
ନୂଆଦିଲ୍ଲୀ,୩୦ା୬: ରୋହତକରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ)ର ନ୍ୟାଶନାଲ ବକ୍ସିଂ ଏକାଡେମୀରେ କାର୍ଯ୍ୟରତ ଥିବା ଜଣେ ମହିଳା କୋଚ୍ଙ୍କ ବିରୋଧରେ ଜଣେ ନାବାଳିକା ବକ୍ସର ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ବକ୍ସରଙ୍କ ବାପା ମା’ ମହିଳା କୋଚ୍ଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଇଛନ୍ତି। ତେବେ ତଦନ୍ତ ଚାଲିଥିବାରୁ ଅଭିଯୁକ୍ତାଙ୍କ ନାମ ପ୍ରଘଟ କରାଯାଇ ନାହିଁ।
ଏପରିକି ଘଟଣା ସମ୍ପର୍କରେ ଫେଡେରେଶନ ଅଫ୍ ଇଣ୍ଡିଆ (ବିଏଫ୍ଆଇ) ଓ ସାଇକୁ ଯୋଗାଯୋଗ କରିବାରୁ ଜଣାପଡ଼ିଥିଲା ଯେ, ୧୭ ବର୍ଷୀୟା ପୀଡ଼ିତାଙ୍କଠାରୁ ଚାପୁଡ଼ା ମାରିବା ଓ ଧମକାଇବା ଭଳି ଅଭିଯୋଗ ମିଳିଥିଲା। ହେଲେ ଉଭୟ ସଂସ୍ଥା ପକ୍ଷରୁ କରାଯାଇଥିବା ଆନ୍ତଃ ତଦନ୍ତରେ କୋଚ୍ଙ୍କ ବିରୋଧରେ କୌଣସି ପ୍ରମାଣ ମିଳି ନ ଥିଲା। ଏଣୁ ସେ ଏବେ ଜୁନିୟର ଓ ଯୁବ ବକ୍ସରଙ୍କୁ ଜାତୀୟ କ୍ୟାମ୍ପରେ ପ୍ରଶୀକ୍ଷଣ ଦେଉଛନ୍ତି। ତେବେ ବିଏଫ୍ଆଇର ତଦନ୍ତରେ ପୀଡ଼ିତା ବକ୍ସରଙ୍କ ବାପା ମା’ ଅସନ୍ତୋଷ ବ୍ୟକ୍ତ କରିଥିଲେ।
ରୋହତକ ଥାନାରେ ଦାୟର ହୋଇଥିବା ଏଫ୍ଆଇଆରରେ ଦର୍ଶାଯାଇଛି ଯେ, କୋଚ୍ ବଳପୂର୍ବକ ତାଙ୍କ ପୋଷାକ ଖୋଲିବାକୁ ଉଦ୍ୟମ କରିବା ସହ ଅନେକ ଥର ଚାପୁଡ଼ା ମାରିଥିଲେ। କ୍ୟାରିୟର ନଷ୍ଟ କରିବାକୁ ଧମକ ଦେଇଥିଲେ ଏବଂ ଅନ୍ୟ ବକ୍ସରଙ୍କ ଆଗରେ ତାଙ୍କ ଚରିତ୍ର ଖରାପ ଥିବା କହିଥିଲେ। ଏଥିଯୋଗୁ କୋଚ୍ଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୧୫ (ଜାଣିଶୁଣି ଆଘାତ ଦେବା), ୩୫୧ (୩) (ଅପରାଧିକ ଧମକ) ଓ ପୋକ୍ସୋ ଆଇନରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାର ତଦନ୍ତ ପ୍ରକ୍ରିୟାରେ ସାଇ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯିବ ବୋଲି କୁହାଯାଇଛି।