ବରଗଡ଼/ଝାରବନ୍ଧ,୧୩।୪(ପ୍ରେମାନନ୍ଦ ଖମାରୀ/ ଦେବେନ୍ଦ୍ର ସାହୁ): ଲଘୁ ବନଜାତ ଦ୍ରବ୍ୟ ମଧ୍ୟରୁ ମହୁଲ ଫୁଲ ଅନ୍ୟତମ। ଫାଲଗୁନ ମାସ ଆସିବା ମାତ୍ର ଏହି ଫୁଲ ଗଛରେ ଦେଖିବାକୁ ମିଳେ। ମହୁଲ ଫୁଲର ମହକରେ ଗଛର ପାରିପାର୍ଶ୍ୱିକ ଅଞ୍ଚଳ ମହକି ଉଠିଥାଏ। କେବଳ ମହୁମାଛି ନୁହେଁ, ଲୋକେ ମଧ୍ୟ ଏହି ଫୁଲ ପ୍ରତି ଆକର୍ଷିତ ହୋଇଥାନ୍ତି। ଅନେକ ଲୋକଙ୍କ ରୋଜଗାର ମାଧ୍ୟମ ସାଜିଛି ମହୁଲ ଫୁଲ। ମଦ ପ୍ରସ୍ତୁତିରେ ମହୁଲ ଫୁଲର ଅଧିକ ଚାହିଦା ରହିଥିବା ବେଳେ ଏଥିରେ ଲୋକେ ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତି କରିଥାନ୍ତି। ସେହିପରି ଔଷଧୀୟ ଗୁଣ ମଧ୍ୟ ରହିଥିବାରୁ ଏହି ଫୁଲ ଆଉ ଅଲୋଡ଼ା ହୋଇ ରହି ନାହିଁ। ଅନେକ ଲୋକଙ୍କୁ ମହୁଲ ଫୁଲ ରୋଜଗାର ଦେଇ ଆସୁଛି। ଫଳରେ ମହୁଲ ଫୁଲକୁ କେବଳ ବନବାସୀ ନୁହନ୍ତି, ଏବେ ବିଭିନ୍ନ ବର୍ଗର ଲୋକେ ନିଜର ଏକ ଜୀବିକା ଭାବେ ଆଦରି ନେଇଛନ୍ତି। ଫାଲଗୁନ ମାସଠାରୁ ଆରମ୍ଭ କରି ବୈଶାଖ ମାସ ପର୍ଯ୍ୟନ୍ତ ଲୋକେ ଏହି ଫୁଲ ଗୋଟାଇବାରେ ବ୍ୟସ୍ତ ହୋଇ ପଡ଼ିଥାନ୍ତି। କିଛିଦିନ ଖରାରେ ଶୁଖିବା ପରେ ତାକୁ ସ୍ଥାନୀୟ କୁଚିଆ ବେପାରୀଙ୍କଠାରେ ବିକ୍ରି କରିଥାନ୍ତି। ସକାଳୁ ପରିବାର ସଦସ୍ୟଙ୍କ ସହିତ ମହୁଲ ଗୋଟାଇ ତାକୁ ଖରାରେ ଶୁଖାଇଥାନ୍ତି। କିନ୍ତୁ ପରିଶ୍ରମ ଅନୁଯାୟୀ ସେମାନଙ୍କୁ ଉଚିତ୍ ମୂଲ୍ୟ ମିଳୁ ନଥିବା ମହୁଲ ଫୁଲ ଗୋଟାଳୀମାନେ କହନ୍ତି। ବରଗଡ଼ ଜିଲାର ମହୁଲ ଫୁଲ ଗୋଟାଳୀଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ରହିଛି। ଜିଲାର ପଦ୍ମପୁର ଉପଖଣ୍ଡର ବିଭିନ୍ନ ଗ୍ରାମର ଲୋକେ ମୁଖ୍ୟତଃ ଏହାକୁ ଜୀବିକା ଭାବେ ଗ୍ରହଣ କରି ନେଇଥିବା ବେଳେ ବରଗଡ଼ ଉପଖଣ୍ଡର ଅନେକ ଗ୍ରାମର ଲୋକେ ମଧ୍ୟ ଏହି ଜୀବିକାକୁ ଛାଡ଼ି ନାହାନ୍ତି। ତେବେ ଏଠାରେ ବଜାର ବ୍ୟବସ୍ଥା ନଥିବାରୁ ସଂଗୃହୀତ ମହୁଲ ଫୁଲକୁ ଗୋଟାଳୀମାନେ ଶାଗମାଛ ଦରରେ ବିକ୍ରି କରିଥାନ୍ତି। ଏବେ ଜିଲାରେ ମହୁଲ ଫୁଲ କୁଇଣ୍ଟାଲ ପ୍ରତି ମାତ୍ର ୩୮୦୦ ଟଙ୍କାରେ ବିକ୍ରି ହେଉଥିବା ମହୁଲ ଫୁଲ ସଂଗ୍ରହକାରୀମାନେ କହନ୍ତି।
