Categories: ଖେଳ

ମ୍ୟାଚ୍‌ ଫିକ୍ସିଂ: ଜୋୟସା ୬ ବର୍ଷ ବାସନ୍ଦ

ଦୁବାଇ,୨୯।୪(ପି.ଟି.): ଶ୍ରୀଲଙ୍କା ପୂର୍ବତନ ଦ୍ରୁତ ବୋଲର ତଥା କୋଚ୍‌ ନୂଆନ ଜୋୟସା ସବୁପ୍ରକାର କ୍ରିକେଟରୁ ୬ ବର୍ଷ ବାସନ୍ଦ ହୋଇଛନ୍ତି। ମ୍ୟାଚ୍‌ ଫିକ୍ସିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ବୁଧବାର ବାସନ୍ଦ କରାଯାଇଛି ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଜେନେରାଲ ମ୍ୟାନେଜର- ଇଣ୍ଟିଗ୍ରିଟି ୟୁନିଟ୍‌ ଆଲେକ୍ସ ମାର୍ଶାଲ କହିଛନ୍ତି। କ୍ରିକେଟରେ ସ୍ବଚ୍ଛତାକୁ ପ୍ରାଧାନ୍ୟ ଦିଆଯିବ ଓ କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଜଣେ ଭାରତୀୟ ବୁକିଙ୍କଠାରୁ ସେ ଦୁର୍ନୀତି ପ୍ରସ୍ତାବ ପାଇଥିଲେ ମଧ୍ୟ ସେ ଏହାକୁ ସାର୍ବଜନୀନ କରି ନ ଥିଲେ। ସେ ମଧ୍ୟ ପୂର୍ବରୁ ୨୦୧୮ ଅକ୍ଟୋବର ୩୧ ତାରିଖରେ ସାମୟିକ ଭାବେ ବାସନ୍ଦ ହୋଇଥିଲେ। ସେ ମଧ୍ୟ ଶ୍ରୀଲଙ୍କା ଜାତୀୟ ଦଳରେ କୋଚ୍‌ ରହିଛନ୍ତି। ଦୁର୍ନୀତି କରିବା ବଦଳରେ ସେ ସମସ୍ତଙ୍କର ରୋଲ ମଡେଲ ଭାବେ ପରିଚିତ ହେବା ଆବଶ୍ୟକ। ତେବେ ତାଙ୍କ କାର୍ଯ୍ୟକଳାପକୁ ଗ୍ରହଣ କରାଯାଇନାହଁି ବୋଲି ମାର୍ଶାଲ କହିଛନ୍ତି।
୪୨ ବର୍ଷୀୟ ଜୋୟସା ୩୦ ଟେଷ୍ଟ ଓ ୯୫ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ୟୁଏଇରେ ଅନୁଷ୍ଠିତ ଏକ ଟି୧୦ ଟୁର୍ନାମେଣ୍ଟରେ ତାଙ୍କ ବିରୋଧରେ ଦୁର୍ନୀତ ଅଭିଯୋଗ ଆସିଥିଲା। ସେତେବେଳେ ସେ ଶ୍ରୀଲଙ୍କା ଦଳର ବୋଲିଂ କୋଚ୍‌ ଭାବେ ଦାୟିତ୍ୱରେ ଥିଲେ। ସେ ମଧ୍ୟ ଶ୍ରୀଲଙ୍କା ଏ’ ଦଳର ବୋଲିଂ କୋଚ୍‌ ରୂପେ କାର୍ଯ୍ୟ କରିଛନ୍ତି। ଜୋୟସାଙ୍କ ପୂର୍ବରୁ ଚଳିତ ମାସରେ ପୂର୍ବତନ ଦ୍ରୁତ ବୋଲର ଦିଲହରା ଲୋକୁହେଟିଗଙ୍କୁ ମଧ୍ୟ ସମ କାରଣ ପାଇଁ ସବୁ ପ୍ରକାର କ୍ରିକେଟରୁ ୮ ବର୍ଷ ପାଇଁ ବାସନ୍ଦ କରାଯାଇଥିଲା। ସେହିପରି ୨୦୧୯ରେ ସନତ ଜୟସୂରିୟାଙ୍କୁ ବାସନ୍ଦ କରାଯାଇଥିଲା। ୨୦୧୬ରେ ପୂର୍ବତନ ଶ୍ରୀଲଙ୍କା ଅଫ୍‌ ସ୍ପିନର ଜୟାନନ୍ଦ ଓ୍ବାରନାବୀରାଙ୍କୁ ମଧ୍ୟ ବାସନ୍ଦ କରାଯାଇଥିଲା।

Share