RI ଚାକିରି ଆଶା ଦେଖାଇ ଲୁଟିଥିଲେ ୫.୫ ଲକ୍ଷ ଟଙ୍କା; ହୀରାକୁଦରୁ ଅଭିଯୁକ୍ତଙ୍କୁ ବାନ୍ଧିଲା କେନ୍ଦୁଝର ପୋଲିସ

କେନ୍ଦୁଝର,୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରୀ ଚାକିରି ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ କେନ୍ଦୁଝର ଟାଉନ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୋଲିସ ଏହି ଆର୍ଥିକ ଠକେଇ ମାମଲାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। କେନ୍ଦୁଝରର ଗୌର ଚନ୍ଦ୍ର ସାହୁ (୫୮)ଙ୍କ ଲିଖିତ ଅଭିଯୋଗ ଆଧାରରେ ଟାଉନ ଥାନାରେ କେସ ନମ୍ବର ୨୫୯/୨୦୨୬ ରେ ଏକ ମାମଲା ରୁଜୁ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଅଭିଯୋଗ ଅନୁଯାୟୀ, ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲାର ମୂଳ ବାସିନ୍ଦା ରଞ୍ଜିତ କୁମାର ଦାସ (୩୦), ଯିଏକି ବର୍ତ୍ତମାନ ସମ୍ବଲପୁରର ହୀରାକୁଦ ଅଞ୍ଚଳରେ ରହୁଥିଲେ। ରଞ୍ଜିତ, ଅଭିଯୋଗକାରୀ ଗୌର ଚନ୍ଦ୍ର ସାହୁଙ୍କୁ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ରାଜସୱ ନିରୀକ୍ଷକ (RI) ପଦବୀରେ ନିଯୁକ୍ତି ଦେବା ପାଇଁ ପ୍ରଲୋଭନ ଦେଖାଇଥିଲେ। ସେ ନିଜକୁ ସରକାରୀ ସ୍ତରରେ ପରୀକ୍ଷା କରାଉଥିବା ସଂସ୍ଥା ସହିତ ଭଲ ସମ୍ପର୍କ ଥିବା ଦାବି କରିଥିଲେ। ଟଙ୍କା ବଦଳରେ ସେ ସରକାରୀ ଚାକିରି କରାଇଦେବେ ବୋଲି ବିଶ୍ୱାସ ଜନ୍ମାଇଥିଲେ। ତାଙ୍କ କଥାରେ ବିଶ୍ୱାସ କରି ଅଭିଯୋଗକାରୀ ବିଭିନ୍ନ କିସ୍ତିରେ ମୋଟ ୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଟଙ୍କା ପାଇବା ପରେ ଅଭିଯୁକ୍ତ ଜଣକ ପ୍ରତିଶ୍ରୁତି ମୁତାବକ ନିଯୁକ୍ତି ପତ୍ର ଦେଇ ନ ଥିଲେ କିମ୍ବା ଟଙ୍କା ମଧ୍ୟ ଫେରସ୍ତ କରି ନ ଥିଲେ। ପରବର୍ତ୍ତୀ ସମୟରେ ସେ ଅଭିଯୋଗକାରୀଙ୍କ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ କରିବା ସହ ନିଜ ରହୁଥିବା ସ୍ଥାନ ଛାଡ଼ି ଫେରାର୍‌ ହୋଇଯାଇଥିଲେ।
ଠକେଇର ଶିକାର ହେବା ପରେ ଗୌର ଚନ୍ଦ୍ର ସାହୁ ଥାନାର ଦ୍ୱାରସ୍ଥ ହୋଇଥିଲେ। ମାମଲାର ଗମ୍ଭୀରତାକୁ ଦେଖି କେନ୍ଦୁଝର ଟାଉନ ପୋଲିସର ଏକ ସ୍ପେଶାଲ ଟିମ ତଦନ୍ତ ଆରମ୍ଭ କରିଥିଲା। ନିରନ୍ତର ପ୍ରୟାସ ଏବଂ ସୂଚନା ଆଧାରରେ ଗତ ଜୁନ ୫ ତାରିଖରେ ପୋଲିସ ସମ୍ବଲପୁରର ହୀରାକୁଦରୁ ଅଭିଯୁକ୍ତ ରଞ୍ଜିତ ଦାସଙ୍କୁ ଖୋଜି ବାହାର କରି ଗିରଫ କରିଥିଲା। ଗିରଫ ସମୟରେ ତାଙ୍କ ନିକଟରୁ ଏକ ମୋବାଇଲ ଫୋନ ଏବଂ OR-୦୨-BM-୫୭୯୦ ନମ୍ବର ବିଶିଷ୍ଟ ଏକ ପଲସର ବାଇକ ଜବତ କରାଯାଇଛି।
ତେବେ ଏହି ମାମଲାରେ ଅନ୍ୟ କୌଣସି ବ୍ୟକ୍ତି ବା ଆନ୍ତଃ-ଜିଲା ର଼୍ୟାକେଟ ସମ୍ପୃକ୍ତ ଅଛନ୍ତି କି ନାହିଁ, ତାହାର ଯାଞ୍ଚ କରାଯାଉଛି। ଠକେଇ ହୋଇଥିବା ଟଙ୍କା ଉଦ୍ଧାର କରିବା ପାଇଁ ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ ପାଇଁ ଅଧିକ ତଦନ୍ତ ଜାରି ରହିଛି ବୋଲି ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ କହିଛନ୍ତି।
Dharitri – Odisha’s No.1 Odia Daily

Share