Categories: ଖେଳ

ବିସିସିଆଇର କ୍ଷତି ପହଞ୍ଚାଇଛନ୍ତି ମନୋହର

ରାଜକୋଟ୍‌, ୩ା୭ (ପି.ଟି.)-ବିଦାୟୀ ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହର ଭାରତୀୟ କ୍ରିକେଟର କେତେ ପରିମାଣରେ କ୍ଷତି ପହଞ୍ଚାଇଛନ୍ତି ତାହା ସେ ନିଜେ ତର୍ଜମା କରନ୍ତୁ ବୋଲି କହିଛନ୍ତି, ବିସିସିଆଇର ପୂର୍ବତନ ସମ୍ପାଦକ ନିରଞ୍ଜନ ଶାହା। ମନୋହର ଦୁଇ ବର୍ଷ ଧରି ଆଇସିସିର ଚେୟାରମ୍ୟାନ ଭାବେ କାର୍ଯ୍ୟକରିବା ପରେ ବୁଧବାର ପଦରୁ ଓହରିଯାଇଛନ୍ତି। ସେ ତୃତୀୟ ଥର ଏହି ପଦବୀରେ ରୁହନ୍ତୁ ବୋଲି ଅଧିକାଂଶ ଚାହୁ ନ ଥିବା ଶଶାଙ୍କ ବୋଧ ହୁଏ ପୂର୍ବାଭାସ ପାଇଥିଲେ। ଆଇସିସିରେ ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତର ଅଧିକ ପ୍ରଭାବ ରହିଥାଏ। ଏମାନଙ୍କୁ ‘ବିଗ୍‌ ଥ୍ରୀ’ ବୋଲି କୁହାଯାଇଥାଏ। ଆଇସିସି ରାଜସ୍ବରୁ ସିଂହ ଭାଗ ଏହି ୩ ଦେଶର କ୍ରିକେଟ ବୋର୍ଡ ବାଣ୍ଟି କରି ନେଇଥାନ୍ତି। ମନୋହର ତାଙ୍କ କାର୍ଯ୍ୟକାଳ ସମୟରେ ଏହି ପ୍ରଥାକୁ ବନ୍ଦ କରିବା ଲାଗି ଚେଷ୍ଟା ଚଳାଇ ଆସିଥିଲେ। ବିସିସିଆଇକୁ ପ୍ଲାଟଫର୍ମ କରି ଆଇସିସି ଚେୟାରମ୍ୟାନ ପଦବୀ ଅଳଙ୍କୃତ କରିଥିବା ଶଶାଙ୍କ ତାଙ୍କ କାର୍ଯ୍ୟକାଳ ସମୟରେ ଅନ୍ତର୍ଜାତୀୟ କ୍ରିକେଟ ଏବଂ ଭାରତୀୟ କ୍ରିକେଟର ବିକାଶ କ୍ଷେତ୍ରରେ କି କି କାର୍ଯ୍ୟ କରିଛନ୍ତି ସେ ନିଜେ ନିଜକୁ ପଚାରିବା ଉଚିତ୍‌ ବୋଲି ନିରଞ୍ଜନ କରିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଗତ ଦୁଇ ବର୍ଷ ହେଲା ଜଟିଳ ସମସ୍ୟା ଦେଇ ଗତି କରୁଆସୁଥିଲା। ଏହାର ସୁଯୋଗରେ ଆଇସିସି ଭାରତୀୟ କ୍ରିକେଟ ଓ ବିସିସିଆଇର କ୍ଷତି ପହଞ୍ଚାଇ ଥିଲା। ହେଲେ ବର୍ତ୍ତମାନ ବିସିସିଆଇର ନେତୃତ୍ୱ ସୁଦୃଢ ହୋଇପାରିଛି। ଏହା ଆଇସିସି ପ୍ରଭାବ ବିସ୍ତାର କରିପାରିବ ବୋଲି ମୋର ଆଶା ବୋଲି ନିରଞ୍ଜନ କହିଛନ୍ତି।

Share