ଭବାନୀପାଟଣା,୬ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଗତ ନଭେମ୍ବର ୨୯ରୁ ଆରମ୍ଭ ହୋଇଥିଲା। ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ମିଲରଙ୍କ ସହଯୋଗ ମନୋବୃତ୍ତି ଦେଖାଯାଇ ନ ଥିଲା। ଫଳରେ ଅନେକ ମଣ୍ଡିକୁ ବିକ୍ରି ପାଇଁ ଆସୁଥିବା ଧାନ ଠିକ୍ ଭାବେ ଉଠାଣ କରାଯାଇ ନ ଥିଲା। ଇତିମଧ୍ୟରେ ମାସେରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଜିଲାରେ ଧାନ କିଣାବିକା ସମସ୍ୟା ସମାଧାନ ହୋଇପାରିନାହିଁ। ଟୋକନ ସମସ୍ୟାକୁ ନେଇ ଚାଷୀମାନେ ମଣ୍ଡିକୁ ଧାନ ଆଣିପାରୁ ନ ଥିବାବେଳେ ଆସିଥିବା ଧାନ ମଧ୍ୟ ଠିକ୍ ଭାବେ ଉଠାଣ କରାଯାଉନାହିଁ। ଏହି ଦୃଷ୍ଟିରୁ ଅନ୍ୟ ବର୍ଷ ତୁଳନାରେ ଏଥର ଧାନ ସଂଗ୍ରହ ପ୍ରକ୍ରିୟା କେବଳ ବିଳମ୍ବିତ ହୋଇଛି ତା’ ନୁହେଁ, ଧାନବିକ୍ରି ଓ ଉଠାଣରେ ମନ୍ଥରତା ଦେଖାଦେଇଛି। ଏଭଳି ସ୍ଥିତିରେ ସୋମବାର ଅଲ ଓଡ଼ିଶା ମିଲର୍ସ ଆସୋସିଏଶନ ପକ୍ଷରୁ କଷ୍ଟମ ମିଲିଂ ଚାର୍ଜ ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ, ଧାନ ପରିବହନ ଖର୍ଚ୍ଚ ପ୍ରଦାନ ଦାବି ନେଇ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାପୂର୍ବରୁ ସେମାନେ ଜିଲାପାଳଙ୍କଠାରୁ ଆରମ୍ଭକରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ମିଲରଙ୍କ ଆନ୍ଦୋଳନ ଯୋଗୁ କଳାହାଣ୍ଡିରେ ସୋମବାରଠାରୁ ମଣ୍ଡିରୁ ଧାନ ଉଠାଣ ପ୍ରକ୍ରିୟା ବନ୍ଦ ହୋଇଯାଇଛି। ଫଳରେ ଜିଲାର ଚାଷୀଙ୍କ ସମସ୍ୟା ଦ୍ବିଗୁଣିତ ହୋଇଯାଇଛି। ଅନେକ ଚାଷୀଙ୍କ ଟୋକନ ଅବଧି ସରିଯିବା ସମ୍ଭାବନା ଥିବାବେଳେ ପରବର୍ତ୍ତୀ ରବି (ଡାଳୁଅ) ଚାଷ ପାଇଁ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା କରିଛନ୍ତି।
ଜିଲା ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ରବିବାର ସୁଦ୍ଧା ୪୯,୫୮୯ ଜଣ ଚାଷୀ ୨୨ଲକ୍ଷ ୫୩ ହଜାର ୬୭୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। କେବଳ ରବିବାର ଗୋଟିଏ ଦିନରେ ୨୯୯୨ ଜଣ ଚାଷୀଙ୍କ ୧ଲକ୍ଷ ୩୬ ହଜାର ୧୪୯ କୁଇଣ୍ଟାଲ ଧାନ ଉଠାଣ କରାଯାଇଛି। ଗତବର୍ଷ ଏହି ତାରିଖରେ ୫୧ହଜାର ୧୩ ଜଣ ଚାଷୀ ୨୩ଲକ୍ଷ ୬୫ ହଜାର ୨୯୩ କୁଇଣ୍ଟାଲ ଧାନ ବିକ୍ରି କରିସାରିଥିଲେ। କଳାହାଣ୍ଡି ଜିଲାକୁ ପ୍ରଥମ ପର୍ଯ୍ୟାୟରେ ୩୬ ଲକ୍ଷ ୫୮ ହଜାର କୁଇଣ୍ଟାଲ ଧାନ ଟାର୍ଗେଟ ଆସିଛି। ବର୍ତ୍ତମାନ ଜିଲାର ବହୁ ଚାଷୀ ଧାନ ବିକ୍ରି ଆଶାରେ ହାଡ଼ଭଙ୍ଗା ଶୀତରେ ମଣ୍ଡିରେ ପଡ଼ି ରହିଛନ୍ତି। ସେହିପରି ଅନେକ ଚାଷୀଙ୍କ ଟୋକନ ପଛରେ ରହିଥିବାରୁ ସେମାନେ ଖଳାରେ ଧାନ ରଖି ତାରିଖକୁ ଜଗି ବସିଛନ୍ତି। ଏପଟେ ମିଲରଙ୍କ ଆନ୍ଦୋଳନ ଯୋଗୁ ଚାଷୀ ମୁଣ୍ଡରେ ଚଡକ ପଡ଼ିଛି। ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରିଣୀ ସୁଜାତା ମିଶ୍ରକୁ ପଚାରିବାରୁ ମିଲରଙ୍କ ଆନ୍ଦୋଳନ ଯୋଗୁ ଜିଲାରେ ଧାନ ଉଠାଣ ବନ୍ଦ ରହିଛି। ସରକାରୀ ସ୍ତରରେ ମିଲରଙ୍କ ସହ ଆଲୋଚନା ଚାଲିଛି, ଖୁବ୍ଶୀଘ୍ର ସମାଧାନ ହେବ ଓ ଧାନ ଉଠାଣ ପ୍ରକ୍ରିୟା ସ୍ବାଭାବିକ ହେବ ବୋଲି କହିଥିଲେ।


