ଭୁବନେଶ୍ୱର,୮।୮: ‘ମେଟଲ ମିଟ’ର ଦଶମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ସକାଳ ୮.୩୦ରୁ ଏହି କୁଇଜ ମହାକୁମ୍ଭ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ଚାଲିଥିବା ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ପ୍ରଥମ ଦିନ ପ୍ରିଲିମ ହେବାକୁ ଥିବାବେଳେ ଦ୍ୱିତୀୟ ଦିନ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। କୁଇଜିଂକୁ ପୁନର୍ଜୀବିତ କରିବା ପାଇଁ ୨୦୧୬ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ତା’ର ଲକ୍ଷ୍ୟ ହାସଲ କରିପାରିଛି। ଚଳିତବର୍ଷ ସାରା ରାଜ୍ୟରୁ ୮୦ଟି ଶିକ୍ଷାନୁଷ୍ଠାନରୁ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରୁଛନ୍ତି। ଜୁନିୟର ଗ୍ରୁପ୍ରେ ୩୯ଟି ଟିମ ଥିବାବେଳେ ସିନିୟର ଗ୍ରୁପ୍ରେ ୪୧ଟି ଟିମ ରହିଛନ୍ତି। ଏଥର ‘ମେଟଲ ମିଟ’ରେ ଛାତ୍ରୀଛାତ୍ରଙ୍କୁ ଅଜୟ ପୁନିଆଙ୍କ ପ୍ରଶ୍ନବାଣର ସାମ୍ନା କରିବାକୁ ପଡ଼ିବ।