Categories: ଖେଳ

ମ୍ୟାକ୍ସଓ୍ବେଲ ହେବେ ବାଙ୍ଗାଲୋରର ମୁଖ୍ୟ ଅସ୍ତ୍ର: ହେସନ

ନୂଆଦିଲ୍ଲୀ,୧।୪(ପି.ଟି.): ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ବିସ୍ଫୋରକ ତଥା ଆକ୍ରମଣାତ୍ମକ ବ୍ୟାଟିଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ। ଆଗାମୀ ସଂସ୍କରଣରେ ସେ ଦଳର ମୁଖ୍ୟ ଅସ୍ତ୍ର ହେବେ ବୋଲି ଆରସିବି ଡାଇରେକ୍ଟର ଅଫ୍‌ କ୍ରିକେଟ ମାଇକ ହେସନ କହିଛନ୍ତି। ପଞ୍ଜାବ କିଙ୍ଗ୍ସ ମ୍ୟାକ୍ସଓ୍ବେଲଙ୍କୁ ରିଲିଜ କରିବା ପରେ ତାଙ୍କୁ ୧୪.୨୫ କୋଟି ଟଙ୍କା ବିନିମୟରେ ବାଙ୍ଗାଲୋର ଏଥର କ୍ରୟ କରିଛି। ମିଡ୍‌ଲ ଅର୍ଡରରେ ସେ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ଦଳକୁ ବଡ଼ ସ୍କୋର ପ୍ରଦାନ କରିବାର କ୍ଷମତା ରଖନ୍ତି ଓ ସେ ଜଣେ ମ୍ୟାଚ୍‌ ଓ୍ବିନର ବୋଲି ହେସନ କହିଛନ୍ତି। ଗତ ସଂସ୍କରଣରେ ଆରସିବିର ମିଡ୍‌ଲ ଅର୍ଡର ସେତେଟା ଦୃଢ଼ ନ ଥିଲା। ତେବେ ନିଜର ଭୂମିକା ବା ରୋଲକୁ ମ୍ୟାକ୍ସଓ୍ବେଲ ହୃଦୟଙ୍ଗମ କରିବା ଉଚିତ। ସେ ଜଣେ ଅଭିଜ୍ଞ ଓ ପ୍ରତିଭା ସମ୍ପନ୍ନ ଖେଳାଳି। ତେଣୁ ଦଳ ତାଙ୍କଠାରୁ ବହୁତ କିଛି ଆଶା କରୁଛି ବୋଲି ସେ କହିଛନ୍ତି। ସେହିପରି ୬ ଫୁଟ ୯ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର କାଏଲ ଜେମିସନ ମଧ୍ୟ ଆରସିବି ପାଇଁ ସଫଳତ ଆଣିଦେବେ। ତାଙ୍କ ଉଚ୍ଚତାରୁ ସେ ଅତିରିକ୍ତ ବାଉନ୍ସ କରି ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇପାରିବେ। ସେହିପରି ନବଦୀପ ସଇନି ଓ ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣକୁ ଦଳ ଗୁରୁତ୍ୱ ଦେବ। ନୂଆ ବଲ୍‌ରେ ସିରାଜ ବିପଜ୍ଜନକ ମନେ ହୁଅନ୍ତି। ସେହିପରି ଅଧିନାୟକ ଓ ବ୍ୟାଟ୍ସମ୍ୟାନ ଭାବେ ବିରାଟ କୋହଲି ପୁଣି ଥରେ ନିଜର ଦକ୍ଷତା ପ୍ରମାଣ କରିବେ। ସେ ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି। ସେହିପରି ମଧ୍ୟ ପ୍ରଦେଶର ରଜତ ପଟିଦାର ଓ କେରଳର ମହମ୍ମଦ ଆଝାରୁଦ୍ଦିନଙ୍କ ଉପରେ ସମସ୍ତଙ୍କ ନଜର ରହିଛି ବୋଲି ହେସନ କହିଛନ୍ତି।

Share