ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା ବେଳକୁ ତାହା ସ୍ବପ୍ନ ଭଳି ଲାଗୁଛି। ଏବେ କିନ୍ତୁ ପାଣିର ଗୁଣବତ୍ତାକୁ ଦେଖି ତାକୁ ପିଇବାକୁ ପଡୁଛି। ସେଥିପାଇଁ ଏବେ ଘରେ ଘରେ ୱାଟର ଫିଲ୍ଟର ସହ ବଜାରରୁ ପ୍ଲାଷ୍ଟିକ ବୋତଲର ପାଣି କିଣା ଯାଉଛି । ବୋତଲବନ୍ଦ ପିଇବା ପାଣି ଉପରେ ଭାରତର ବଢ଼ୁଥିବା ନିର୍ଭରଶୀଳତା କେବଳ ଗ୍ରାହକ ଆଚରଣରେ ପରିବର୍ତ୍ତନର କାହାଣୀ ନୁହେଁ, ବରଂ ଏହା ସାର୍ବଜନୀନ ଜଳ ପରିଚାଳନାରେ ଗଭୀର, ବହୁସ୍ତରୀୟ ବ୍ୟବସ୍ଥାଗତ ସମସ୍ୟାକୁ ମଧ୍ୟ ଦର୍ଶାଉଛି । ନଳକୂପ ପାଣି, ଯାହାକୁ ପୂର୍ବରୁ ନାଗରିକଙ୍କ ପାଇଁ ଏକ ମୌଳିକ ଅଧିକାର ଏବଂ ରାଷ୍ଟ୍ରର ଦାୟିତ୍ୱ ଭାବରେ ବିବେଚନା କରାଯାଉଥିଲା, ଏବେ ଅବିଶ୍ୱାସ, ଅସୁରକ୍ଷା ଏବଂ ଅସମାନତାର ପ୍ରତୀକ ହୋଇପଡୁଛି। ସହରରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ, ଲୋକମାନେ ପିଇବା ପାଣି ପାଇଁ ବଜାରରେ ମିଳୁଥିବା ପ୍ଲାଷ୍ଟିକ ବୋତଲର ପାଣି ଉପରେ ନିର୍ଭର କରୁଛନ୍ତି। ଏହି ଧାରା କେବଳ ଆର୍ଥିକ ବୋଝ ବୃଦ୍ଧି କରୁନାହିଁ ବରଂ ପରିବେଶ, ସ୍ବାସ୍ଥ୍ୟ ଓ ସାମାଜିକ ନ୍ୟାୟ ଉପରେ ଗମ୍ଭୀର ପ୍ରଶ୍ନ ଉଠାଉଛି । ପ୍ରକାଶଯୋଗ୍ୟ ଯେ ଭାରତୀୟ ପାଣି ବୋତଲ ବଜାର ଏକ ଦ୍ରୁତ ଅଭିବୃଦ୍ଧିଶୀଳ କ୍ଷେତ୍ର, ଯାହାର ବର୍ତ୍ତମାନ ମୂଲ୍ୟ ୩୫୦୦୦ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ବାର୍ଷିକ ଶତକଡା ୧୩ ହାରରେ ବୃଦ୍ଧି ପାଉଥିବା ଏହି କ୍ଷେତ୍ର ଜନସାଧାରଣରେ କ୍ରମାଗତ ବୃଦ୍ଧି ପାଉଥିବା ସ୍ବାସ୍ଥ୍ୟ ସଚେତନତା ଯୋଗୁ ସମ୍ଭବ ହୋଇପାରୁଛି।
ଆଧୁନିକ ଭାରତରେ ଜଳ ସଙ୍କଟ ପାଇଁ ପ୍ରାୟତଃ ବର୍ଷାର ଅଭାବ, ଜଳବାୟୁ ପରିବର୍ତ୍ତନ କିମ୍ବା ବର୍ଦ୍ଧିତ ଜନସଂଖ୍ୟାକୁ ଦାୟୀ କରାଯାଏ। ଯଦିଓ ଏହି ସମସ୍ତ କାରଣ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବୋତଲବନ୍ଦ ପାଣିର ଲୋକପ୍ରିୟତାର ମୂଳ କାରଣ ଏହାଠାରୁ ବହୁତ ଗଭୀର। ପ୍ରକୃତ ସମସ୍ୟା ହେଉଛି ଯେ ସାଧାରଣ ଜଳ ଯୋଗାଣ ବ୍ୟବସ୍ଥା ଉପରେ ନାଗରିକଙ୍କ ବିଶ୍ୱାସ କ୍ରମାଗତ ଭାବରେ ହ୍ରାସ ପାଉଛି। ନଳକୂପ ପାଣିର ଗୁଣବତ୍ତା, ନିୟମିତ ଯୋଗାଣର ଅଭାବ ଏବଂ ସ୍ବଚ୍ଛତାର ଅଭାବ ଲୋକଙ୍କୁ ବିକଳ୍ପ ଉତ୍ସ ଖୋଜିବାକୁ ବାଧ୍ୟ କରୁଛି । ଯେତେବେଳେ ରାଜ୍ୟ ଏହାର ମୌଳିକ ଦାୟିତ୍ୱ ପୂରଣ କରିବାରେ ବିଫଳ ହୁଏ, ସେତେବେଳେ ବଜାର ଏହାର ଫାଇଦା ବ୍ୟବସାୟିକ ଭିତ୍ତିରେ ଉଠାଏ । ସହରାଞ୍ଚଳରେ ବୋତଲବନ୍ଦ ପାଣି ଜୀବନଯାପନର ଏକ ପ୍ରମୁଖ ଅଂଶ ପାଲଟିଛି। ଅଫିସ, ସ୍କୁଲ, ହସ୍ପିଟାଲ,ସରକାରୀ କାର୍ଯ୍ୟାଳୟ, ସଭା ସମିତି, ଭୋଜି ଓ ବିଭିନ୍ନ ସାମାଜିକ ଉତ୍ସବଗୁଡ଼ିକରେ ବଡ଼ ପାଣି ଜାର ଏବଂ ପାଣି ବୋତଲ ଏକ ସାଧାରଣ ଦୃଶ୍ୟ। ଏପରିକି ପାଣିର ଛୋଟ ପଲିଥିନ ପ୍ୟାକେଟ ମଧ୍ୟ ଉପଲବ୍ଧ ହେଉଛି। ଗ୍ରାମାଞ୍ଚଳର ପରିସ୍ଥିତି ଭିନ୍ନ, ତଥାପି ସମାନ ଭାବରେ ଚିନ୍ତାଜନକ। ସେଠାରେ ବୋତଲ ପାଣି ବ୍ୟବହାର ତୁଳନାତ୍ମକ ଭାବରେ କମ୍‌, କିନ୍ତୁ ଘରୋଇ କମ୍ପାନୀଗୁଡ଼ିକ ଗ୍ରାମାଞ୍ଚଳ ବଜାରରେ ସେମାନଙ୍କର ଉପସ୍ଥିତିକୁ ବିସ୍ତାର କରିବା ସହିତ ବୋତଲ ପାଣି ଉପରେ ନିର୍ଭରଶୀଳତା ବୃଦ୍ଧି କରିବାରେ ଲାଗିପଡ଼ିଛନ୍ତି। ଗ୍ରାମାଞ୍ଚଳରେ ଆୟୋଜିତ ସଭା, ସମିତି ଓ ଉତ୍ସବଗୁଡ଼ିକରେ ପ୍ଲାଷ୍ଟିକ ବୋତଲ ପାଣି ଓ ପାଉଚ ପାଣି ବ୍ୟବହାର ହେଲାଣି। ଅନେକ ଅଞ୍ଚଳରେ ଭୂତଳ ଜଳରେ ଫ୍ଲୋରାଇଡ, ଆର୍ସେନିକ କିମ୍ବା ଲୌହର ଉଚ୍ଚ ପରିମାଣର ଉପସ୍ଥିତି ଲୋକଙ୍କୁ ଏହାକୁ ବ୍ୟବହାର କରିବାକୁ ଭୟ ସୃଷ୍ଟି କରୁଛି। ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସାମୂହିକ ଟ୍ୟାପ ଏବଂ ହ୍ୟାଣ୍ଡପମ୍ପଗୁଡ଼ିକ ପ୍ରାୟତଃ ଖରାପ କିମ୍ବା ତାହା ପିଇବା ପାଇଁ ଅଯୋଗ୍ୟ। ତେଣୁ ଆର୍ଥିକ ସ୍ବଚ୍ଛଳ ଲୋକମାନେ ଘର ପାଇଁ ୱାଟର ଫିଲ୍ଟର କିମ୍ବା ପାଣି ଜାର ବା ପାଣି ବୋତଲ କିଣନ୍ତି। ମାତ୍ର ଗରିବ ଲୋକମାନେ ବାଧ୍ୟ ହୋଇ ଦୂଷିତ ପାଣି ପିଇବାକୁ ବାଧ୍ୟ ହୁଅନ୍ତି। ବୋତଲବନ୍ଦ ପାଣି ଶିଳ୍ପର ପ୍ରସାର ଅନେକ ପ୍ରଶ୍ନ ଉଠାଏ। ଯଦିଓ ଏହି ଶିଳ୍ପ ‘ଶୁଦ୍ଧତା’ ଏବଂ ‘ସୁରକ୍ଷା’ ପ୍ରତିଶ୍ରୁତି ଦିଏ, ଏହାର ନିୟମାବଳୀ ଗୁରୁତର ଭାବରେ ତ୍ରୁଟିପୂର୍ଣ୍ଣ। ପ୍ରାୟତଃ ଦେଖାଯାଇଛି ଯେ, ବଜାରରେ ଉପଲବ୍ଧ ବୋତଲବନ୍ଦ ପାଣି ମଧ୍ୟ ଗୁଣାତ୍ମକ ମାନ ପୂରଣ କରେ ନାହିଁ। ଏହା ସତ୍ତ୍ୱେ ଗ୍ରାହକମାନେ ଏହାକୁ ଟ୍ୟାପ ପାଣି ଅପେକ୍ଷା ସୁରକ୍ଷିତ ବୋଲି ବିବେଚନା କରନ୍ତି।
ପରିବେଶ ଦୃଷ୍ଟିକୋଣରୁ, ବୋତଲ ପାଣି ଉପରେ ନିର୍ଭରଶୀଳତା ଅତ୍ୟନ୍ତ ବିନାଶକାରୀ। ଏହାର ପୁନଃଚକ୍ରଣ ହାର ଅତ୍ୟନ୍ତ କମ୍‌ ଏବଂ ଅଧିକାଂଶ ପ୍ଲାଷ୍ଟିକର ଗନ୍ତବ୍ୟ ସ୍ଥଳ ନଦୀ, ହ୍ରଦ ଏବଂ ସମୁଦ୍ରରେ ଶେଷ ହୁଏ। ଏହା ବ୍ୟତୀତ ବୋତଲ ପାଣି ଉତ୍ପାଦନ ପ୍ରଚୁର ପରିମାଣରେ ପାଣି ଏବଂ ଶକ୍ତି ବ୍ୟବହାର କରେ। ଏହାର ଅର୍ଥ ହେଉଛି ଯେଉଁ ସମ୍ବଳକୁ ସମାଧାନ କରାଯାଉଛି ତାହାକୁ ଅତ୍ୟଧିକ ଶୋଷଣ କରି ଏକ କୃତ୍ରିମ ସମାଧାନ ପ୍ରଦାନ କରାଯାଉଛି। ଏହି ବିରୋଧାଭାସ ନୀତି ନିର୍ଦ୍ଧାରକଙ୍କ କ୍ଷଣସ୍ଥାୟୀ ଚିନ୍ତାଧାରାକୁ ପ୍ରକାଶ କରେ। ସାର୍ବଜନୀନ ଜଳ ପ୍ରଶାସନର ସମସ୍ୟା କେବଳ ବୈଷୟିକ ନୁହେଁ; ସେଗୁଡ଼ିକ ସାଂଗଠନିକ ଏବଂ ରାଜନୈତିକ ମଧ୍ୟ। ଜଳ ପରିଚାଳନା ପାଇଁ ଦାୟୀ ବିଭାଗଗୁଡ଼ିକ ପ୍ରାୟତଃ ସମ୍ବଳ ସୀମାବଦ୍ଧତା, ଦକ୍ଷ ମାନବସମ୍ବଳର ଅଭାବ ଏବଂ ସମନ୍ବୟ ସମସ୍ୟା ସହିତ ସଂଘର୍ଷ କରନ୍ତି। ଏହା ବ୍ୟତୀତ ଜଳ ଯୋଗାଣ ଭଳି ଏକ ମୌଳିକ ସେବାରେ ପ୍ରାୟତଃ ରାଜନୈତିକ ପ୍ରାଥମିକତାର ଅଭାବ ଥାଏ। ନିର୍ବାଚନ ପ୍ରତିଶ୍ରୁତିରେ ବଡ଼ ଡ୍ୟାମ୍‌, ନଦୀ ସଂଯୋଗୀକରଣ ପ୍ରକଳ୍ପ ଏବଂ ସ୍ମାର୍ଟ ସିଟି ଅନ୍ତର୍ଭୁକ୍ତ ଥିବାବେଳେ ଦୈନନ୍ଦିନ ଜଳ ଯୋଗାଣକୁ ଉନ୍ନତ କରିବା ପାଇଁ ଅପେକ୍ଷାକୃତ କମ୍‌ ଧ୍ୟାନ ଦିଆଯାଏ। ଫଳସ୍ବରୂପ, ଶୁଦ୍ଧ ପିଇବା ପାଣି ଯୋଗାଣ ଏକ ଛୋଟ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବର୍ଷ ବର୍ଷ ଧରି ଅସମାହିତ ହୋଇ ରହିଥାଏ।
