ମନ୍ଦିରରେ ମହାତ୍ମା

ସତ୍ୟ ଓ ଅହିଂସାର ଉପାସକ ମହାତ୍ମା ଗାନ୍ଧୀ। ତାଙ୍କ ବାଣୀରେ କେବଳ ପ୍ରାଚୀନ ଭାରତୀୟ ଋଷି ପ୍ରାଣର ଦର୍ଶନ ନୁହେଁ, ସେଥିରେ ଝଙ୍କାର ତୋଳେ ପ୍ରାଚୀନ ଗ୍ରୀକ୍‌ ଓ ରୋମୀୟ ପ୍ରଜ୍ଞାର ଚୂଡାନ୍ତ ଦ୍ୟୁତିି। ଏଡ୍‌ୱାର୍ଡ ଥମସନଙ୍କ ଭାଷାରେ ସକ୍ରେଟିସଙ୍କ ପରେ ଗାନ୍ଧୀ ହିଁ ସଂସ୍କାର, ଆତ୍ମ ସଂଯମ ଓ ଆତ୍ମ ବିଶ୍ବାସର ଦ୍ବିତୀୟ ମଣିଷ। ଆଇନଷ୍ଟାଇନଙ୍କ ଭାଷାରେ ସେ ମାନବାତ୍ମାର ଚୂଡାନ୍ତ ପ୍ରକାଶ। ରୋମାରୋଲାଁ କହନ୍ତି- ପ୍ରଭୁ ଯିଶୁ ମହାତ୍ମା ଗାନ୍ଧୀ ରୂପରେ ପୁନର୍ବାର ଜନ୍ମ ନେଇଛନ୍ତି ଆଧ୍ୟାତ୍ମିକ ସଂସ୍କୃତିର ଦେଶ ଭାରତରେ। ବର୍ଣ୍ଣାଡ ଶ’ଙ୍କ ଭାଷାରେ ହିମାଳୟ ଓ ଗାନ୍ଧିଜୀ ମଧ୍ୟରେ ଥିବା ବିଶାଳ ଧାରଣା ମଧ୍ୟରେ ସାମାନ୍ୟତମ ପ୍ରଭେଦ ନାହିଁ। ଯୁକ୍ତରାଷ୍ଟ୍ର ଆମେରିକାର ମାର୍ଟିନ ଲୁଥର, ଜାମ୍ବିଆର କେନିଥ କାଉଣ୍ଡା, ଦକ୍ଷିଣ ଆଫ୍ରିକାର ନେଲସନ ମାଣ୍ଡେଲା ପ୍ରମୁଖ ବିଶ୍ବର ବହୁ ବରେଣ୍ୟ ବ୍ୟକ୍ତି ଥିଲେ ଗାନ୍ଧିଜୀଙ୍କ ଅନୁରକ୍ତ ଗୁଣଗ୍ରାହୀ। ସେମାନଙ୍କ ମତରେ, ଉଚ୍ଚାରଣ ଓ ଆଚରଣରେ ଏମିତି ସମନ୍ବୟ ବିଶ୍ବ ଇତିହାସରେ ବିରଳ।
କୁହାଯାଏ ବୁଦ୍ଧ ଓ ଗାନ୍ଧୀ କରୁଣା ବିିଗଳିତ ସତ୍ତାର ଦୁଇ ଦୁଇଟି ଶୁଭ୍ର କିରଣ। ବୁଦ୍ଧଙ୍କ ପ୍ରତି ତାଙ୍କ ଶିଷ୍ୟମାନଙ୍କର ଯେମିତି ଅଲୌକିକ ଆକର୍ଷଣ ଥିଲା, ସେହି ଅଲୌକିକ ଆକର୍ଷଣ ନେଇ ଗାନ୍ଧୀ ହୋଇଗଲେ କୋଟି ଭାରତୀୟଙ୍କ ମଉଡମଣି ଗାନ୍ଧିଜୀ। ସମସ୍ତଙ୍କର ପ୍ରିୟ ବାପୁ। ନିଜ ବ୍ୟକ୍ତିତ୍ୱ, ନେତୃତ୍ୱ, ଆଦର୍ଶ ଓ ତ୍ୟାଗ ବଳରେ ମଣିଷରୁ ମହାମାନବ ଓ ଶେଷରେ ମହାତ୍ମା ପାଲଟିଯାଇ ବ୍ୟକ୍ତିରୁ ହୋଇଗଲେ ଏକ ବିଚାର। ସେ ବିଚାର ହେଉଛି ସବୁ ସମସ୍ୟାର ସର୍ବକାଳୀନ ଉପଚାର। ସେଥିପାଇଁ କୁହାଯାଏ ଗାନ୍ଧୀ ବିଚାର ହେଉଛି ସମୟର ଏକ ପ୍ରବହମାନ ଧାରା।
