଛନ୍ତି। ମୋଟ ଉପରେ ସେ ୧୦୦୦୧ ରନ ସଂଗ୍ରହ କରିଛନ୍ତି।
ଏଥିସହିତ ମିତାଲିଙ୍କୁ ସବୁ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି। କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମିତାଲି ଏକ ଅସାଧାରଣ ସଫଳତା ହାସଲ କରିଛନ୍ତି ବୋଲି ସଚିନ କହିଛନ୍ତି। ୧୦ ହଜାର ରନ୍‌ ପୂରଣ କରିବା ପରେ ହିଁ ମିତାଲି ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ମିତାଲିଙ୍କୁ ଜଣେ କିମ୍ବଦନ୍ତୀ ମହିଳା କ୍ରିକେଟର କହିଛନ୍ତି। ବିସିସିଆଇ ମଧ୍ୟ ଟୁଇଟ୍‌ କରି ତାଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛି। ସେହିପରି ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ ଟୁଇଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୯୯ ଜୁନ୍‌ରେ ଆୟର୍ଲାଣ୍ଡ ବିପକ୍ଷରେ ସେ ଡେବ୍ୟୁ କରିଥିଲେ। ଟେଷ୍ଟରେ ୪ ଅର୍ଦ୍ଧଶତକ ଓ ଗୋଟିଏ ଶତକ ଅର୍ଜନ କରିଛନ୍ତି। ସେହିପରି ଦିନିକିଆରେ ସେ ୫୪ଟି ଅର୍ଦ୍ଧଶତକ ହାସଲ କରିବା ସହ ୭ଟି ଶତକ ଓ ଟି୨୦ରେ ୧୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

Share