‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର,  ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା ପ୍ରଶାସନର କଡ଼ା ନିର୍ଦ୍ଦେଶକ୍ରମେ କଳାହାଣ୍ଡି ଜିଲା ଶ୍ରମ ବିଭାଗ, ଆରଟିଓ (RTO) ଏବଂ ଥୁଆମୂଳ ରାମପୁର ଥାନା ପୋଲିସର ମିଳିତ ଟିମ୍ ଚଢ଼ାଉ କରି କେରଳ ଯାଉଥିବା ଏକ ବେଆଇନ ଦାଦନ ବସ୍‌କୁ ଅଟକ ରଖିଛନ୍ତି। ଗତ ଦୁଇ ସପ୍ତାହ ହେବ ଏହି ଅଞ୍ଛଳରୁ ବାହାର ରାଜ୍ୟକୁ ବେଆଇନ ଭାବେ ଶ୍ରମିକ ନିଆଯାଉଥିବା ନେଇ ‘ଧରିତ୍ରୀ’ରେ ଲଗାତାର ଖବର ପ୍ରକାଶ ପାଇଥିଲା।

ମଙ୍ଗଳବାର ଶ୍ରମିକ ନେବାକୁ ଆସିଥିବା ବେଳେ ପ୍ରଶାସନିକ ଟିମ୍ କାଠକୁରା ନିକଟରୁ ବସ୍‌ଟିକୁ ଜବତ କରି ଥୁଆମୂଳ ରାମପୁର ଥାନା ପରିସରକୁ ଆଣିଛନ୍ତି। ଯାଞ୍ଚ ସମୟରେ ବସ୍‌ଟିର କୌଣସି ବୈଧ କାଗଜପତ୍ର, ପୋଲ୍ୟୁସନ୍, ଓଡ଼ିଶା ପରମିଟ୍, ଟ୍ୟାକ୍ସ, ଇନ୍ସୁରାନ୍ସ କିମ୍ବା ଡ୍ରାଇଭିଂ ଲାଇସେନ୍ସ ନଥିବା ସ୍ପଷ୍ଟ ହୋଇଛି। ଏନେଇ ଆରଟିଓ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧୭ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯାଇସାରିଥିବା ବେଳେ ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି ପାଇପାରେ। ଏହି ଚଢ଼ାଉରେ ଥୁଆମୂଳ ରାମପୁର ଏଲଓ ସତ୍ୟବ୍ରତ ଧଳ, ଭବାନୀପାଟଣା ଏଲଓ ଜିତମ୍‌ ମାଝୀ, ଆରଟିଓ ଟ୍ରାଫିକ୍‌ ଇନ୍ସପେକ୍ଟର ମିଥୁନ ପ୍ରଧାନ, ସବ୍ୟସାଚୀ ମିଶ୍ର ଓ ଦେବବ୍ରତ ଶାହ ପ୍ରମୁଖ ଉପସ୍ଥିତ ଥିଲେ।

ଗାଡ଼ିରେ ଯାଉଥିବା ଶ୍ରମିକମାନଙ୍କ କହିବା ଅନୁଯାୟୀ, ସ୍ଥାନୀୟ ଅଞ୍ଛଳରେ ନିୟମିତ କାମଧନ୍ଦା ମିଳୁନାହିଁ। ସରକାରୀ ଯୋଜନାରେ କାମ କଲେ ସପ୍ତାହକୁ ମାତ୍ର ୧୫୦ ରୁ ୨୦୦ ଟଙ୍କା ମଜୁରୀ ମିଳୁଛି ଏବଂ ସେହି ଟଙ୍କା ପାଇଁ ମଧ୍ୟ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ୁଛି। ପରିବାର ପ୍ରତିପୋଷଣ ପାଇଁ ଅନ୍ୟ କୌଣସି ଉପାୟ ନଥିବାରୁ କେରଳରେ ଦିନକୁ ୧୦୦୦ ରୁ ୧୫୦୦ ଟଙ୍କା ରୋଜଗାର ଆଶାରେ ସେମାନେ ୩୦୦୦ ଟଙ୍କା ଲେଖାଏଁ ଭଡ଼ା ଦେଇ ଏହି ବସ୍‌ରେ ଯାଉଥିଲେ। ଶ୍ରମ ବିଭାଗ ପକ୍ଷରୁ ଶ୍ରମିକମାନଙ୍କୁ ସଚେତନ କରାଯିବା ସହ ବାହାର ରାଜ୍ୟକୁ ଯିବା ପୂର୍ବରୁ ପଞ୍ଚାୟତ ଓ ଶ୍ରମ ବିଭାଗରେ ନାମ ପଞ୍ଜୀକରଣ କରି ନିରାପଦ ଦାଦନ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି।

Dharitri – Odisha’s No.1 Odia Daily

Share