ଚାଷୀଙ୍କ ଘରୁ ଲକ୍ଷାଧିକ ଟଙ୍କା, ୬ ଭରି ସୁନାଗହଣା ଚୋରି

କୋକସରା,୨୮ା୬(ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଚାରବାହାଲ ଶାନ୍ତି ନଗରପଡାର ଚାଷୀ ଜି.ଶ୍ରୀନିବାସ ରାଓଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ୬ ଭରି ଓଜନର ସୁନାଗହଣା ଚୋରି ହୋଇଥିବା କୋକସରା ଥାନାରେ ଅଭିଯୋଗ ହୋଇଛି। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ତଦନ୍ତ ଜାରି ରଖିଛି।
ଅଭିଯୋଗ ଅନୁସାରେ, ଶାନ୍ତିନଗରପଡ଼ାର ଜି. ଶ୍ରୀନିବାସ ରାଓଙ୍କ ଘର ବାରିପଟ ଦେଇ ଶୁକ୍ରବାର ରାତିରେ ଦୃବୃର୍ତ୍ତମାନେ ଘର କବାଟ ତାଡ଼ି ପଶିଥିଲେ। ସେମାନେ ଆଲମାରିରେ ଥିବା ୬ ଭରି ଓଜନର ସୁନାଗହଣା ଓ ୧ ଲକ୍ଷ ୪ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପରିବାର ଲୋକ କାଳେ ଉଠିବେ ସେଥିପାଇଁ ଚୋରମାନେ ବାହାର ପଟୁ କବାଟ ବନ୍ଦ କରିଦେଇଥିଲେ। ପରିବାର ଲୋକ ସକାଳୁ ଉଠିବା ପରେ ଆଲମିରା ଖୋଲା ଥିଲା। ଅନ୍ୟାନ୍ୟ ଜିନିଷ ଏଣେ ତେଣେ ପଡିଥିବା ଦେଖି ଚୋରି ହୋଇଥିବା ଜାଣିପାରିଥିଲେ। ରାଓ ଏ ନେଇ କୋକସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ତନାଘନା ଆରମ୍ଭ କରିଛି। ଏନେଇ କୋକସରା ଥାନାରେ ଏକ ମାମଲା(ନଂ ୧୬୧/୨୦) ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ ବାସୁଦେବ ଛତ୍ରିଆ କହିଛ।