‘ମୁଁ ମୁଁ ମୁଁ’

କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ଭାବେ କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲ୍ୟୁସି) କାର୍ଯ୍ୟ କରିଥାଏ। ୧୬ ଅକ୍ଟୋବରରେ ଅନୁଷ୍ଠିତ ବୈଠକରେ କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଆସନ୍ତା ବର୍ଷ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଛି। ତେବେ ଯେଉଁ ବିଷୟ ସବୁଠାରୁ ଚର୍ଚ୍ଚାକୁ ଆସିଛି ତାହା ହେଲା ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଦୃଢ଼ୋକ୍ତି। ନିଜକୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ କହିବା ସହ ଅସନ୍ତୁଷ୍ଟ ୨୩ ଜଣ ନେତା (ଜି-୨୩)ଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଅସନ୍ତୁଷ୍ଟଙ୍କ ମଧ୍ୟରେ ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଯଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ୍‌ନବୀ ଆଜାଦ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜିନ୍ଦର କୌର ଭଟ୍ଟଲ, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା, କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. ବୀରାପ୍ପା ମୋଇଲି ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚଭନଙ୍କ ସମେତ ଏକାଧିକ କେନ୍ଦ୍ର ମନ୍ତ୍ରୀ ଓ ବରିଷ୍ଠ ନେତା ରହିଛନ୍ତି। ଦଳ ମଧ୍ୟରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ରହୁନାହିଁ ବୋଲି ଏହି ନେତାମାନେ ଏକାଧିକ ଥର ସୋନିଆଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏପରି କି ସେମାନେ ଗଣମାଧ୍ୟମ ଆଗରେ ପାର୍ଟିର ଦୁର୍ବଳ କଥା କହି ଦେଉଥିବାରୁ ସୋନିଆ ପ୍ରତିକ୍ରିୟାଶୀଳ ହୋଇ ନିଜକୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ବୋଲି କହିଦେଇଛନ୍ତି। ଏଠାରେ ମନେପଡ଼େ ଚାଇନା କମ୍ୟୁନିଷ୍ଟ ପାର୍ଟି ସାଧାରଣ ସମ୍ପାଦକ ତଥା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ କଥା। ଏକଚ୍ଛତ୍ରବାଦରେ ବୁଡ଼ି ରହିଥିବା ଚାଇନାର ଏହି ନେତା ତାଙ୍କ ବିରୋଧୀଙ୍କ କୌଣସି ମତକୁ ଗୁରୁତ୍ୱ ଦେବାକୁ ଚାହୁଁନାହାନ୍ତି। ଜିନ୍‌ପିଙ୍ଗ କ୍ଷମତାରେ ଥିବାବେଳେ ଏଭଳି କାର୍ଯ୍ୟ କରୁଛନ୍ତି। କିନ୍ତୁ କ୍ଷମତାରେ ନ ଥାଇ ସୋନିଆଙ୍କ ଏଭଳି କ୍ଷମତା ଲୋଭ ଦଳକୁ ମୁମୂର୍ଷୁ ଅବସ୍ଥାକୁ ଟାଣି ନେଲାଣି। ଏଠାରେ ସ୍ମରଣ କରାଯାଇପାରେ ଯେ, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ଦଳରେ ନେତୃତ୍ୱ ସଙ୍କଟ ଦେଖାଦେବାରୁ ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା।
