ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର ପୋଲିସ ଉଦ୍ଧାର କରିଛି। ପୋଲିସ ଛାତ୍ରୀଙ୍କ ମା’ଙ୍କୁ ଥାନାକୁ ଡକାଇ ତାଙ୍କୁ ହସ୍ତାନ୍ତର କରିବା ପରେ ଝିଅଟି ନିଜ ଘରକୁ ଫେରିଥିବା ଜଣାପଡ଼ିଛି। ତେବେ ଛାତ୍ରୀ ଜଣକ ଘରୁ ନିଖୋଜ ହେବା ପଛର କାହାଣୀ ଏବେ ସମସ୍ତଙ୍କୁ ଚକିତ କରିଛି।

ସୂଚନା ଅନୁଯାୟୀ, ଗତ ୨୦୨୪ ମାର୍ଚ୍ଚ ୧୩ ତାରିଖରେ ଏହି ଛାତ୍ରୀ ଜଣକ ଘରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ। ପରିବାରଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ଏହାପରେ ଛାତ୍ରୀଙ୍କ ମା’ ପାଟପୁର ଥାନାରେ ଏକ ନିଖୋଜ ସମ୍ପର୍କିତ ଏତଲା ଦେଇଥିଲେ। ରିପୋର୍ଟକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ଥାନା ଏଏସଆଇ ରମାକାନ୍ତ ଶବର ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ସେତେବେଳେ ଛାତ୍ରୀଙ୍କ କୌଣସି ପତ୍ତା ମିଳି ନ ଥିଲା।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଛାତ୍ରୀ ଜଣକ ଯୁକ୍ତ ଦୁଇ (+୨) ପାସ୍ କରିବା ପରେ ପରିବାର ଲୋକେ ତାଙ୍କର ବିବାହ କରିଦେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଛାତ୍ରୀ ଜଣକ ବିବାହ ନକରି ଆଗକୁ ଅଧିକ ପଢ଼ିବା ପାଇଁ ଜିଦ୍ ଧରିଥିଲେ। ଏଥିରେ ପରିବାର ଲୋକେ ରାଜି ନ ହେବାରୁ ସେ କାହାକୁ କିଛି ନ କହି ଘର ଛାଡ଼ି ଚାଲିଯାଇଥିଲେ।

ଘରୁ ବାହାରିବା ପରେ ସେ ଏକ ସହରକୁ ଯାଇ ସେଠାରେ ନିଜ ଚେଷ୍ଟାରେ ଉଚ୍ଚତର ଶ୍ରେଣୀରେ ନାମ ଲେଖାଇଥିଲେ। ସେ ସେଠାରେ କଠିନ ପରିଶ୍ରମ କରି କୃତିତ୍ୱର ସହ ଉଚ୍ଚଶିକ୍ଷା ପାସ୍ କରିଛନ୍ତି। ଶିକ୍ଷା ଶେଷ ହେବା ପରେ ପୋଲିସ ତାଙ୍କୁ ଉଦ୍ଧାର କରି ପରିବାର ସହ ମିଳନ କରାଇଛି। ପାଠ ପଢ଼ିବା ପାଇଁ ଝିଅଟିର ଏଭଳି ଜିଦ୍ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Dharitri – Odisha’s No.1 Odia Daily

Share