ଦାରିଙ୍ଗବାଡ଼ି,୧୧।୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାରିଙ୍ଗବାଡ଼ି ଥାନା ଦୁର୍ଗମ ଅଞ୍ଚଳ ପର୍ତ୍ତମାହା ପଞ୍ଚାୟତର କାଡସପାଟା ଏବଂ ସାଲେଜୁ ଜଙ୍ଗଲରେ ବେଆଇନ ଭାବେ କରାଯାଇଥିବା ବ୍ୟାପକ ଗଞ୍ଜେଇ ଚାଷକୁ ପୋଲିସ ନଷ୍ଟ କରିଛି।
ଦାରିଙ୍ଗବାଡ଼ି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ବୁଧବାର ଏକ ମିଳିତ ଟିମ୍ ୫ଟି ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ପ୍ରାୟ ୧୩ ଏକର ଜମିରେ କରାଯାଇଥିବା ବେଆଇନ ଗଞ୍ଜେଇ ଗଛଗୁଡ଼ିକୁ ପୋଲିସ କାଟିବା ସହ ନିଆଁ ଲଗାଇ ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ କରିଦେଇଛି।
ତେବେ ଏହି ବେଆଇନ ଚାଷରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ପୋଲିସ ଚଢ଼ାଉ ବେଳେ ଫେରାର ହୋଇଯାଇଥିବାରୁ ପୋଲିସ ସେମାନଙ୍କୁ ଧରିବାରେ ବର୍ତ୍ତମାନ ସୁଦ୍ଧା ସଫଳ ହୋଇପାରିନାହିଁ। ଏନେଇ ଆଇଆଇସି ସଂଗ୍ରାମ କେଶରୀ ଜେନା ପ୍ରକାଶ କରିଛନ୍ତି ଯେ, ପୋଲିସ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇଛି ଏବଂ ଏହି ବେଆଇନ ଗଞ୍ଜେଇ ଚାଷ ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ଖୋଜାଚାଲିଛି, ସେମାନଙ୍କୁ ଆତିଶୀଘ୍ର ଗିରଫ କରାଯିବ।