ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲାପାଳ ଏକ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।
ଜିଲାପାଳଙ୍କ ଚିଠି ନମ୍ବର-୧୫୦୪୧/III-୨୩/୨୦୨୬ରେ ବୁଧବାର ଏବଂ ଗୁରୁବାର ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