ସେହିପରି ଓଡ଼ିଶାରେ ମହୁଲ ଫୁଲ ବିକ୍ରି ପାଇଁ ମଣ୍ଡି କିମ୍ବା ବଜାର ବ୍ୟବସ୍ଥା ଅଭାବରୁ ଏହା ଅନ୍ୟରାଜ୍ୟକୁ ଚୋରାଚାଲାଣ ହେଉଥିବା ଅଭିଯୋଗ ହେଉଛି। ବରଗଡ଼ରୁ ଅମଳ ଅଧିକାଂଶ ମହୁଲ ଫୁଲ ନିୟମିତ ପଡ଼ୋଶୀ ଛତିଶଗଡ଼ ପଟକୁ ଚାଲାଣ ହେଉଛି। ତେବେ ମହୁଲ ଫୁଲ ଚାଲାଣ ବେଆଇନ ହୋଇଥିବା ବେଳେ କିଛି ହାତଗୁଞ୍ଜା ପାଇ ବିଭାଗୀୟ ପୋଲିସ ଏବଂ ଅବକାରୀ କର୍ମଚାରୀ ଆଖିବୁଜି ଦେଇଥିବା ଅଭିଯୋଗ ହୋଇ ଆସୁଛି। ଅନ୍ୟପଟେ କମ୍ ଦରରେ ମହୁଲ ଫୁଲ କିଣି ବେପାରୀ, ଦଲାଲମାନେ ମାଲେମାଲ୍ ହେଉଥିବାବେଳେ ମହୁଲ ସଂଗ୍ରହକାରୀ ତଥା ଗୋଟାଳୀଙ୍କୁ ମୂଲ ସୁଦ୍ଧା ମିଳୁ ନାହିଁ।
ଏମାନେ କହନ୍ତି…
ସାରା ପରିବାର ମହୁଲ ଗୋଟାଉ
ମହୁଲ ଫୁଲ ଗୋଟାଇବା ପାଇଁ ସାରା ପରିବାର ଲାଗିପଡୁ। ସକାଳ ହେଲାକି ମହୁଲ ଗଛ ତଳକୁ ଯାଇଥାଉ। ସେଠାରୁ ମହୁଲ ଫୁଲ ସଂଗ୍ରହ କରୁ। ସଂଗୃହୀତ ମହୁଲ ଫୁଲକୁ ଘରକୁ ଆଣି ଖରାରେ ଶୁଖାଇଥାଉ। ତାହା ଶୁଖିବା ପରେ ଗ୍ରାମର କୁଚିଆ ବେପାରୀଙ୍କଠାରେ ବିକ୍ରି କରି ଆସୁଛୁ।
– ଭକ୍ତି ଲୁହାର, ଗୋଠୁଗୁଡ଼ା, ଝାରବନ୍ଧ
ରୋଜଗାରର ମାଧ୍ୟମ ମହୁଲ ଫୁଲ
ଧାନଚାଷ କରି ଯେଭଳି ଦି ପଇସା ରୋଜଗାର କରିଥାଉ, ସେହିପରି ମହୁଲ ଫୁଲ ସଂଗ୍ରହରେ ମଧ୍ୟ କିଛି ମିଳିଥାଏ। କିନ୍ତୁ ମହୁଲ ଫୁଲ କିଣିବା ପାଇଁ ବଜାର ବ୍ୟବସ୍ଥା କିମ୍ବା ସରକାରଙ୍କ ନିର୍ଦ୍ଧାରୀତ ଦର ନଥିବାରୁ କୁଚିଆ ବେପାରୀମାନେ ମନଇଚ୍ଛା ଦରରେ ତାହା କିଣୁଛନ୍ତି। ଆମେ ବାଧ୍ୟ ହୋଇ ସେହି ଦରରେ ବିକ୍ରି କରୁଛୁ।
– ଚନ୍ଦନ ବରିହା, ଇସ୍କିନ୍ଦା, ଝାରବନ୍ଧ
ଝଡ଼ବର୍ଷା ଉଜାଡ଼ିଲା ଅମଳ ଆଶା
ପ୍ରତିବର୍ଷ ମହୁଲ ଫୁଲ ଗୋଟାଇ ଆସିଥାଉ। ତାହା ବିକି ଯାହା ରୋଜଗାର କରୁ, ସେଥିରେ ପରିବାର ଗୁଜୁରାଣ ମେଣ୍ଟାଇଥାଉ। ହେଲେ ଏଥର ଅଦିନିଆଁ ଝଡ଼ବର୍ଷାରେ ମହୁଲ ଫୁଲ ସଂଗ୍ରହ ଅନ୍ୟବର୍ଷ ତୁଳନାରେ କମି ଯାଇଛି। ଆଗରୁ ରୋଜଗାର ଠିକ୍ ଥିଲା। ହେଲେ ଗତ କିଛିବର୍ଷ ହେଲା ମହୁଲ ଫୁଲ ସଂଗ୍ରହରୁ ଆଉ ସେଭଳି ଲାଭ ମିଳୁ ନାହିଁ।
– ନୂଆଦେଈ ଲୁହାର, ଗୋଠୁଗୁଡ଼ା, ଝାରବନ୍ଧ
ଧାନଠୁ ମହୁଲରେ ଆୟ ଅଧିକ
ଆମର ଜମି ପରିମାଣ କମ୍ ରହିଛି। ହେଲେ ମହୁଲ ଗଛ ବେଶୀ ରହିଛି। ଫଳରେ ଧାନ ଫସଲରେ ଯେତିକି ଆୟ ହୋଇଥାଏ, ମହୁଲ ଫୁଲ ସଂଗ୍ରହରେ ତାଠାରୁ ଢେର୍ ଅଧିକ ଆୟ ହୁଏ। ବିଗତବର୍ଷରେ ମହୁଲ ଫୁଲ ସଂଗ୍ରହରୁ ବାର୍ଷିକ ୨ରୁ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର କରିଛୁ। କାଳବୈଶାଖୀ ଯୋଗୁ ଏଥର ସେତିକି ହେବ ନାହିଁ।
– ତପସ୍ବିନୀ ନାଏକ, ବିଲାସପୁର, ଝାରବନ୍ଧ

