ଓ୍ବାଶିଂଟନ,୫ା୯: ଇରାନର ଇସ୍ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍ (ଆଇଆର୍ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ ବୋଝେଇ ୩ ଇରାନୀୟ ଜାହାଜ ଉପରେ ଆକ୍ରମଣ କରିଛି।
ଫଳରେ ଓ୍ବାଶିଂଟନ ଏବଂ ତେହରାନ୍ ମଧ୍ୟରେ ପୁଣି ଉତ୍ତେଜନା ବୃଦ୍ଧି ପାଇଛି। ଇରାନର ଏକାଧିକ ଆକ୍ରମଣକୁ ଆମରିକାର ଯୁଦ୍ଧବିମାନବାହୀ ଜାହାଜ ଏବଂ ଗାଇଡେଡ୍ ମିଶାଇଲ ଡେଷ୍ଟ୍ରୟର ସଫଳତାର ସହ ପ୍ରତିହତ କରିଥିଲା ବୋଲି ଆମେରିକା ସେଣ୍ଟ୍ରାଲ କମାଣ୍ଡ କହିଛି। ଏଥିରେ କୌଣସି ଆମେରିକୀୟ ସୈନ୍ୟ ଆହତ ହୋଇନାହାନ୍ତି।
ଅନ୍ୟପକ୍ଷେ ଖାର୍ଗ ଦ୍ୱୀପ ଉପକୂଳରେ ଆମେରିକା ସେନାର ପାଲଟା ଆକ୍ରମଣରେ ଇରାନ ତୈଳ ଟ୍ୟାଙ୍କର ଏମ୍/ଟି ଡାଉନି ସ୍ଥାୟୀ ଭାବେ ଅକାମୀ ହୋଇଯାଇଛି। ସେହିପରି ଜସ୍କ ନିକଟରେ ଏମ୍/ଟି ଷ୍ଟାର୍କ-୧ ଉପରେ ଆକ୍ରମଣ ଯୋଗୁ ଏହା ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ଓମାନ ଉପସାଗରରେ ତୃତୀୟ ଇରାନୀୟ ଜାହାଜ ଏମ୍/ଟି କାଇଲୋ ଉପରେ ଆକ୍ରମଣ ଯୋଗୁ ଏହା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଆମେରିକା ସେଣ୍ଟ୍ରାଲ କମାଣ୍ଡ କହିଛି। ତେବେ ଆକ୍ରମଣ ବେଳେ ଉକ୍ତ ଜାହାଜରେ ତୈଳ ପରିବହନ କରୁ ନ ଥିଲା।

