ଭୁବନେଶ୍ୱର, ୫।୧୨(ବ୍ୟୁରୋ): ମ୍ୟାଲେରିଆ ହ୍ରାସ କରିବାରେ ଭାରତ ଯଥେଷ୍ଟ ଅଗ୍ରଗତି କରିଛି। ୨୦୧୮ ତୁଳନାରେ ୨୦୧୯ରେ ୧୭.୬% ହ୍ରାସ ପାଇଥିବା ବିଶ୍ୱ ମ୍ୟାଲେରିଆ ରିପୋର୍ଟ-୨୦୨୦ରେ ପ୍ରକାଶ ପାଇଛି। ତେବେ ଦେଶରେ ମ୍ୟାଲେରିଆ ହ୍ରାସ କରାଇବାରେ ଓଡ଼ିଶାର ପ୍ରମୁଖ ଅବଦାନ ରହିଛି। ରାଜ୍ୟରେ ୨୦୧୭ ତୁଳନାରେ ୨୦୧୮ରେ ସର୍ବାଧିକ ୮୧% ହ୍ରାସ ପାଇଥିଲା। ୨୦୧୯ରେ ୩୯,୫୫୬ ମ୍ୟାଲେରିଆ କେସ୍ ରହିଥିବାବେଳେ ଏହା ୨୦୧୮ଠାରୁ ୪୦.୩୯% କମ୍। ୨୦୧୮ରେ ମୋଟ ପଜିଟିଭିଟି ରେଟ୍ ୧.୦୮% ଥିବାବେଳେ ୨୦୧୯ରେ ୦.୬%କୁ ଖସି ଆସିଥିବାରୁ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଏହା ରାଜ୍ୟର ବଡ଼ ସଫଳତା ବୋଲି କୁହାଯାଉଛି।
ଜାତୀୟସ୍ତରରେ ମ୍ୟାଲେରିଆ ହାର ହ୍ରାସ କରିବାରେ ୨୦୧୬ରୁ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ରାଜ୍ୟ ସରକାରଙ୍କ ଦୃଢ଼ ତଥା ଶକ୍ତିଶାଳୀ ପଦକ୍ଷେପ ଓ ନିରନ୍ତର ପ୍ରୟାସ ଯୋଗୁ ମ୍ୟାଲେରିଆ ଧୀରେ ଧୀରେ ନିୟନ୍ତ୍ରଣକୁ ଆସିଥିଲା। ଓଡ଼ିଶାରେ ୨୦୧୬ରେ ରେକର୍ଡ ସଂଖ୍ୟକ ୪,୪୪,୮୪୨ ମାମଲା ରହିଥିଲା। ଏହା ଜାତୀୟ ହାରର ୪୦.୯୧% ଥିଲା। ସେହିବର୍ଷ ମୃତ୍ୟୁ ହାର ମଧ୍ୟ ୨୩.୨୬% ରହିଥିଲା। ୨୦୧୭ରେ ମ୍ୟାଲେରିଆ ମାମଲା ସଂଖ୍ୟା ୩,୪୭,୮୬୦କୁ ଖସିଥିଲା। ସେହିଭଳି ମୃତ୍ୟୁ ସଂଖ୍ୟା କମିବା ସହିତ ଜାତୀୟ ହାର ମଧ୍ୟ ହ୍ରାସ ପାଇଥିଲା। ୨୦୧୬ରେ ଓଡ଼ିଶାରେ ମୃତ୍ୟୁ ସଂଖ୍ୟା ୭୭ ଥିବାବେଳେ ୨୦୧୭ରେ ୨୪କୁ ଖସି ଆସିଥିଲା, ଯାହା ଜାତୀୟ ହାରର ୧୨.୩୭% ଥିଲା। ୨୦୧୮ରେ ମାମଲା ସଂଖ୍ୟା ୬୬,୩୧୧ ଓ ମୃତ୍ୟୁ ସଂଖ୍ୟା ୩କୁ ଖସି ଆସିଥିବାବେଳେ ୨୦୧୯ରେ ୩୯,୫୫୬ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୯ଜଣଙ୍କ ମୃତ୍ୟୁ ହୋଇଛି।


