ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ ହେବ ସବୁ ଜାଣିଶୁଣି ମଧ୍ୟ ଚୁପ୍ ରହିଥିଲେ। ଡାକ୍ତରଖାନାରେ ପିଲା ଜନ୍ମ ହେବା ପରେ ସତ ସାମ୍ନାକୁ ଆସିଛି।
ନାବାଳିକାଙ୍କୁ ପ୍ରେମ କରୁଥିବା ନୀଳଗିରି ଅଞ୍ଚଳର ଜଣେ ଯୁବକ ବିବାହ କରିଥିଲେ। ସେ ଗର୍ଭବତୀ ହେବାପରେ ଏ ନେଇ ଆଶାକର୍ମୀ ସୁକାନ୍ତି ସିଂଙ୍କୁ ଅବଗତ କରିଥିଲେ। ଆଶାକର୍ମୀ ପୋଲିସକୁ ଜଣାଇବା ପରିବର୍ତ୍ତେ ନାବାଳିକାଙ୍କୁ ୮ମାସ ଧରି ସରକାରୀ ସୁବିଧା ଓ ଟିକା ପ୍ରଦାନର ବ୍ୟବସ୍ଥା କରାଇଥିଲେ। ନୀଳଗିରି ଡାକ୍ତରଖାନାରେ ପିଲା ଜନ୍ମ ପରେ ଆଧାର କାର୍ଡରୁ ନାବାଳିକାଙ୍କ ବୟସ ଜଣାପଡ଼ିଥିଲା। ଆଶାକର୍ମୀଙ୍କୁ ଏ ବାବଦରେ ପଚାରିବାରୁ ଦେହ ଅସୁସ୍ଥ ଥିବାରୁ କିଛି କହିପାରିବେନି ବୋଲି କହିଛନ୍ତି। ବରହମପୁର ପୋଲିସ ଏକ ମାମଲା(ନଂ.୧୮/୨୦୨୬) ରୁଜୁ କରି ନାବାଳିକାଙ୍କ ସ୍ୱାମୀଙ୍କୁ ଗିରଫ ପରେ କୋର୍ଟଚାଲଣ କରିଛି।

