ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ ଆଳ ଦେଖାଇ ‘ଆଜି ନୁହେଁ, କାଲି ଦିଆଯିବ’ ବୋଲି କହି ଗ୍ରାହକଙ୍କୁ ଗ୍ୟାସ ଯୋଗାଣ କରୁ ନ ଥିବା ଅଭିଯୋଗ ହୋଇଛି। ଏପରିକି ଗତ ୫ ଦିନ ଧରି ଅନେକ ଗ୍ରାହକ ଗ୍ୟାସ ପାଇ ନ ଥିବାରୁ ଅସନ୍ତୋଷ ତୀବ୍ର ହୋଇଛି।
ଏହାର ପ୍ରତିବାଦରେ ଶନିବାର ରାଜନଗର ଅଞ୍ଚଳର ଗ୍ରାହକମାନେ ଗ୍ୟାସ ସିଲିଣ୍ଡର ରାସ୍ତା ଉପରେ ରଖି ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା।
ଗ୍ରାହକମାନଙ୍କ ଅଭିଯୋଗ ଅନୁଯାୟୀ, ନିୟମିତ ଭାବେ ଗ୍ୟାସ ଯୋଗାଣ ହେଉ ନ ଥିବାରୁ ଘରୋଇ ରୋଷେଇ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି। ବୁକିଂ କରିବା ପରେ ମଧ୍ୟ ନିର୍ଦ୍ଧାରିତ ସମୟରେ ଗ୍ୟାସ ମିଳୁ ନ ଥିବାରୁ ଗ୍ରାହକମାନେ ବାରମ୍ବାର ବିତରକଙ୍କ ନିକଟକୁ ଯାଇ ନିରାଶ ହେଉଥିବା କହିଛନ୍ତି।
ତୁରନ୍ତ ଗ୍ୟାସ ଯୋଗାଣ ସ୍ୱାଭାବିକ କରିବା ସହ ଗ୍ରାହକଙ୍କ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ପ୍ରତିବାଦକାରୀମାନେ ଦାବି କରିଛନ୍ତି। ଘଟଣାସ୍ଥଳରେ ପରିସ୍ଥିତି ସମ୍ପର୍କରେ ଆଲୋଚନା ପରେ ରାସ୍ତାରୋକ ହଟିଥିବା ଜଣାପଡ଼ିଛି।