ଗାନ୍ଧୀ ବିଚାର ବା ଗାନ୍ଧୀବାଦର ମୂଳକଥା ହେଉଛି ସତ୍ୟ ପ୍ରତି ପ୍ରଗାଢ଼ ନିଷ୍ଠା ଓ ବୈଚାରିକ ନିରପେକ୍ଷତା। ତାଙ୍କ ପାଇଁ ସତ୍ୟ ଓ ଭଗବାନ ଏକ ଓ ଅଭିନ୍ନ। ସେ କହୁଥିଲେ ହିଂସାରେ ଭୟ ଥାଏ, ମାତ୍ର ଅହିଂସାରେ ବଢ଼େ ନିର୍ଭୀକତା। ତେଣୁ ଯେଉଁମାନେ ଆମକୁ ଘୃଣା କରନ୍ତି ତାଙ୍କୁ ଶ୍ରଦ୍ଧା କରିବା ଉଚିତ। ତାହା ହିଁ ପ୍ରକୃତ ଅହିଂସା। ସେହି ଅହିଂସାକୁ ଅସ୍ତ୍ର କରି ଦକ୍ଷିଣ ଆଫ୍ରିକାରୁ ଭାରତ ପର୍ଯ୍ୟନ୍ତ ଇଂରେଜ ଶାସନ ବିରୋଧରେ ସେ ପ୍ରାଣମୂର୍ଚ୍ଛା ଲଢ଼ିଲେ। ତାଙ୍କର ଜୀବନ ଥିଲା ସତ୍ୟ ଓ ଅହିଂସାର ଏକ ପ୍ରୟୋଗଶାଳା। ମାନବତାର ସଂକଳ୍ପ ତାଙ୍କୁ ନେଇ ପହଞ୍ଚେଇ ଦେଲା ଦେବତାର ସୋପାନରେ। ତେଣୁ ଅସହଯୋଗ ଆନ୍ଦୋଳନ ପରେ ସାରା ଦେଶ ତାଙ୍କୁ ଅବତାର ଭାବି ପୂଜା କଲା ଏବଂ ଏ କ୍ଷେତ୍ରରେ ଓଡ଼ିଶା ଥିଲା ସବା ଆଗରେ।
ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ (୨୩ା୩ା୧୯୨୧) ପରେ ସାରା ରାଜ୍ୟରେ ପ୍ରସରିଗଲା ଗାନ୍ଧୀ ଦେବତାଙ୍କ ଆଦର୍ଶ ଓ ମହିମା। ଗାଁ ଗଣ୍ଡାରେ ପାଳନ ହେଲା ଗାନ୍ଧୀ ଉତ୍ସବ। ଅସହଯୋଗ ଆନ୍ଦୋଳନକୁ ଧର୍ମଯୁଦ୍ଧ ଓ ଅରଟକୁ ସୁଦର୍ଶନ ଚକ୍ର ଆଖ୍ୟା ଦେଲେ ଉତ୍କଳମଣି ଗୋପବନ୍ଧୁ ଦାସ। କଂଗ୍ରେସର ସଭାକୁ ଗାନ୍ଧିସଭା ଏବଂ ସତ୍ୟାଗ୍ରହୀଙ୍କୁ କୁହାଗଲା ଗାନ୍ଧିମଣିଷ। ଗାନ୍ଧୀଙ୍କ ପ୍ରତି ଲୋକଙ୍କ ଏହି ଶ୍ରଦ୍ଧା ଓ ଭକ୍ତି କାରଣରୁ ସୃଷ୍ଟି ହେଲା ଗାନ୍ଧିଠାକୁର,ଗାନ୍ଧିସିଦ୍ଧ,ଗାନ୍ଧିହୁକୁମ,ଗାନ୍ଧିଶିଷ୍ୟ, ଗାନ୍ଧିରାଜା, ଗାନ୍ଧିକଥା, ଗାନ୍ଧିଗୀତ, ଗାନ୍ଧିଟୋପି, ଗାନ୍ଧି ଉପବାସ, ଗାନ୍ଧିଖଦି, ଗାନ୍ଧିପତାକା, ଗାନ୍ଧିଘାଟ, ଗାନ୍ଧିପୋଥି ଏବଂ ଆହୁରି କେତେ କ’ଣ। ଚାରିଆଡ଼େ ବୋଲାଗଲା ଗାନ୍ଧିଗୀତ। ଗାନ୍ଧୀଙ୍କୁ ଯୁଗାବତାର ଭାବେ ଅଭିହିତ କରି ଜାତୀୟ କବି ବୀର କିଶୋର ଦାସ ଲେଖିଲେ-”ଯୁଗ ଅବତାର ଆସିଛି ସେ ଗାନ୍ଧୀ, ପ୍ରେମ ଡୋରେ ଦେବ ଜଗତକୁ ବାନ୍ଧି।“ କବି ରାଧାମୋହନ ଗଡ଼ନାୟକ ବି ଲେଖିଛନ୍ତି-”କୃଷ୍ଣ ଆମର, ବୁଦ୍ଧ ଆମର, ଖ୍ରୀଷ୍ଟ ଆମର ବାପୁଜୀ ତମେ ମୃତ୍ୟୁ ବିଜୟୀ ଜୀବନ ତୁମର ଅଜର ଅମର ମର୍ତ୍ତ୍ୟ ଭୂମେ।“
