ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ନ ଥିଲା। ଏନେଇ ନାବାଳିକାଙ୍କ ମା’ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଥାନା ଆଇଆଇସି କିଶୋର କୁମାର ସାମଲ ଥାନା ମାମଲା ନଂ.୨୭୯/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ତଦନ୍ତକାରୀ ଅଧିକାରୀ ଏସ.ଆଇ ସୋଫିଆ ମିଶ୍ର ସୋମବାର ନାବାଳିକାଙ୍କୁ ଏକ ଗାଁରୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଥାନାରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ସେ ମାନସିକ ଭାରସାମ୍ୟ ହରାଇ ତାଙ୍କ ମାଉସୀ ଘରକୁ ପଳାଇଥିବା ନେଇ ବୟାନ ଦେଇଥିଲେ। ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଇବା ପରେ ଜିଲା ଶିଶୁ କଲ୍ୟାଣ କମିଟି(ସିଡବ୍ଲ୍ୟୁସି) ରେ ତାଙ୍କୁ ହାଜର କରିଥିଲେ। ପରେ ନାବାଳିକାଙ୍କୁ ତାଙ୍କ ମାତାପିତାଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ମଙ୍ଗଳବାର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ନାବାଳିକାଙ୍କ ବୟାନ ଲିପିବଦ୍ଧ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।
Dharitri – Odisha’s No.1 Odia Daily