ଦେଶର ସର୍ବପୁରାତନ ଦଳ କଂଗ୍ରେସକୁ ୨୦୧୪ ସାଧାରଣ ନିର୍ବାଚନରେ ପ୍ରଥମେ ଗ୍ରହଣ ଲାଗିଥିଲା। ସେତେବେଳେ ଏହା ଲୋକ ସଭାରେ ବିରୋଧୀ ଦଳ ନେତା ଆସନ ପାଇବାକୁ ଯୋଗ୍ୟ ହେଲା ନାହିଁ। ଉପା ୧ ଓ ୨ ସରକାର ଅମଳରେ ଅତ୍ୟଧିକ ଦୁର୍ନୀତି ଓ ଅରାଜକତା ଯୋଗୁ ଦେଶବାସୀ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଥିଲେ। ବିଫଳତାରୁ କିଛି ନ ଶିଖି ଏହି ଦଳର ନେତୃତ୍ୱ ଭାବି ନେଇଥିଲେ ଯେ ପରବର୍ତ୍ତୀ ନିର୍ବାଚନରେ ଭୋଟର କଂଗ୍ରେସକୁ ପୁଣି ଗ୍ରହଣ କରିନେବେ। ସେହି ଭାବନା ଭୁଲ ସାବ୍ୟସ୍ତ ହେଲା। ୨୦୧୯ ସାଧାରଣ ନିର୍ବାଚନରେ ଦଳ ପୂର୍ବାପେକ୍ଷା ଆହୁରି ଖରାପ ପ୍ରଦର୍ଶନ କଲା। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଯେତେବେଳେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ବା ନେତା ତୃଣମୂଳ ସ୍ତରର ସମସ୍ୟା ଓ ଲୋକଙ୍କଠାରୁ ଛିନ୍ନ ହୋଇଯାଆନ୍ତି, ସେତେବେଳେ ତାଙ୍କ ଗ୍ରହଣୀୟତା ହ୍ରାସ ପାଇଯାଏ। କଂଗ୍ରେସର ଅସୁବିଧା ଗାନ୍ଧୀ ପରିବାରଠାରେ ଲାଗି ରହିଥିବାରୁ ସମାଧାନର ବାଟ ବାହାରିପାରୁ ନାହିଁ। ବିରୋଧୀ ଦଳଗୁଡ଼ିକ ବଂଶବାଦ ରାଜନୀତି ବିପକ୍ଷରେ ଅନେକ ବର୍ଷ ଧରି କହି ଆସି ଲାଭ ଉଠାଇବା ସତ୍ତ୍ୱେ କଂଗ୍ରେସ କୌଣସି ଶିକ୍ଷା ପାଇବାକୁ ଯେଭଳି ଅରାଜି ମନେହେଉଛି। ଯଦି ପାର୍ଟିର ଉପରୁ ତଳ ସ୍ତର ଯାଏ ଥିବା କର୍ମୀଙ୍କ ମତ ଓ ପ୍ରତିକ୍ରିୟାକୁ ହାଇକମାଣ୍ଡ୍‌ ଶୁଣିଥାଆନ୍ତେ, ତାହା ହେଲେ ସ୍ଥିତି ଆଜି ବିଗିଡ଼ି ଯାଇ ଏଭଳି ଦୟନୀୟ ହୋଇ ନ ଥାଆନ୍ତା। ଆଜିର କଂଗ୍ରେସ ନେତୃତ୍ୱ ପୁରୁଣା ଦିନର ହାଇକମାଣ୍ଡ୍‌ ମାନସିକତାରୁ ଊର୍ଦ୍ଧ୍ୱକୁ ଯାଇପାରି ନାହିଁ। ଦିଲ୍ଲୀରେ ବସି କର୍ମୀଙ୍କୁ ନିର୍ଦ୍ଦେଶ ଦେଇଦେଲେ ସମସ୍ତେ ମାନିଯିବେ ବୋଲି ଯେଉଁ ଚିନ୍ତାଧାରା ଗଡ଼ି ଆସିଥିଲା, ଆଜିର ସମୟରେ ତାହା ଅଚଳ ପଇସା ହୋଇଗଲାଣି। ଭୂରାଜନୈତିକ ସ୍ଥିତିକୁ ଦେଖିଲେ ଏବେ ନେତା ହେବା ସମ୍ଭବପର ହେବ ଯଦି ଭୋଟ୍‌ ଆଣିବାର କ୍ଷମତା ଥିବ। କେବଳ ଦଳର ତଣ୍ଟି ଧରି ବସି ରହିଲେ ଆପଣାଛାଏଁ କ୍ଷମତା ଚାଲିଆସିବ ନାହିଁ। ଗାନ୍ଧୀ ପରିବାରର ଗୋଟିଏ ବିରାଟବଡ଼ ଆଭ୍ୟନ୍ତରୀଣ ସମସ୍ୟା ରହିଛି। ମା’ ପୁଅ ଓ ଝିଅଙ୍କ ସମେତ ସେମାନଙ୍କ କେତେକ ଅନୁଗତ ଭାବୁଛନ୍ତି ଯେ, ନରେନ୍ଦ୍ର ମୋଦିଙ୍କ ଉପରେ ଅତିଷ୍ଠ ହୋଇ ଭୋଟର ଭାଜପାକୁ ଗାଦିଚ୍ୟୁତ କରି କଂଗ୍ରେସଗାନ୍ଧୀଙ୍କୁ କ୍ଷମତାକୁ ଫେରାଇ ଆଣିବେ। ଏହି ଚିନ୍ତାଧାରା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ। ସହଜରେ କୌଣସି କାର୍ଯ୍ୟ ହେବା ଭଳି ମନେହେଉ ନାହିଁ। ଭାଜପା ବିରୋଧରେ ଲଢ଼ିବାକୁ ହେଲେ ଧର୍ମ ଉପରେ ଆଧାରିତ ଯୁଦ୍ଧରେ ଜିତିବା କଷ୍ଟକର। ସେଥିପାଇଁ କେବଳ ଅର୍ଥନୈତିକ ଦୁରବସ୍ଥାକୁ ଯଦି ବାରମ୍ବାର ଲୋକଙ୍କ ସାମ୍ନାକୁ ଆଣି ଦେଶବ୍ୟାପୀ ଭ୍ରମଣ କରିବାକୁ କୌଣସି ନେତା ପ୍ରସ୍ତୁତ ହୁଅନ୍ତି, ତେବେ ସ୍ଥିତି ବଦଳିବା ଅବଶ୍ୟମ୍ଭାବୀ। ଦୁଃଖର ବିଷୟ ଯେ, କଂଗ୍ରେସର ଗାନ୍ଧୀ ପରିବାର ଭିତରୁ ଏଭଳି କୌଣସି ଯୋଗ୍ୟ ବ୍ୟକ୍ତି ନାହାନ୍ତି ଯିଏ ସଙ୍ଗଠନକୁ ସୁଦୃଢ଼ କରିବା ସହ ଦେଶବ୍ୟାପୀ ଏକ ଜନଜାଗରଣ କରିପାରିବେ। ଗାନ୍ଧୀ ପରିବାର କେବଳ ‘ମୁଁ ମୁଁ ମୁଁ’ରେ ରହିଗଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri