ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ ଅନେକ ଇଚ୍ଛା ଓ ଆଶା ପୂରଣ କରିଥାଏ। ଅନେକ ସମୟରେ କେତେଜଣ ବ୍ୟକ୍ତି ମନସ୍କାମନା ପୂରଣ ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରିଥାନ୍ତ। ମନେ ମନେ କିଛି ପ୍ରାପ୍ତି ପାଇଁ ଭଗବାନଙ୍କ ନିକଟରେ ଗୁହାରି କରିଥାନ୍ତି। ବିଭିନ୍ନ ପଦ୍ଧତିରେ ମନସ୍କାମନା ପୂରଣ ପାଇଁ ଭଗବାନ୍‌ଙ୍କ ଶରଣାପନ୍ନ ହୋଇଥାନ୍ତି। ମଣିଷ ସଦାବେଳେ ଚାହେଁ କିଛି ପାଇବା ପାଇଁ। ମଣିଷର ଇଚ୍ଛା କେବେ ପୂରଣ ହୁଏ ନାହିଁ। ସେହି କ୍ରମରେ ସାମ୍ପ୍ରତିକ ସମାଜରେ ଅଧିକ ପ୍ରତିଶତ ମଣିଷ କେବଳ କିଛି ପ୍ରାପ୍ତି ହେଲେ ଶାନ୍ତିହୁଏ।
ମନକୁ ବିଶ୍ଳେଷଣ ଓ ନିୟନ୍ତ୍ରଣ କରିବା ହେଉଛି ଏକ ଯୋଗକ୍ରିୟା, ଯେଉଁଠି ମନକୁ ନିୟନ୍ତ୍ରଣରେ ରଖି କାର୍ଯ୍ୟ ସମ୍ପାଦନ କରିଥାଏ। ମନ ଇଚ୍ଛା କରିବା ବା କେତେବେଳେ କେତେବେଳେ ଈପ୍ସିତ ଇଚ୍ଛା ପ୍ରାପ୍ତିହେବା ଏକ ଘଟଣା ହୋଇପାରେ, ମାତ୍ର ଧର୍ମକୁ ଢାଲକରି ସମ୍ପ୍ରତି ସମାଜରେ ଯେଉଁ ପ୍ରକାର ମନସ୍କାମନା ପୂର୍ଣ୍ଣ ପାଇଁ ପନ୍ଥା ଅବଲମ୍ବନ କରାଯାଉଛି ତାହା ସାମାଜିକ ବ୍ୟବସ୍ଥା ବା ଗତାନୁଗତିକ ପଦ୍ଧତିକୁ କ୍ରମଶଃ ଦୁର୍ବଳ ଓ କଳୁଷିତ କରୁଛି। ପାର୍ଥିବ ବସ୍ତୁ ପ୍ରାପ୍ତିର ମନସ୍କାମନା ପାଇଁ ମଣିଷ ଯେକୌଣସି ପରିସ୍ଥିତିକୁ ବିଶ୍ୱାସ କରିଥାଏ, ମାତ୍ର ବାସ୍ତବ ମନସ୍କାମନା ଯାହା ମୋକ୍ଷ ପ୍ରାପ୍ତି ପାଇଁ ଉଦ୍ଦିଷ୍ଟ ତାହା ଚିନ୍ତା କରି ପାରେ ନାହିଁ। କେବଳ ମଣିଷ ଅହେତୁକ ବିଧି ବ୍ୟବସ୍ଥା ତଥା ଅକରଣୀୟ ବିଶ୍ୱାସରେ ମନସ୍କାମନା ପୂର୍ଣ୍ଣ ପାଇଁ ଭଗବାନଙ୍କ ନିକଟରେ ନିବେଦନ କରିଥାଏ। ଜଣେ ବ୍ୟକ୍ତି ମନସ୍କାମନା ପୂର୍ଣ୍ଣ ପାଇଁ ଯେତେବେଳେ କୌଣସି ମନ୍ଦିରକୁ ବା କୌଣସି ଶଠ ବାବାଙ୍କ ନିକଟକୁ ଯାଏ, ସେତେବେଳେ ପୂଜକ ଭକ୍ତ ପ୍ରଦାନ କରିଥିବା କିଛି ସାମଗ୍ରୀ ଭଗବାନ୍‌ଙ୍କ ଉଦ୍ଦେଶ୍ୟରେ ଅର୍ପଣକରି ମନୋବାଞ୍ଛା ପୂର୍ଣ୍ଣ ହେଉ ବୋଲି କହିଥାନ୍ତି। ସେହିପରି ବାବାମାନେ ଭକ୍ତର ମନୋବାଞ୍ଛା ପୂର୍ଣ୍ଣ ହେଉ ବୋଲି କହି ଭକ୍ତକୁ ଆଶ୍ୱାସନା ଦେଇଥାନ୍ତି। ଏଥିରେ ଭକ୍ତ ଖୁସି ହୋଇଥାଏ ଓ ଅଧିକ ବିଶ୍ୱାସ କରିଥାଏ।
ଯେଉଁ ଭକ୍ତ ନିଷ୍ଠାର ସହ ସ୍ବୟଂ ଈଶ୍ୱରଙ୍କ ନିକଟତର ହୋଇପାରେ ନାହିଁ, ସେ କୌଣସି ମାଧ୍ୟମ ଦ୍ୱାରା କେତେଦୂର ସଫଳ ହୋଇପାରେ ତାହା ଚିନ୍ତା କରିବାର ବିଷୟ। ମନୋବାଞ୍ଛା ପୂର୍ଣ୍ଣ ପାଇଁ ମାଧ୍ୟମ ଦ୍ୱାରା ଭକ୍ତକୁ କେତେ କ’ଣ ଦେବାକୁ ପଡ଼ିଥାଏ ଯାହା ହେଉଛି ସମାଜର ଏକ ଅଜ୍ଞତା। ଧର୍ମ ମାଧ୍ୟମରେ ଇଚ୍ଛା ପୂରଣ କରିବା ରୀତିନୀତି, ଭକ୍ତି ଓ ପ୍ରାର୍ଥନାକୁ ଅନ୍ତର୍ଭୁକ୍ତ କରିପାରେ। କିନ୍ତୁ ମୂଳ ଲକ୍ଷ୍ୟ ବେଳେବେଳେ ସାଂସାରିକ ଇଚ୍ଛାରୁ ଆଧ୍ୟାତ୍ମିକ ପୂର୍ଣ୍ଣତା ବା ଈଶ୍ୱରଙ୍କ ଇଚ୍ଛାକୁ ଗତିଶୀଳ ହୋଇଥାଏ। ମନ୍ତ୍ର ପଢ଼ିବା, ପ୍ରାର୍ଥନାରେ ନିୟୋଜିତ ହେବା ଓ ନିର୍ଦ୍ଦିଷ୍ଟ ରୀତିନୀତି କରିବା ଭଳି ଅଭ୍ୟାସ ବ୍ୟକ୍ତିଗତ ଆକାଂକ୍ଷା ହାସଲକରିବା ପାଇଁ ବ୍ୟବହୃତ ହେଉଥିବାବେଳେ ଅନ୍ୟ ବ୍ୟବସ୍ଥାଗୁଡ଼ିକ ଇଚ୍ଛାରୁ ବିଚ୍ଛିନ୍ନ ହେବା ବା ଆଧ୍ୟାତ୍ମିକ ଅଭିବୃଦ୍ଧିରେ ସନ୍ତୁଷ୍ଟତା ତଥା ପବିତ୍ରତା ଅନୁସରଣକୁ ଗୁରୁତ୍ୱ ଦେଇଥାଏ। ବିଶ୍ୱାସ ମାଧ୍ୟମରେ ଇଚ୍ଛାର ପୂର୍ଣ୍ଣତା ହେଉଛି ଏକ ମାନସିକ ଶାନ୍ତି, ଯେଉଁଠାରେ ବ୍ୟକ୍ତି ଏକାଗ୍ର ଚିନ୍ତାଧାରା, ତତ୍ତ୍ୱ ବା ଆଦର୍ଶକୁ ଦୃଢ଼ ଭାବରେ ପାଳନକରି ସନ୍ତୋଷ ପାଇଥା’ନ୍ତି। ସ୍ବାର୍ଥପର ବିଶ୍ୱାସ ମାଧ୍ୟମରେ ସାମ୍ପ୍ରତିକ ଇଚ୍ଛା ପୂରଣ କରିବାର କଳ୍ପନା ଅନେକଙ୍କ ମଧ୍ୟରେ ଏକ ପରମ୍ପରାରେ ପରିଣତ ହୋଇ ମନୋବାଞ୍ଛା ପୂରଣ ପାଇଁ ଉତ୍ସାହିତ ହେଉଛି। ସ୍ବାର୍ଥପର ବିଶ୍ୱାସ ଅହଙ୍କାର ଓ ‘ମୁଁ ଓ ମୋର’ର ଧାରଣା ଉପରେ କେନ୍ଦ୍ରିତ। ଅହଙ୍କାର ଇଚ୍ଛାରେ ବ୍ୟକ୍ତିଗତ ଲୋଭ ଓ ଅଭିଳାଷ ଏକ ଆତ୍ମକେନ୍ଦ୍ରିତ ଦୃଷ୍ଟିକୋଣ ଉପରେ ଦଣ୍ଡାୟମାନ। ଉଦ୍ଦେଶ୍ୟମୂଳକ ସ୍ବାର୍ଥପରତାରେ ନିଜର ଇଚ୍ଛାର ପ୍ରତ୍ୟକ୍ଷ ଓ ସଚ୍ଚୋଟ ଅନୁସରଣ, ସ୍ବାର୍ଥପର ପ୍ରେରଣାଠାରୁ ଭିନ୍ନ ବୋଲି ଜଣାଯାଏ। ସ୍ବାର୍ଥପର ବିଶ୍ୱାସ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ନିଜର ଅଭିଳାଷ ଓ ଭୋଗକୁ ନିଜ କର୍ତ୍ତବ୍ୟ ବା ଅନ୍ୟମାନଙ୍କ କଲ୍ୟାଣଠାରୁ ଅଧିକ ସ୍ଥାନିତ କରିବାକୁ ଆଗେଇ ନେଇଥାଏ। ଅହଙ୍କାର ସ୍ବୀକାର କରେ ଯେ, ଦୀର୍ଘ ସମୟ ମଧ୍ୟରେ ସ୍ବଳ୍ପ ମିଆଦୀ ଇଚ୍ଛା ପୂରଣ କରିବା ବ୍ୟକ୍ତି ପାଇଁ କ୍ଷତିକାରକ ହୋଇପାରେ। ଜଣେ ସ୍ବାର୍ଥପର ବ୍ୟକ୍ତି ତୁରନ୍ତ ଯାହା ଚାହେଁ ତାହା ସର୍ବଦା କରିପାରେ ନାହିଁ, ମାତ୍ର ସର୍ବଦା ନିଜ ସ୍ବାର୍ଥରେ କାର୍ଯ୍ୟ କରିଥାନ୍ତି। ସ୍ବାର୍ଥପର ବିଶ୍ୱାସ ଜଣେ ବ୍ୟକ୍ତିଙ୍କୁ ନିଜ ଲାଭ ପାଇଁ ଅନ୍ୟମାନଙ୍କୁ ନିୟନ୍ତ୍ରଣ କିମ୍ବା ଅବମାନନା କରିପାରେ, କିନ୍ତୁ ଏଥିରେ ଥାଏ ଲୁକ୍କାୟିତ ଅଭିଳାଷ, ଅଭିସନ୍ଧି। ଆଶ୍ଚର୍ଯ୍ୟର ବିଷୟ ଯେ ମନୋବାଞ୍ଛା ପୂର୍ଣ୍ଣହେବା ପାଇଁ ମଣିଷ ଅନ୍ୟର ସାହାଯ୍ୟ କାହିଁକି ନେଇଥାଏ ଓ ମାଧ୍ୟମ କେଉଁ ଦୃଷ୍ଟିକୋଣ ବା ଆଧାରରେ ଅତି ଦାମ୍ଭିକତାର ସହ କହିଥାନ୍ତି ମନସ୍କାମନା ପୂର୍ଣ୍ଣହେଉ। ଏଥିରେ ଦ୍ୱିପାକ୍ଷିକ ନେଣଦେଣରେ ତୃତୀୟ ବ୍ୟକ୍ତିର ଆଭାସ ସମାଜର କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥାଏ। ବ୍ୟକ୍ତି