Categories: ଖେଳ

ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌: ଓଡ଼ିଶା ରେଡ୍‌, ଗ୍ରୀନ୍‌ ବିଜୟୀ

ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କିଟ୍‌ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ମହିଳା ଟି୨୦ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ୨ଟି ମ୍ୟାଚରେ ଓଡ଼ିଶା ରେଡ୍‌ ଓ ଗ୍ରୀନ୍‌ ଦଳ ବିଜୟ ହାସଲ କରିଛନ୍ତି। ଗୋଟିଏ ମ୍ୟାଚରେ ରେଡ୍‌ ୧୦ ଉଇକେଟରେ ଭାଓଲେଟ୍‌କୁ ହରାଇଥିବାବେଳେ ଅନ୍ୟଟିରେ ଗ୍ରୀନ୍‌ ୧୩ ରନ୍‌ରେ ୟେଲୋକୁ ପରାସ୍ତ କରିଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାଓଲେଟ୍‌ ୨୦ ଓଭରରେ ୫ ଉଇକେଟ ହରାଇ ୧୦୪ ରନ କରିଥିଲା। ଦଳ ପକ୍ଷରୁ କୁନି ବଦରା ସର୍ବାଧିକ ୨୮ ଓ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ୨୧ ରନ କରିଥିଲେ। ରେଡ୍‌ ପକ୍ଷରୁ ସ୍ବର୍ଣ୍ଣଲତା ନାୟକ, ଏସ୍‌.ବି. ଲରେନ୍ସ ଓ ରାଜଶ୍ରୀ ସ୍ବାଇଁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ରେଡ୍‌ ୧୫.୧ ଓଭରରେ କୌଣସି ଉଇକେଟ ନ ହରାଇ ୧୦୮ ରନ ସଂଗ୍ରହ କରି ନେଇଥିଲା। କାଜଲ ଜେନା ୫୦ ବଲ୍‌ରୁ ୧୦ ଚୌକା ସହାୟତାରେ ୬୧ ଓ ଅଧିନାୟିକା ମାଧୁରୀ ମେହେଟା ୪୧ ବଲ୍‌ରୁ ୪୩ ରନରେ ଅପରାଜିତ ରହିଥିଲେ। ଓସିଏ ସଦସ୍ୟା ହିରଣ୍ମୟୀ ଜେନା ଅତିଥିଭାବେ ଯୋଗଦେଇ କାଜଲଙ୍କୁ ଓମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟ ମ୍ୟାଚଟିରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗ୍ରୀନ୍‌ ୨୦ ଓଭରରେ ୭ ଉଇକେଟ ହରାଇ ୯୫ ରନ କରିଥିଲା। ଅଧିନାୟିକା ପ୍ରଜ୍ଞା ମହାନ୍ତି ସର୍ବାଧିକ ୩୫ ରନ କରିଥିବାବେଳେ ବିପକ୍ଷ ଦଳର ସୁଜାତା ମଲିକ ୨ଟି ଏବଂ ଲକ୍ଷ୍ମୀପ୍ରିୟା ନାଏକ ଓ ଅନନ୍ୟା ମିଶ୍ର ଗୋଟିଏ ଲେଖାଏ ଉଇକେଟ ପାଇଥିଲେ। ବିଜୟ ଲକ୍ଷ୍ୟ ୯୬ ରନ ଥିଲେ ହେଁ ୟେଲୋ ପ୍ରତିପକ୍ଷ ବୋଲରଙ୍କୁ ଠିକ୍‌ଭାବେ ମୁକାବିଲା କରି ନ ପାରି ୨୦ ଓଭରରେ ୯ ଉଇକେଟ ହରାଇ ୮୨ ରନ କରି ପାରିଥିଲା। ଦଳ ପକ୍ଷରୁ ପ୍ରିୟଙ୍କା ସାହୁ ସର୍ବାଧିକ ୧୫ ରନ କରିଥିଲେ। ବିଜୟୀ ଦଳର ରାମେଶ୍ୱରୀ ନାଏକ ୧୩ ରନରେ ୩ଟି, ରୋସନାରା ପରବିନ ୧୪ ରନରେ ୩ଟି, ସୁଶ୍ରୀ ସିଂ ୧୨ ରନରେ ଗୋଟିଏ ଏବଂ ଅପର୍ଣ୍ଣା ସାହୁ ୨୫ ରନରେ ଗୋଟିଏ ଉଇକେଟ ପାଇଥିଲେ। ପ୍ରଭାବୀ ବୋଲିଂ କରିଥିବା ରାମେଶ୍ୱରୀଙ୍କୁ ଅତିଥି ତଥା ଓସିଏ ସଦସ୍ୟା ଅନୁସ୍ମିତା ସ୍ବାଇଁ ଓମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।

Share