ଭୁବନେଶ୍ୱର, ୨୩।୬: ଚଳିତ ଖରିଫ ଋତୁରେ ରାଜ୍ୟରେ ସାର ଯୋଗାଣକୁ ନେଇ କୌଣସି ଅସୁବିଧା ହେବନାହିଁ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସ୍ପଷ୍ଟ କରିଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ରହିଥିବା ବେଳେ ଚାଷୀମାନଙ୍କ ଆବଶ୍ୟକତା ପୂରଣ ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି ବୋଲି ସେ କହିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ, ଗତବର୍ଷ ସାରର କଳାବଜାର ହୋଇ ନ ଥିଲା। ବରଂ ସରକାରଙ୍କ ପକ୍ଷରୁ ଇନପୁଟ ସହାୟତା ପ୍ରଦାନ ପରେ ଚାଷୀମାନେ ଅଧିକ ପରିମାଣରେ ଚାଷ କରିଥିଲେ। ଏପରିକି ଅନେକ ଚାଷୀ ଗୋଚର ଜମିରେ ମଧ୍ୟ ଚାଷ କରିଥିବାରୁ ସାରର ଚାହିଦା ଅପେକ୍ଷାକୃତ ବଢ଼ିଯାଇଥିଲା। ଏହି କାରଣରୁ କେତେକ ସ୍ଥାନରେ ସାର ଅଭାବ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।
ତେବେ ଚଳିତ ବର୍ଷ ସେପରି ପରିସ୍ଥିତି ଉପୁଜିବ ନାହିଁ ବୋଲି ମନ୍ତ୍ରୀ ଆଶ୍ୱାସନ ଦେଇଛନ୍ତି। ରାଜ୍ୟରେ ୟୁରିଆ, ଡିଏପି ଓ ଅନ୍ୟାନ୍ୟ ସାରର ପର୍ଯ୍ୟାପ୍ତ ମହଜୁଦ ରହିଥିବା ସହ ଜିଲ୍ଲାସ୍ତରରେ ଯୋଗାଣ ବ୍ୟବସ୍ଥା ଉପରେ ସରକାର ନିୟମିତ ନଜର ରଖୁଛନ୍ତି। ଚାଷୀମାନେ ଆତଙ୍କିତ ନହୋଇ ଆବଶ୍ୟକତା ଅନୁଯାୟୀ ସାର କ୍ରୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।