Categories: ଖେଳ

ମେରିକମ୍‌, ମନପ୍ରୀତ୍‌ ସିଂ ଭାରତର ପତାକା ବାହକ ହେବେ

ନୂଆଦିଲ୍ଲୀ, ୬ା୭ (ପି.ଟି.)-ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବରେ ବକ୍ସର ଏମ୍‌. ସି. ମେରିକମ୍‌ ଓ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ୍‌ ସିଂ ଭାରତର ପତାକା ବାହକ ହେବେ। ଅଗଷ୍ଟ ୮ ଉଦ୍‌ଯାପନୀ ଉତ୍ସବରେ ଭାରତର ଅନ୍ୟତମ ବଡ଼ ଆଶା ରେସ୍‌ଲର ବଜରଙ୍ଗ ପୁନିଆ ଭାରତର ପତାକା ବାହକ ହେବେ। ଭାରତୀୟ ଅଲିମ୍ପିକ କମିଟି (ଆଇଓଏ) ଗେମ୍ସର ଆୟୋଜକ କମିଟି ସହ ଯୋଗାଯୋଗ ପରେ ଏହି ନିଷ୍ପତ୍ତି ନେଇଛି। ପୂର୍ବରୁ ଲିଙ୍ଗଭେଦ ସମାନତାକୁ କାର୍ଯ୍ୟକାରୀ କରିବାକୁ ଯାଇ ଆସନ୍ତା ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତ ପ୍ରଥମ ଥର ଜଣେ ପୁରୁଷ ଓ ଜଣେ ମହିଳା ଦୁଇଜଣଙ୍କୁ ପତାକା ବାହକ କରିବା ଲାଗି ସ୍ଥିର କରିସାରିଥିଲା। ଆଇଓଏ ମୁଖ୍ୟ ନରିନ୍ଦର ବାତ୍ରା ନିକଟରେ ଏ ବିଷୟରେ ସୂଚନା ଦେଇଥିଲେ। ୨୦୧୬ ରିଓ ଡି’ ଜେନିରୋ ଗେମ୍ସର ଉଦ୍‌ଘାଟନୀ ଉତ୍ସବରେ ଦେଶର ଏକମାତ୍ର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଭାରତୀୟ ଦଳର ପତାକା ବାହକ ଦାୟିତ୍ୱ ତୁଲାଇଥିଲେ। ଟୋକିଓ ଗେମ୍ସ ଜୁଲାଇ ୨୩ରୁ ଆରମ୍ଭ ହେବ। ଏଥିରେ ବଭିନ୍ନ କ୍ରୀଡ଼ାରେ ୧୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଆଥ୍‌ଲେଟ ଭାଗନେବେ। ପ୍ରକୃତରେ ଏହି ଉତ୍ସବ ଗତବର୍ଷ ଆୟୋଜନ ହେବାର ଥିଲା। ମାତ୍ର କୋଭିଡ୍‌ ମହାମାରୀ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଗତବର୍ଷ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି)ର କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ବସିଥିଲା। ଗେମ୍ସରେ ଭାଗ ନେଉଥିବା ୨୦୬ ଦେଶ ସେମାନଙ୍କ ଦଳରେ ଅତିକମ୍‌ରେ ଜଣେ ପୁରୁଷ ଓ ଜଣେ ମହିଳା ଆଥ୍‌ଲେଟ ପତାକା ବାହକ ରଖିବା ଉଚିତ ବୋଲି ଏଥିରେ ମତପ୍ରକାଶ ପାଇଥିଲା ବୋଲି ଆଇଓସି ମୁଖ୍ୟ ଥୋମାସ୍‌ ବ୍ୟାକ୍‌ କହିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା।

Share