ଭୁବନେଶ୍ୱର,୯।୮: ଏକ ରୋମାଞ୍ଚକର ଫାଇନାଲ ମୁକାବିଲା ସହ ଶେଷ ହୋଇଛି ମେଟଲ ମିଟ୍ ୨୦୨୬ ଜୁନିୟର ବର୍ଗ ପ୍ରତିଯୋଗିତା। ଜ୍ଞାନ ଓ ପ୍ରତିଭାର ଏହି ମୁକାବିଲାରେ ଭୁବନେଶ୍ୱରର ଡି.ଏ.ଭି. ପବ୍ଲିକ ସ୍କୁଲ, ୟୁନିଟ-୮ ଚାମ୍ପିୟନ୍ ହେବାର ଗୌରବ ଅର୍ଜନ କରିଛି।
ତୀବ୍ର ପ୍ରତିଯୋଗିତାପୂର୍ଣ୍ଣ ଏହି ମହାମୁକାବିଲାରେ ଭୁବନେଶ୍ୱରର ମଦର୍ସ ପବ୍ଲିକ ସ୍କୁଲ, ୟୁନିଟ-୧ ପ୍ରଥମ ରନର୍ସ-ଅପ୍ ହୋଇଥିବାବେଳେ, କିଟ୍ ଆନ୍ତର୍ଜାତୀୟ ବିଦ୍ୟାଳୟ (KIIT International School) ଦ୍ୱିତୀୟ ରନର୍ସ-ଅପ୍ ସ୍ଥାନ ଅଧିକାର କରିଛି।
ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ଏଭଳି ରୋମାଞ୍ଚକର ମଞ୍ଚ ଯୁବ ପ୍ରତିଭାମାନଙ୍କୁ ସେମାନଙ୍କର ବୌଦ୍ଧିକ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ବଡ଼ ସୁଯୋଗ ପ୍ରଦାନ କରିଛି।
ସ୍ୱସ୍ତି ପ୍ରିମିୟମ ହୋଟେଲ୍ଠାରେ ଆୟୋଜିତ କୁଇଜର ଏହି ମହାକୁମ୍ଭରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରୁ ମୋଟ ୮୦ଟି ଟିମ୍ ଅଂଶଗ୍ରହଣ କରିଥିଲେ। ପ୍ରିଲିମ୍ସ ରାଉଣ୍ଡର ଜୁନିୟର ବର୍ଗରେ ୩୯ ଓ ସିନିୟର ବର୍ଗରେ ୪୧ଟି ଟିମ୍ ଭାଗ ନେଇଥିଲେ। ସେଥିମଧ୍ୟରୁ ଗ୍ରାଣ୍ଡ ଫିନାଲେ ପାଇଁ ଉଭୟ ବର୍ଗରୁ ୮ଟି ଲେଖାଏ ଟିମ୍ ମନୋନୀତ ହୋଇଛନ୍ତି।