ବିଶ୍ବର ବହୁ ବିଦ୍ବାନଙ୍କ ମତରେ ଗାନ୍ଧୀ ଥିଲେ ଉତ୍ତରିତ ଚେତନାର ଏକ ଶକ୍ତି ପ୍ରବାହ। ସେଥିପାଇଁ ଆତତାୟୀର ଗୁଳିଚୋଟ ଖାଇଲା ପରେ ବି ତାଙ୍କ ମୁହଁରେ ନ ଥିଲା ଭୟ, ଦ୍ବେଷ, ଘୃଣା କି ଯନ୍ତ୍ରଣାର ଚିହ୍ନ। ଶେଷ ନିଃଶ୍ବାସ ତ୍ୟାଗ କଲା ବେଳକୁ ବି ଓଠରୁ ଝରୁଥିଲା ରାମ ନାମ। ଗାନ୍ଧିଜୀଙ୍କ ବଳିଦାନ ଥିଲା ସମଗ୍ର ମାନବ ଜାତି ପାଇଁ ଅପୂରଣୀୟ କ୍ଷତି। ସେବେଠାରୁ ତାଙ୍କ କୃତି, କୀର୍ତ୍ତି ଓ ବାଣୀକୁ ନେଇ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶର କବି,ଲେଖକ,ଗବେଷକ ଓ ଦାର୍ଶନିକଙ୍କ ଦ୍ବାରା ଲେଖା ହୋଇ ଚାଲିଛି ଲକ୍ଷ ଲକ୍ଷ ଗ୍ରନ୍ଥ। ତାଙ୍କ ଆଦର୍ଶକୁ ଉଜ୍ଜୀବିତ କରି ରଖିବା ପାଇଁ ଦେଶ ଓ ଦେଶ ବାହାରେ ପ୍ରତିଷ୍ଠା ହୋଇଛି ହଜାର ହଜାର ଅନୁଷ୍ଠାନ। ବିଶେଷ କରି ଆମ ଦେଶର ଓଡ଼ିଶା, ତାମିଲନାଡୁ ଓ ତେଲଙ୍ଗାନା ଭଳି ରାଜ୍ୟରେ ଗାନ୍ଧୀ ମନ୍ଦିର ମାନ ନିର୍ମାଣ ହୋଇଛି ଏବଂ ସେଠାରେ ଗାନ୍ଧୀ ଦେବତାଙ୍କ ପୂଜାର୍ଚ୍ଚନା ହେଉଛି ନିୟମିତ ଭାବରେ। ଏଭଳି ଅଭୂତପୂର୍ବ ପରମ୍ପରା ଅନ୍ୟ କେଉଁଠି ନୁହେଁ, ପ୍ରଥମେ ଆରମ୍ଭ ହୋଇଥିଲା ଓଡ଼ିଶାର ସମ୍ବଲପୁର ଜିଲାରେ।
ଗାନ୍ଧିଜୀଙ୍କର ଆଠଥର ଓଡ଼ିଶା ଗସ୍ତ ଅବସରରେ ସେ ସମ୍ବଲପୁର ଯାଇଥିଲେ ଦୁଇଥର। ପ୍ରଥମେ ୧୯୨୮ରେ ଓ ଦ୍ବିତୀୟବାର ୧୯୩୪ ମଇ ୫ରେ ପହଞ୍ଚିଥିଲେ ଝାରସୁଗୁଡ଼ାରେ, ସେଠାରୁ ସମ୍ବଲପୁର ଆସି ସା ୬ଟାରେ ଭାଷଣ ଦେଇଥିଲେ ମହାନଦୀ ପଠାରେ ଆୟୋଜିତ ଏକ ବିରାଟ ସାଧାରଣ ସଭାରେ। ତାଙ୍କ ବକ୍ତବ୍ୟର ପ୍ରମୁଖ ବିଷୟ ଥିଲା ଅସ୍ପୃଶ୍ୟତା ନିବାରଣ ଓ ହରିଜନ କଲ୍ୟାଣ। ସେଦିନ ଗାନ୍ଧିଜୀଙ୍କ ଭାଷଣ ଏତେ ମର୍ମସ୍ପର୍ଶୀ ଥିଲା ଯେ ଲୋକଙ୍କୁ ଲାଗିଲା ତାହା ଯେମିତି ଜଣେ ଐଶ୍ବରୀୟ ମନ୍ତ୍ରଦାତାର ଅକାଟ୍ୟବାଣୀ। ତା’ର ଯଥାର୍ଥ ରୂପାୟନ ପାଇଁ ତାଙ୍କ ଗସ୍ତର ଚାଳିଶ ବର୍ଷ ପରେ ସମ୍ବଲପୁରରେ ନିର୍ମାଣ ହେଲା ଗାନ୍ଧିମନ୍ଦିର।