ଘରୋଇକରଣର ବର୍ଦ୍ଧିତ ଧାରା ମଧ୍ୟ ଏହି ସଙ୍କଟକୁ ଆହୁରି ତୀବ୍ର କରୁଛି। ଯେତେବେଳେ ସାର୍ବଜନୀନ ବ୍ୟବସ୍ଥା ଦୁର୍ବଳ ଥାଏ, ସେତେବେଳେ ଘରୋଇ କମ୍ପାନୀଗୁଡ଼ିକୁ ସମାଧାନ ଭାବରେ ଆଗକୁ ଅଣାଯାଇଥାଏ। ଯଦିଓ ଏହା କିଛି କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିଛି, କିନ୍ତୁ ଏହାର ଲାଭ ପ୍ରାୟତଃ କେବଳ ସେହିମାନଙ୍କୁ ମିଳିଥାଏ ଯେଉଁମାନେ ଦେୟ ଦେଇପାରନ୍ତି। ପାଣି ଭଳି ଏକ ଅତ୍ୟାବଶ୍ୟକ ସମ୍ପଦର ବଜାରଭିତ୍ତିକ ବଣ୍ଟନ ସାମାଜିକ ନ୍ୟାୟ ନୀତିର ବିପରୀତ। ବୋତଲ ପାଣି ଏହି ଘରୋଇକରଣର ସବୁଠାରୁ ସ୍ପଷ୍ଟ ଉଦାହରଣ, ଯେଉଁଠାରେ ସ୍ବଚ୍ଛ ପାଣି ମୌଳିକ ଅଧିକାର ବଦଳରେ ଏକ ଗ୍ରାହକ ସାମଗ୍ରୀ ହୋଇଯାଏ। ଏହି ସମଗ୍ର ପରିସ୍ଥିତିର ସବୁଠାରୁ ଚିନ୍ତାଜନକ ଦିଗ ହେଉଛି ବୋତଲ ପାଣି ଉପରେ ନିର୍ଭରଶୀଳତା ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଛି। ଲୋକମାନେ ଏହାକୁ ସମସ୍ୟାର ଲକ୍ଷଣ ପରିବର୍ତ୍ତେ ଏକ ସମାଧାନ ଭାବରେ ଦେଖିବାକୁ ଆରମ୍ଭ କରିଛନ୍ତି। ଜଳକୁ ଏକ ସାର୍ବଜନୀନ ସାମଗ୍ରୀ ଭାବରେ ପୁନଃସ୍ଥାପିତ କରିବାକୁ ପଡ଼ିବ। ଏଥିପାଇଁ ପ୍ରଥମେ ନଳକୂପ ପାଣିର ଗୁଣବତ୍ତା ଏବଂ ସ୍ଥିରତା ନିଶ୍ଚିତ କରିବା ଆବଶ୍ୟକ। ସ୍ବଚ୍ଛ ଜଳ ପରୀକ୍ଷା, ଫଳାଫଳର ସାର୍ବଜନୀନ ଉପଲବ୍ଧତା ଏବଂ ପ୍ରଭାବଶାଳୀ ଅଭିଯୋଗ ସମାଧାନ ବ୍ୟବସ୍ଥା ନାଗରିକଙ୍କ ବିଶ୍ୱାସକୁ ଫେରାଇ ଆଣିପାରିବ। ଏହା ବ୍ୟତୀତ ଜଳ ଭିତ୍ତିଭୂମିରେ ନିବେଶକୁ ପ୍ରାଥମିକତା ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହାକି ପାଇପଲାଇନ ମରାମତି, ସ୍ବେରେଜ ପରିଚାଳନା କିମ୍ବା ଜଳ ବିଶୋଧନ ପ୍ଲାଣ୍ଟର ଆଧୁନିକୀକରଣକୁ ଗୁରୁତ୍ୱ ପ୍ରଦାନ କରେ। ସମସ୍ତେ ବୁଝିବା ଉଚିତ ଯେ ବୋତଲବନ୍ଦ ପାଣି ଏକ ଦୀର୍ଘକାଳୀନ ସମାଧାନ ନୁହେଁ।
ମୋ: ୯୪୩୭୨୩୨୪୬୩

Odisha’s No.1 Odia Daily

Share