ଯେତେବେଳେ ଗୁରୁଜନମାନଙ୍କୁ ବା ବାପାମା’ଙ୍କୁ ପ୍ରଣାମ କରିଥାନ୍ତି ସେତେବେଳେ ସେମାନେ ଆଶୀର୍ବାଦ ଦେବା ଶୁଭଙ୍କର ବା ମାନ୍ୟ ବୋଲି ଗ୍ରହଣ କରାଯାଏ ଯାହା ଥାଏ ଅନ୍ତରାତ୍ମାର ଉଦ୍ରେକ। ଅତଏବ ମନସ୍କାମନା କ’ଣ ନିର୍ଭର କରିଥାଏ ସ୍ବାର୍ଥ ସହ ଚୁକ୍ତି ନା ଭଗବାନ୍‌ଙ୍କ ସହ ସହବନ୍ଧନ।
ମନସ୍କାମନା ସେତେବେଳେ ପୂର୍ଣ୍ଣ ହୋଇଥାଏ, ଯେତେବେଳେ ମଣିଷ ନିଜର କର୍ମକୁ ନିଜେ ମୋହର ଦେଇଥାଏ ଓ ନିଜେ ସ୍ବଚ୍ଛ ବୋଲି ପ୍ରତିପାଦନ କରିଥାଏ। ମାତ୍ର ଏଥିରେ ଯଦି ମଣିଷ ବିଫଳହୁଏ ବା ମନସ୍କାମନା ପୂର୍ଣ୍ଣ ହୋଇ ନ ଥାଏ ତେବେ ସଗୁଣ କର୍ମ ବା କର୍ମରେ ଆତ୍ମସ୍ବାର୍ଥ ନିହିତ ରହିଛି ବୋଲି ସ୍ବୀକାର କରିବାକୁ ପଡ଼ିଥାଏ। ଜୀବଦ୍ଦଶା ମଧ୍ୟରେ ମଣିଷ ଅନେକ କିଛି ପାଇଥାଏ ଓ ଅନେକ କିଛି ପାଇ ନ ଥାଏ।
ତେବେ ସେଥିପାଇଁ ମଣିଷ ବ୍ୟଗ୍ର ହୋଇ କେବଳ ପାଇବା ପାଇଁ ବିକଳହୋଇ ସମସ୍ତ ଜୀବନର ସମୟ ଯଦି ସାଂସାରିକ ବସ୍ତୁବାଦରେ ଜଡ଼ିତ ହୁଏ, ତେବେ ମନସ୍କାମନା ପୂର୍ଣ୍ଣ ଅସମ୍ଭବ ହୋଇଥାଏ ଓ ଶେଷରେ ମଣିଷ ଭଗବାନ୍‌ଙ୍କୁ ନିବେଦନ କରିବ ଅମରତ୍ୱର ମନସ୍କାମନା। ମଣିଷ ସଦାବେଳେ କେବଳ ମନସ୍କାମନା ପୂର୍ଣ୍ଣ ପାଇଁ ମନ୍ଦିର ବା ବାବାମାନଙ୍କର ଶରଣାପନ୍ନ ହେଉଛନ୍ତି ଓ ଶିକାର ମଧ୍ୟ ହେଉଛନ୍ତି ଯାହା ଏକ ପ୍ରହେଳିକାର ମାୟାଜାଲ। ତେଣୁ ଜୀବନର ନୈତିକ ମୂଲ୍ୟବୋଧକୁ ସାର୍ଥକକରିବା ପାଇଁ ସ୍ବାର୍ଥର ଅନ୍ଧକାରଯୁକ୍ତ ଅସରନ୍ତି ମନସ୍କାମନା ପୂର୍ଣ୍ଣର ଭିକ୍ଷା ପରିବର୍ତ୍ତେ ମଣିଷ ବାସ୍ତବ ଚିରନ୍ତନ ଆଶୀର୍ବାଦର ଭିକ୍ଷାକରୁ ଯେଉଁଥିରେ ମାଧ୍ୟମ ରହିତ ସ୍ବତଃ ଉଦ୍ଭାଷିତ ହେଉଥିବ ଭକ୍ତର ମନସ୍କାମନା ପୂର୍ଣ୍ଣହେଉ।
ମୋ: ୯୯୩୭୩୪୫୯୦୦

Odisha’s No.1 Odia Daily