ସମ୍ବଲପୁର ଧନୁପାଲି ନିକଟସ୍ଥ ଭତରାରେ ସୁଦୃଶ୍ୟ ଗାନ୍ଧିମନ୍ଦିର ରହିଛି, ଯାହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ୧୯୭୨ ମାର୍ଚ୍ଚ ୨୩ ରାମନବମୀ ତିଥିରେ। ଏହାର ମୁଖ୍ୟ ପୁରୋଧା ତତ୍କାଳୀନ ରେଢାଖୋଲ ବିଧାୟକ ତଥା ଭତରା ନିବାସୀ ଅଭିମନ୍ୟୁ କୁମ୍ଭାର। ୩୯ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିର ନିର୍ମାଣ କାର୍ଯ୍ୟ ୧୯୭୪ ଏପ୍ରିଲରେ ସଂପୂର୍ଣ୍ଣ ହୋଇଥିଲା ଏବଂ ସେହିମାସ ୧୧ରେ ମନ୍ଦିର ଉଦ୍‌ଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ।
ମନ୍ଦିରର ଗର୍ଭ ଗୃହରେ ରହିଛି ମହାତ୍ମା ଗାନ୍ଧୀଙ୍କ ତିନି ଫୁଟ ପାଞ୍ଚ ଇଞ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତି। ପାଶର୍‌ବ ଦେବତା ଭାବେ ପୂଜା ପାଉଛନ୍ତି ଅନେକ ସ୍ବାଧୀନତା ସଂଗ୍ରାମୀ। ମନ୍ଦିର ଆଗରେ ଅଶୋକସ୍ତମ୍ଭ ଏବଂ ମନ୍ଦିର ଭିତରେ ରହିଛି ସବୁ ଧର୍ମର ସାଙ୍କେତିକ ଚିହ୍ନ। ଅନ୍ୟ ମନ୍ଦିର ପରି ସବୁଦିନ ଏଠାରେ ଘଣ୍ଟ ଘଣ୍ଟା ବାଜେ, ପୂଜାର୍ଚ୍ଚନା ହୁଏ, ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରାଯାଏ, ମାତ୍ର ମନ୍ତ୍ର ପାଠ ବଦଳରେ ବୋଲାଯାଏ ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜାରାମ…। ସବୁଠୁ ଗୁରୁତ୍ତ୍ବପୂର୍ଣ୍ଣ ହେଲା ଏଠାରେ ପୂଜା ପାଠ କରନ୍ତି ଜଣେ ହରିଜନ। ସ୍ବାଧୀନତା ଦିବସ, ସାଧାରଣତନ୍ତ୍ର ଦିବସ ଓ ଗାନ୍ଧି ଜୟନ୍ତୀ ତଥା ତାଙ୍କ ତିରୋଧାନ ଦିବସରେ ସର୍ବଧର୍ମ ସଭାର ଆୟୋଜନ ହୁଏ ଏବଂ ଏଥିରେ ଯୋଗ ଦିଅନ୍ତି ବହୁ ଗାନ୍ଧିବାଦୀ ଓ ବିଶିଷ୍ଟ ଅତିଥିମାନେ। ଶାନ୍ତି, ମୈତ୍ରୀ ଓ ସଦ୍ଭାବନାର ବାର୍ତ୍ତା ବହନ କରୁଥିବା ଏହି ମନ୍ଦିରକୁ ପ୍ରବେଶ କଲେ ମନକୁ ଛୁଏଁ ଗାନ୍ଧୀ ବିଚାର।

– ଡ. ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ ଅଧ୍ୟକ୍ଷ
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri