Categories: ଖେଳ

ଏମ୍‌ଜିଏମ୍‌ ଟି୨୦ ଲିଗ୍‌: ଓଡ଼ିଶା ପାନ୍ଥର୍ସ ଚାମ୍ପିୟନ

ଭୁବନେଶ୍ୱର, ୧୪।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ରେ ଓଡ଼ିଶା ପାନ୍ଥର୍ସ ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ପାନ୍ଥର୍ସ ୬ ଉଇକେଟରେ ଓଡ଼ିଶା ଲାୟନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଲାୟନ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୧୩ ରନ କରିଥିଲା। ଜବାବରେ ଓଡ଼ିଶା ପାନ୍ଥର୍ସ ୧୯.୧ ଓଭରରେ ୪ ଉଇକେଟ ହରାଇ ୧୧୫ ରନ ସଂଗ୍ରହ କରି ନେଇଥିଲା।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଲାୟନ୍ସର ଆରମ୍ଭ ଭଲ ହୋଇ ନ ଥିଲା। ସେମିଫାଇନାଲରେ ଶତକ ହାସଲକାରୀ ସ୍ବସ୍ତିକ ସାମଲ ମାତ୍ର ୪ ରନରେ ଆଉଟ ହେବା ଦଳପାଇଁ ଶକ୍ତ ଧକ୍କା ସଦୃଶ ହୋଇଥିଲା। ଦଳ ୩୬ ରନରେ ୪ ଉଇକେଟ ହରାଇଥିବାବେଳେ  ମିଡିଲ ଅର୍ଡରରେ ନଉତ୍ତମ ଭଞ୍ଜଙ୍କ ୩୮(୩୫ ବଲ, ୪ ଚୌକା, ୧ ଛକା) ରନ ବଳରେ ୧୧୩ ରନ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରାକେଶ ପଟ୍ଟନାୟକ ୧୬ ଓ ଚିନ୍ମୟ ସାହୁ ୧୫* ରନ କରିଥିଲେ। ପ୍ରତିପକ୍ଷ ଦଳର ବସନ୍ତ ମହାନ୍ତି, ଆଲୋକ ସାହୁ ଓ ପ୍ରଦୀପ ପ୍ରଧାନ ୨ଟି ଲେଖାଏ ଏବଂ ଶୁଭମ୍‌ ନାୟକ ଗୋଟିଏ ଉଇକେଟ ନେଇଥିଲେ। ୧୧୪ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ପାନ୍ଥର୍ସ ଆରମ୍ଭରେ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସ୍କୋର ବୋର୍ଡରେ ରନ ହେବା ପୂର୍ବରୁ ୨ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନ ଫେରି ସାରିଥିଲେ। ୧୯ ରନରେ ଦଳ ୩ୟ ଉଇକେଟ ହରାଇଥିବାବେଳେ ୧୦.୪ ଓଭର ବେଳକୁ ସ୍କୋର ୫୨/୪ ହୋଇଯାଇଥିଲା। ମିଡିଲ ଅର୍ଡରରେ ନିଶିକାନ୍ତ ରାଉତ (୩୧ରନ, ୨୫ ବଲ, ୪ ଚୌକା) ସତର୍କତାର ସହିତ ବ୍ୟାଟିଂ କରି ଇନିଂସ ସମ୍ଭାଳିଥିଲେ। ସେ ଆଉଟ ହେବାପରେ ଫର୍ମରେ ଥିବା ଅଭିଷେକ ଯାଦବ ଓ ଶୁଭମ୍‌ ନାୟକ ଅପରାଜିତ ରହି ୫ ବଲ୍‌ ବାକିଥାଇ ଦଳକୁ ଜିତାଇଥିଲେ। ୪୨ଟି ବଲ୍‌ ଖେଳିଥିବା ଅଭିଷେକ ୬ ଚୌକା ସହାୟତାରେ ୪୦ ଏବଂ ୩୦ ବଲ୍‌ରୁ ୨୯(୨ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ ଶୁଭମ୍‌। ଲାୟନ୍ସ ବୋଲରଙ୍କ ମଧ୍ୟରେ ଶିବାଶିଷ ସାହୁ, ଦୀପକ ବେହେରା ଓ ଅଭିଷେକ ଗିରି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଆଲୋକ ମଙ୍ଗରାଜ ଚମତ୍କାର ବୋଲିଂ କରି ୪ ଓଭରରେ ମାତ୍ର ୧୪ ରନ ଦେଇଥିଲେ ହେଁ ଉଇକେଟ ପାଇ ନ ଥିଲେ। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଶୁଭମ୍‌ ନାୟକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ପ୍ରତିଯୋଗିତାରେ ବ୍ୟାଟ୍ସମ୍ୟାନମାନେ ସମୁଦାୟ ୬୪୩ଟି ଚୌକା ଓ ୧୬୭ଟି ଛକା ମାରିଛନ୍ତି।
କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ)ର ସମ୍ପାଦକ ତଥା ପୂର୍ବତନ ଓସିଏ ଏବଂ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏଶନ (ଓଓଏ) ସମ୍ପାଦକ ଆଶୀର୍ବାଦ ବେହେରା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ତଥା ଆଇପିଏଲ ଗଭର୍ନିଂ କାଉନ୍‌ସିଲ ସଦସ୍ୟ ପ୍ରଜ୍ଞାନ ଓଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅମ୍ପାୟର ଅରୁଣ କୁମାର ବାସା, ଦୁର୍ଗାଦତ୍ତ ଦାସ ମ୍ୟାଚ ପରିଚାଳନା କରିଥିବାବେଳେ ବିଭୁ ଶତପଥୀ ତୃତୀୟ ଅମ୍ପାୟର ଥିଲେ। ସି.ଡି. ସୁନୀଲ ଓ ବିଶ୍ୱରଞ୍ଜନ ଦାସ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ।

Share