ମକଦ୍ଦମା ଲଢ଼ିବା ପାଇଁ ମାନସଙ୍କ ବାପା ୩ ମାଣ ଜମି ବିକିବେ

ନୟାଗଡ଼ ଅଫିସ/ରଣପୁର,୨୪।୩(ସ୍ବ.ପ୍ର.): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି । ମାନସଙ୍କ ହତ୍ୟାକାରୀ ଓ ଏହି ଘଟଣାରେ ସହଯୋଗ କରିଥିବା ମନ୍ତ୍ରୀ, ପୂର୍ବତନ ଅଧିକାରୀ ଓ ବଡ଼ବଡ଼ିଆଙ୍କୁ ଦଣ୍ଡ ଦେବା ପାଇଁ ମାନସଙ୍କ ବାପା ପଞ୍ଚାନନ ସ୍ବାଇଁ ଅଣ୍ଟା ଭିଡ଼ିଛନ୍ତି। ପୁଅକୁ ନ୍ୟାୟ ଦେବାକୁ ସେ ନିଜର ଜମି ବିକ୍ରି ପାଇଁ ନିଷ୍ପତ୍ତି ନେଇଛନ୍ତି । ଆବଶ୍ୟକ ପଡ଼ିଲେ ସେ ସମସ୍ତ ସମ୍ପତ୍ତି ବିକ୍ରି କରିଦେବେ ବୋଲି କହିଛନ୍ତି।

ବୁଧବାର ଗଣମାଧ୍ୟମ ଆଗରେ ପଞ୍ଚାନନ କହିଛନ୍ତି, ମାନସଙ୍କ ହତ୍ୟା ଆମ ପରିବାରର ସମସ୍ତ ସଦସ୍ୟଙ୍କୁ ଦୋହଲାଇ ଦେଇଛି। ଏଥିରେ ବହୁ ବଡ଼ ଲୋକ ସାମିଲ ଅଛନ୍ତି। ମାନସ ଏମିତି କ’ଣ ଅପରାଧ କରିଥିଲା ଯେ ତାକୁ ଚକ୍ରାନ୍ତ କରି ହତ୍ୟା କରାଗଲା। ହତ୍ୟା ପରେ ହତ୍ୟାକାରୀ ଓ ସହଯୋଗୀଙ୍କୁ ସୁରକ୍ଷା ଦିଆଯାଇ ଏହି ଘଟଣାକୁ ଚାପି ଦେବା କ’ଣ ଠିକ୍‌, ତଦନ୍ତ ବାଟବଣା କରା ନ ଯାଉ। ଏଣୁ ମୁଁ ଓ ମୋ ପରିବାରର ସଦସ୍ୟମାନେ ଜମି ବିକ୍ରି କରି ମକଦ୍ଦମା ଲଢ଼ିବାକୁ ନିଷ୍ପତ୍ତି ନେଇଛୁ। ରୋଜଗାରିଆ ପୁଅ ଚାଲିଗଲା ପରେ ଆମେ ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଛୁ ା ସମ୍ବଳ ନ ଥିବାରୁ ଓଡ଼ପଡ଼ା ମୌଜାରେ ଥିବା ୩ ମାଣ ଜମି ବିକ୍ରି ପାଇଁ ଆମେ ନିଷ୍ପତ୍ତି ନେଇଛୁ। ଯିଏ ଜମି କିଣିବେ ତାଙ୍କଠାରୁ ଅଗ୍ରିମ ଦେଢ଼ ଲକ୍ଷ ଆଣି ସାରିଛୁୁ। କିଛି ଦିନ ପରେ ଜମି ରେଜିଷ୍ଟ୍ରି କରିଦେବୁ ବୋଲି ସ୍ଥିର ହୋଇଛି। ଅଧିକ ଟଙ୍କା ଆବଶ୍ୟକ ପଡିଲେ ଘରବାଡ଼ି ମଧ୍ୟ ବିକ୍ରି କରିଦେବୁ ବୋଲି କ୍ଷୋଭର ସହ ପଞ୍ଚାନନ କହିଛନ୍ତି। ଅନ୍ୟପକ୍ଷେ ପୁଅକୁ ନ୍ୟାୟ ଦେବାକୁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।