ଭୁବନେଶ୍ୱର,୯।୮: ସଫଳତାର ସହ ରବିବାର ସମାପ୍ତ ହୋଇଛି ‘ମେଟଲ ମିଟ୍ ୨୦୨୬’ର ସିନିୟର ବର୍ଗ ପ୍ରତିଯୋଗିତା। ଏହି ରୋମାଞ୍ଚକର ଜ୍ଞାନର ଲଢ଼େଇରେ ଆଇଆଇଟି ଖଡ଼ଗପୁର ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି।
ଏହି କଡ଼ା ମୁକାବିଲାରେ ଆଇଆଇଟି ଗୁଆହାଟୀ ପ୍ରଥମ ରନର୍ସ-ଅପ୍ ହୋଇଥିବାବେଳେ, କଟକର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଏନ୍.ଏଲ୍.ୟୁ.ଓ. ଦ୍ୱିତୀୟ ରନର୍ସ-ଅପ୍ ସ୍ଥାନ ଅଧିକାର କରିଛି। ମେଟଲ ମିଟ୍ ୨୦୨୬ର ସିନିୟର ବର୍ଗ ଏହାର ଯୋଗ୍ୟ ଚାମ୍ପିୟନମାନଙ୍କ ପାଇଁ ଏକ ସ୍ମରଣୀୟ ଅଧ୍ୟାୟ ସୃଷ୍ଟି କରିଛି।
ମେଟଲ ମିଟ୍ ୨୦୨୬ର ଜୁନିୟର ବର୍ଗରେ ଡିଏଭି ପବ୍ଲିକ ସ୍କୁଲ, ୟୁନିଟ-୮ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଏହି କଡ଼ା ପ୍ରତିଯୋଗିତାରେ ମଦର୍ସ ପବ୍ଲିକ ସ୍କୁଲ, ୟୁନିଟ-୧, ଭୁବନେଶ୍ୱର ପ୍ରଥମ ରନର୍ସ-ଅପ୍ ହୋଇଥିବାବେଳେ କିଟ୍ ଆନ୍ତର୍ଜାତୀୟ ବିଦ୍ୟାଳୟ ଭୁବନେଶ୍ୱର ଦ୍ୱିତୀୟ ରନର୍ସ-ଅପ୍ ସ୍ଥାନ ଅଧିକାର କରିଛି।
ସ୍ୱସ୍ତି ପ୍ରିମିୟମ ହୋଟେଲ୍ଠାରେ ଆୟୋଜିତ କୁଇଜର ଏହି ମହାକୁମ୍ଭରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରୁ ମୋଟ ୮୦ଟି ଟିମ୍ ଅଂଶଗ୍ରହଣ କରିଥିଲେ। ପ୍ରିଲିମ୍ସ ରାଉଣ୍ଡର ଜୁନିୟର ବର୍ଗରେ ୩୯ ଓ ସିନିୟର ବର୍ଗରେ ୪୧ଟି ଟିମ୍ ଭାଗ ନେଇଥିଲେ। ସେଥିମଧ୍ୟରୁ ଗ୍ରାଣ୍ଡ ଫିନାଲେ ପାଇଁ ଉଭୟ ବର୍ଗରୁ ୮ଟି ଲେଖାଏ ଟିମ୍ ମନୋନୀତ ହୋଇଥିଲେ।