Posted inଜାତୀୟ

ମିଶନ ନନ୍ଦିଗ୍ରାମ

କୋଲକାତା/ନୂଆଦିଲ୍ଲୀ,୬ା୩: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲା ହଳଦିଆ ସବ୍‌ସିଡିଭିଜନ୍‌ ଅଧୀନ ଏକ ଛୋଟ ସହର ନନ୍ଦିଗ୍ରାମ। ୨୦୦୭ରେ ପଶ୍ଚିମବଙ୍ଗର ତତ୍କାଳୀନ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ସରକାର ସଲିମ ଗ୍ରୁପ୍‌କୁ ଏଠାରେ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ (ଏସ୍‌ଇଜେଡ୍‌) ଅଧୀନରେ ଏକ କେମିକାଲ ହବ୍‌ ପ୍ରତିଷ୍ଠା ପାଇଁ ଅନୁମତି ଦେଇଥିଲେ। ଶିଳ୍ପ ପାଇଁ ଜୋରଜବରଦସ୍ତ ଜମି ଅଧିଗ୍ରହଣକୁ ଗ୍ରାମବାସୀ ଘୋର ବିରୋଧ କରିଥିଲେ। ସେହି ବର୍ଷ ମାର୍ଚ୍ଚ ୧୪ ରାତିରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୧୪ ଜଣଙ୍କ ଜୀବନ ଯାଇଥିଲା। ଅନେକେ ଆହତ ହୋଇଥିଲେ। ବହୁ ମହିଳାଙ୍କୁ ବଳାତ୍କାର ମଧ୍ୟ କରାଯାଇଥିଲା। ଏସବୁ ଘଟାଯାଇଥିଲା ଶାସକ ଭାରତୀୟ କମ୍ୟୁନିଷ୍ଟ ପାର୍ଟି-ମାର୍କ୍ସବାଦୀ (ସିପିଆଇଏମ୍‌)ର ବଳରେ। ନନ୍ଦିଗ୍ରାମରେ ବାମପନ୍ଥୀ ଏବଂ ପୋଲିସର ବର୍ବରତାକୁ ସେତେବେଳେ ସାରା ଦେଶରେ ନିନ୍ଦା କରାଯାଇଥିଲା। ଏଇଠୁ ବାମପନ୍ଥୀଙ୍କ ୩୪ ବର୍ଷ ଶାସନ ପତନର ମୁଳଦୂଆ ପଡ଼ିଥିଲା, ଯାହାର ନେତୃତ୍ୱ ନେଇଥିଲେ ତତ୍କାଳୀନ ବିରୋଧୀ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତ୍ରୀ ମମତା ବାନାର୍ଜୀ। ଏହି ନାଁକୁ ନେଇ ଏବେ ପୁଣିଥରେ ଦେଶବ୍ୟାପୀ ଚର୍ଚ୍ଚା।
୨୦୦୯ ଉପନିର୍ବାଚନ ପରଠାରୁ ନନ୍ଦିଗ୍ରାମ ଟିଏମ୍‌ସି ଦଖଲରେ ରହିଛି। ୨୦୧୧ରେ ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେଲେ। ସେତେବେଳେ ମମତାଙ୍କ ପ୍ରଚାର ମଙ୍ଗ ଧରିଥିଲେ ତାଙ୍କ ଡାହାଣ ହାତ ଶୁଭେନ୍ଦୁ ଅଧିକାରୀ। ୨୦୧୬ରେ ଏହି ଆସନକୁ ନନ୍ଦିଗ୍ରାମ ଲଢ଼େଇର ସ୍ଥପତି ଶୁଭେନ୍ଦୁ ୧,୩୪,୬୨୩ ଭୋଟ ପାଇ ଦଖଲ କଲେ। ମମତା ତାଙ୍କୁ ପରିବହନ ମନ୍ତ୍ରୀ କରିଥିଲେ। ତେବେ ଶୁଭେନ୍ଦୁ କିଛି ମାସ ତଳେ ଟିଏମ୍‌ସି ଛାଡ଼ି ଭାଜପାରେ ମିଶିଛନ୍ତି। ଶୁଭେନ୍ଦୁ ନିଜ ଲୋକପ୍ରିୟତାକୁ ଦେଖି ନନ୍ଦିଗ୍ରାମରେ ମମତାଙ୍କୁ ୫୦ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ହରାଇବେ ବୋଲି ଭାଜପାର କେନ୍ଦ୍ରୀୟ ନେତୃତ୍ୱଙ୍କ ଆଗରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ତେଣୁ ଭାଜପା ତାଙ୍କୁ ନନ୍ଦିଗ୍ରାମରୁ ପ୍ରାର୍ଥୀ କରିବାକୁ ଯାଉଛି। ଯୁଦ୍ଧଭୂଇଁ ନନ୍ଦିଗ୍ରାମରେ ଏଥର ମମତା ବନାମ ଶୁଭେନ୍ଦୁ ଲଢ଼େଇ ହେବା ଏକପ୍ରକାର ନିଶ୍ଚିତ।

୨୯୧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା ଟିଏମ୍‌ସି
ପଶ୍ଚିମବଙ୍ଗରେ ସର୍ବାଧିକ ୮ ପର୍ଯ୍ୟାୟରେ (ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯) ଭୋଟ ଗ୍ରହଣ କରାଯିବ। ଏଥିପାଇଁ ସବୁ ଦଳ ରଣନୀତି ପ୍ରସ୍ତୁତି ଓ ଗୋଟି ଚାଳନାରେ ବ୍ୟସ୍ତ ଥିବାବେଳେ ୨୯୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ଲାଗି ଟିଏମ୍‌ସି ଶୁକ୍ରବାର ୨୯୧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ଅଧ୍ୟକ୍ଷା ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଫଳରେ ଉକ୍ତ ଆସନରେ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ମମତାଙ୍କର ଜୋର୍‌ଦାର ଲଢ଼େଇ ହୋଇପାରେ। ମମତାଙ୍କୁ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବା ଲାଗି ଶୁଭେନ୍ଦୁ ଚ୍ୟାଲେଞ୍ଜ ଦେଇଥିଲେ, ଯାହାକୁ ସେ ଗ୍ରହଣ କରିନେଇଛନ୍ତି। କହିଛନ୍ତି, ମାର୍ଚ୍ଚ ୯ରେ ମୁଁ ନନ୍ଦିଗ୍ରାମ ଯାଉଛି। ୧୦ ତାରିଖରେ ହଳଦିଆରେ ନାମାଙ୍କନପତ୍ର ଦାଖଲ କରିବି।
ପ୍ରାର୍ଥୀ ତାଲିକାରେ ସୋସିଆଲ ଇଞ୍ଜିନିୟରିଂ ବା ସାମାଜିକ ସମୀକରଣର ମଜଭୁତ ଚିତ୍ର ଦେଖିବାକୁ ମିଳିଛି। ଘୋଷଣା ବେଳେ ମମତା କହିଥିଲେ, ସେ କେବଳ ନନ୍ଦିଗ୍ରାମରୁ ଲଢ଼ିବେ। ତାଙ୍କ ଭବାନୀପୁର ଆସନରୁ ଶକ୍ତିମନ୍ତ୍ରୀ ଶୋଭନଦେବ ମୁଖାର୍ଜୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହିପରି ନିକଟରେ ଟିଏମ୍‌ସିରେ ଯୋଗଦେଇଥିବା କ୍ରିକେଟର ମନୋଜ ତିଓ୍ବାରୀ ହାଓଡା ଜିଲାର ଶିବପୁର ନିର୍ବାଚନମଣ୍ଡଳୀରେ ପ୍ରଥମ ଥର ପାଇଁ ଭାଗ୍ୟପରୀକ୍ଷା କରିବେ। ଏଥର ଟିଏମ୍‌ସି ମୋଟ ୨୯୧ ଆସନରେ ଲଢ଼ିବ ଏବଂ ଅବଶିଷ୍ଟ ୩ ଆସନ (ଦାର୍ଜିଲିଂ, କଲିମପୋଙ୍ଗ ଓ କୁର୍ସେଓଙ୍ଗ) ସହଯୋଗୀ ଦଳ ଗୋର୍ଖା ମୁକ୍ତି ମୋର୍ଚ୍ଚା(ଜିଜେଏମ୍‌)କୁ ଛାଡ଼ି ଦିଆଯିବ। ଏଥର ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ପ୍ରାର୍ଥୀଙ୍କୁ ଟିଏମ୍‌ସି ଟିକେଟ ଦେଇନାହିଁ। ସେହିପରି ୨୮ ବିଧାୟକଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ। ଅନ୍ୟପକ୍ଷରେ ଏଥର ୫୦ ଜଣ ମହିଳାଙ୍କୁ ଦଳ ପ୍ରାର୍ଥୀ କରିଛି। ୪୨ ମୁସଲମାନ, ୭୯ ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ୧୭ ତଫସିଲଭୁକ୍ତ ଉପଜାତି(ଏସ୍‌ଟି) ଲୋକଙ୍କୁ ଟିକେଟ ଦିଆଯାଇଛି।

ଭାଜପାରେ ମନ୍ତ୍ରଣା
ସେପଟେ ନନ୍ଦିଗ୍ରାମ ଓ ଭବାନୀପୁର ସମେତ ୧୫ ଆସନରେ କାହାକୁ ପ୍ରାର୍ଥୀ କରାଯିବ ସେନେଇ ଭାଜପାର ଶୀର୍ଷ ନେତୃତ୍ୱ ମନ୍ତ୍ରଣା ଚଳାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ବାମଦଳର ପ୍ରାର୍ଥୀ ଘୋଷଣା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବାମ ସାମ୍ମୁଖ୍ୟ, କଂଗ୍ରେସ ଏବଂ ନବଗଠିତ ଇଣ୍ଡିଆନ ସିକ୍ୟୁଲାର ଫ୍ରଣ୍ଟ (ଆଇଏସ୍‌ଏଫ୍‌) ମଧ୍ୟରେ ମେଣ୍ଟ ହୋଇଛି। ଶୁକ୍ରବାର ବାମ ସାମ୍ମୁଖ୍ୟ ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସହଯୋଗୀ କଂଗ୍ରେସ ଏବଂ ଆଇଏସ୍‌ଏଫ୍‌ ଖୁବ୍‌ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବେ। ଆଉ କେତେକ ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇ ନ ଥିବା ବାମ ସାମ୍ମୁଖ୍ୟ ଅଧ୍ୟକ୍ଷ ବିମାନ ବୋଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri