ଆନନ୍ଦ ବନର ମହକ

ବଣରେ ଥରେ ଭ୍ରମଣ କରିଆସିଲେ ମନପ୍ରାଣ ପୁଲକିତ ହୋଇଯାଏ। ପ୍ରକୃତି ଯେମିତି ଏଠାରେ ଗଛ ଲତା, ଛାଇରେ ସମସ୍ତଙ୍କୁ ଆନନ୍ଦ ଦେଉଛି। ସେଥିପାଇଁ ଯଥାର୍ଥରେ ପରିବେଶବିତ୍‌ମାନେ ଏହାକୁ ‘ଆନନ୍ଦ ବନ’ ନାମରେ ନାମିତ କରିଛନ୍ତି। ବାସ୍ତବିକ ଏହି ବନ ଅନବରତ ଯୋଗାଇ ଆସୁଛି ଜଙ୍ଗଲ ଅଧିବାସୀଙ୍କୁ ଶାନ୍ତି, ଶୀତଳ ପରିବେଶ। ଏହି ବନରେ ରହିଛି ନିମ୍ବ, ରକ୍ତ ଚନ୍ଦନ, ଭୃଙ୍ଗରାଜ, ରକ୍ତ ଚିତା, ରକ୍ତଖାଇ, ଅନ୍ନପୂର୍ଣ୍ଣା, ହାଡ଼ଯୋଡ଼ା, ହରିଡ଼ା, ବାହାଡ଼ା, ଅଁଳା, ବିଶଲ୍ୟକରଣୀ ପରି ୨୫୦ ପ୍ରଜାତିର ଔଷଧୀୟ ଗୁଳ୍ମଲତା ସହିତ ଶାଳ, ପିଆଶାଳ, କର, ଆମ୍ଭ, ତେନ୍ତୁଳି, କଇଁଥ, ବେଲ, ମହୁଲ ଆଦି କ୍ଷୁଦ୍ର ଓ ବୃହତ ବୃକ୍ଷରାଜି। ପଶୁପକ୍ଷୀଙ୍କ ଆହାର ନିମନ୍ତେ ପ୍ରକୃତି ଦେଇଛି ବିବିଧ ପ୍ରକାରର ପ୍ରଜାତି ଜୀବ, କୀଟ ପତଙ୍ଗ। ଆନନ୍ଦ ବନରେ ରହିଛି ଘାସ, ବେଣୀଘାସ, ଖଡ଼ିଘାସରେ ପ୍ରକୃତି ତିଆରି ଚଲାପଥ। ଆନନ୍ଦ ବନରେ ଛପି ରହିଛି ବିଶ୍ୱ ଶକ୍ତିର କବଚ। ମନେରଖିବା ଉଚିତ ଯେ ଆମର କ୍ରମବିକଶିତ ଆଦିବାସୀ ସଭ୍ୟତାକୁ ନିରାପଦରେ ରଖିବା ଓ ବିବିଧ ପ୍ରଜାତିର ପ୍ରାଣୀ ଓ ଉଦ୍ଭିଦଙ୍କର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ଆଦିବାସୀ ଐତିହ୍ୟ ତଥା ପରିବେଶ ଭାରସାମ୍ୟ ବଜାଇ ରଖିବା ହିଁ ଆନନ୍ଦ ବନର ମହତ ଆଭିମୁଖ୍ୟ। ଏହା ହେଲା ଆନନ୍ଦ ବନର ସଂକ୍ଷିପ୍ତ ଟିପ୍ପଣୀ ମାତ୍ର। ଆସନ୍ତୁ ଜାଣିବା ଏହାର ନିରାନନ୍ଦ, ଶୋକ, ଅସନ୍ତୋଷ ଓ ବିଷାଦ।
ଏବେ ସମୟ ବଦଳିଛି; ବଦଳିଛି ଆନନ୍ଦ ବନର ଅଗଣିତ ଅନ୍ତେବାସୀଙ୍କ ସ୍ବଭାବ ଓ ପ୍ରକୃତି। ଏମାନଙ୍କ ଖାଦ୍ୟ ରୁଚି ସହ ଜୀବନ ପ୍ରଣାଳୀ ବଦଳୁଛି। ଏହା ଫଛରେ ଜଳବାୟୁର ଅସ୍ବାଭାବିକ ପରିବର୍ତ୍ତନର ନିଶ୍ଚିତ ପ୍ରଭାବ ରହିଛି। କେବଳ ଖାଦ୍ୟ ରୁଚି ଓ ଜୀବନଶୈଳୀରେ ସୀମିତ ନାହିଁ; ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଶୁପକ୍ଷୀଙ୍କ ସ୍ବାଭାବ ଓ ଶାରୀରିକ ଆକୃତିର ମଧ୍ୟ ପରିବର୍ତ୍ତନ ଆଣିଛି। ଗବେଷଣାଭିତ୍ତିକ ତଥ୍ୟରୁ ଜଣାଯାଇଛି ଯେ, ବିଶ୍ୱ ଜଳବାୟୁର ଅପ୍ରାକୃତିକ ପରିବର୍ତ୍ତନ ଯୋଗୁ ପଶୁପକ୍ଷୀଙ୍କ ମସ୍ତିଷ୍କକର ସ୍ନାୟବିକ ବାର୍ତ୍ତାପ୍ରବାହରେ ବ୍ୟତିକ୍ରମ ସୃଷ୍ଟିହେଉଛି। ସେଥିପାଇଁ ସେମାନଙ୍କର ଆଘ୍ରାଣଶକ୍ତ, ପସନ୍ଦଶକ୍ତି ଓ ସ୍ପର୍ଶଶକ୍ତି ଭଳି ଇନ୍ଦ୍ର୍ରିୟଗୁଡ଼ିକୁ ପ୍ରଭାବିତ କରୁଥିବା ପ୍ରୋଟିନ୍‌ରେ ଅସ୍ବାଭାବିକ ପରିବର୍ତ୍ତନ ଘଟୁଛି। ଏତଦ୍‌ବ୍ୟତୀତ ସେମାନଙ୍କର ଖାଦ୍ୟ ସନ୍ଧାନର କ୍ଷମତା, ଆହରଣ କୌଶଳ ଓ ବାସସ୍ଥାନ ମନୋନୟନ ପ୍ରକ୍ରିୟା ସହିତ ଜୀବନଚକ୍ର ବଦଳୁଛି। ସେହିପରି ଅତୀତରେ ପ୍ରକୃତି ଦ୍ୱାରା ପରିଚାଳିତ ହେଉଥିବା ପଶୁପକ୍ଷୀ ଓ ଜଳଚର ପ୍ରାଣୀମାନେ ଋତୁ ପର୍ଯ୍ୟାୟରେ ସେମାନଙ୍କର ଖାଦ୍ୟାଭ୍ୟାସ ଓ ବାସସ୍ଥାନ ବଦଳାଉଥିବା ବେଳେ ଏବେ ମଣିଷକୃତ ପରିବେଶ ପ୍ରଦୂଷଣର କଠୋର ପ୍ରଭାବରେ ବିମୁଖ ଖାଦ୍ୟରୁଚି ତଥା ଅପରିବର୍ତ୍ତିତ ବାସସ୍ଥାନକୁ ଶ୍ରେୟ ଦେଇ ନିଜ ବାସସ୍ଥଳୀରେ ଅଧିକ ସୁରକ୍ଷିତ ମଣୁଛନ୍ତି। ଏଥିସହିତ ପ୍ରାଣୀ ଓ କୀଟମାନଙ୍କ ମଧ୍ୟରେ ସଙ୍କେତ ବିନିମୟର ମାଧ୍ୟମ ତଥା ମଶା, ମାଛି, ଜୀବାଣୁ ଓ ଭୂତାଣୁମାନଙ୍କ ପ୍ରବୃତ୍ତି ଘନ ଘନ ବଦଳୁଛି। ଉଦ୍ଭିଦ ଜଗତର ପରାଗ ସଂଗମ, ବୀଜବିକ୍ଷେପ ପ୍ରକ୍ରିୟାରେ ବିଶୃଙ୍ଖଳା ଦେଖାଦେଇଛି। ସମୁଦ୍ର ଜଳର ତାପମାତ୍ରାରେ ତ୍ରୁଟି ହେବାରୁ ଜଳଚର ଜୀବଙ୍କର ଗୁଣସୂତ୍ର ବଦଳୁଛି। ସେମାନଙ୍କୁ ଦୈନନ୍ଦିନ ଜୀବନର ଖାଦ୍ୟ ରୂପେ ବ୍ୟବହାର କରାଯାଉଥିବା ମଣିଷମାନଙ୍କର ତଦନୁଯାୟୀ ଚାରିତ୍ରିକ ପରିବର୍ତ୍ତନ ଘଟିଛି। ବିଶିଷ୍ଟ ପ୍ରାଣୀବିତ୍‌, ପ୍ରବୀଣ ଗବେଷକ ଶୋଭାନଲାଲ ରଏଙ୍କ ଅନୁଯାୟୀ ଜଳବାୟୁର ଅସ୍ବାଭାବିକ ପରିବର୍ତ୍ତନଜନିତ ବିଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁ ପ୍ରାଣୀମାନଙ୍କ ଶାରୀରିକ ଗଠନ ବା ଆକାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟୁଛି। ଆମେରିକାର ପ୍ରାଣୀବିଜ୍ଞାନୀ ଜୋଏଲ୍‌ ଆଲେନ୍‌ଙ୍କ ମତାନୁଯାୟୀ ବିଶ୍ୱତାପମାତ୍ରା ବୃଦ୍ଧି ଯୋଗୁ ପଶୁପକ୍ଷୀମାନେ ସେମାନଙ୍କ ଶରୀର ଉଷ୍ମତାରେ ସନ୍ତୁଳନ ରକ୍ଷା କରିବା ପାଇଁ ଆଭ୍ୟନ୍ତରୀଣ ତାପମାତ୍ରାକୁ ଗୋଟିଏ ଅଙ୍ଗରୁ ଅନ୍ୟ ଅଙ୍ଗକୁ ସ୍ଥାନାନ୍ତରିତ କରିପାରନ୍ତି। ଫଳରେ ଗ୍ରୀଷ୍ମ ତଥା ଶୀତପ୍ରଧାନ ଅଞ୍ଚଳରେ ରହୁଥିବା ସମାନ ଜାତିର ପ୍ରାଣୀମାନଙ୍କ ଅଙ୍ଗ ଆକୃତିରେ ଭିନ୍ନତା ଦେଖାଯାଉଛି।
ଆନନ୍ଦ ବନର ସୁରକ୍ଷା ଓ ଅଭିବୃଦ୍ଧିରେ ବନ୍ୟପ୍ରାଣୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବାଘ, ସିଂହ, ବାର୍‌ହା, ଗଣ୍ଡା, ଭାଲୁ, ହାତୀ, ମାଙ୍କଡ଼ ଓ ସରୀସୃପ ଭଳି ଜଙ୍ଗଲର ଜାଗ୍ରତ ପ୍ରହରୀ ରହିଲେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଆନନ୍ଦ ବନରେ ରହିବ ନାହିଁ। ଭୂତଳ ଜଳସ୍ତରର ନିୟନ୍ତ୍ରଣ କରିବାରେ ଜଙ୍ଗଲର ଅବଦାନ ଅତୁଳନୀୟ। ଜଙ୍ଗଲ ହେଉଛି ସୌନ୍ଦର୍ଯ୍ୟର ଗନ୍ତାଘର। ଓଡ଼ିଶାର ପିକ୍‌ନିକ୍‌ ଅଞ୍ଚଳଗୁଡ଼ିକ ସୁଇଜରଲାଣ୍ଡ ଭଳି ମନୋମୁଗ୍ଧକର। ଏହାର ଦିଗନ୍ତ ବିସ୍ତାରୀ ସମୁଦ୍ରତଟ, ଚିଲିକାର ମନଲୋଭା ନୀଳ ଜଳରାଶି, ଭିତରକନିକାର କୁମ୍ଭୀର ମେଳା, ଗହୀରମଥାର ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସମୂହ ପ୍ରଜନନର ବିରଳତା, ହୀରାକୁଦର ସାଇବେରିଆ ଅତିଥି ଭଳି ପ୍ରାକୃତିକ ଦୃଶ୍ୟାବଳୀ କେଉଁ ଗୁଣରେ ସ୍ବର୍ଗଠାରୁ କମ୍‌ ନୁହେଁ। ଏଭଳି ବିରଳ ଚିତ୍ତବିନୋଦନ ସ୍ଥଳଗୁଡ଼ିକର ସୁରକ୍ଷା ଦରକାର। ଲୋକଙ୍କ ମାନସିକତା ବଦଳିବା ଦରକାର। ସାମାନ୍ୟ ପରିବର୍ତ୍ତନ ନୂତନ ଦିଗ ଉନ୍ମୋଚନ କରିବ। ଏହା ଆନନ୍ଦ ବନର ସାମଗ୍ରିକ ପ୍ରଗତିକୁ ତ୍ୱରାନ୍ବିତ କରିବ ।
ପରିବେଶବିତ୍‌ମାନେ ଆକଳନ କରିଛନ୍ତି ଯେ ଯଦି ବିଶ୍ୱ ପୃଷ୍ଠରୁ ସମସ୍ତ ସମ୍ପଦ ଲୋପ ପାଇଯିବ ତା’ହେଲେ ୩ ଘଣ୍ଟା ମଧ୍ୟରେ ମଣିଷ ସହିତ ଅନ୍ୟାନ୍ୟ ପ୍ରାଣୀଙ୍କ ମୃତ୍ୟୁ ହୋଇ ମାନବ ସଭ୍ୟତା ଲୋପ ପାଇଯିବ। ଜଙ୍ଗଲରେ ବାରମ୍ବାର ଅଗ୍ନିକାଣ୍ଡ ଯୋଗୁ ବହୁ ଉପକାରୀ ଉଦ୍ଭିଦ ସହ ବନ୍ୟପ୍ରାଣୀଙ୍କ ଅକାଳ ମୃତ୍ୟୁ ହୁଏ। ଥରେ ମାଟି ପୋଡ଼ିଗଲେ ଉକ୍ତ ସ୍ଥାନରେ ନୂତନ ବୃକ୍ଷ ସୃଷ୍ଟି ହେବାପାଇଁ ପ୍ରାୟ ପାଞ୍ଚବର୍ଷ ଲାଗିଥାଏ। ଏଣୁ ବୃକ୍ଷର ପତ୍ରଝଡ଼ା ପରେ ପରେ ନିକଟତମ ଗ୍ରାମବାସୀଙ୍କ ଦ୍ୱାରା ପତ୍ର ସଂଗ୍ରହ କରାଯାଇ କମ୍ପୋଷ୍ଟ ପ୍ରସ୍ତୁତ କରାଯାଉ। ଏହାଦ୍ୱାରା ପାଗଳ ମଣିଷ ଜଙ୍ଗଲରେ ନିଆଁ ଲଗାଇବେ ନାହିଁ। ହାତୀର ଦାନ୍ତକୁ ପର୍ଯ୍ୟାୟକ୍ରମେ କାଟି ଦିଆଗଲେ ଶିକାରୀମାନେ ହାତୀକୁ ମାରିବେ ନାହିଁ। ମନେରଖନ୍ତୁ ବାହ୍ୟ ଦାନ୍ତ ହାତୀର ନିଜ ବ୍ୟବହାରରେ ଆସେ ନାହିଁ। ହାତୀମାନଙ୍କ ବାସସ୍ଥଳୀ ଓ ଚଲାପଥ ସୁରକ୍ଷିତ ରହିଲେ ସେମାନେ ଗ୍ରାମକୁ ଆସି ଧନ ଓ ଜୀବନ ନଷ୍ଟ କରିବେ ନାହିଁ। ହାତୀଙ୍କ ବେକରେ ପିତ୍ତଳର ଘଣ୍ଟି ବନ୍ଧାଗଲେ ଘଣ୍ଟି ଶବ୍ଦରେ ଲୋକେ ସତର୍କ ହୋଇଯିବେ। ହାତୀମାନେ ମହୁମାଛିଙ୍କୁ ଖୁବ୍‌ ଭୟ କରନ୍ତି। ଏଣୁ ଜଙ୍ଗଲ ସଂଲଗ୍ନ ପ୍ରତ୍ୟେକ ଗ୍ରାମର ପ୍ରତି ଘରେ ଘରେ ମହୁଚାଷ ପାଇଁ ପ୍ରୋତ୍ସାହନ ଦିଆଯାଉ। ‘ଜଙ୍ଗଲ ଯାହାର, ଅଧିକାର ତାହାର।’ ତେଣୁ ଆନନ୍ଦ ବନର ସାମୂହିକ ଉନ୍ନତି ହୋଇପାରିବ ଯଦି ଜଙ୍ଗଲ ଭିତରେ ଓ ସମୀପରେ ବାସ କରୁଥିବା ଆଦିବାସୀ ଜନଜାତିଙ୍କୁ ଜଙ୍ଗଲର ସୁରକ୍ଷା ପ୍ରଦାନର ଦାୟିତ୍ୱ ଦିଆଯାଏ। ଫଳରେ ସେମାନଙ୍କ ସାମୂହିକ ଉନ୍ନତି ହେବା ସହିତ ଜଙ୍ଗଲ ସୁରକ୍ଷିତ ରହିବ।

  • ଡ. ଅଜୟ କୁମାର ପାତ୍ର
    ପରିବେଶ ବିଜ୍ଞାନୀ
    ମୋ : ୯୪୩୮୬୨୧୩୯୧

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଭାରତୀୟ ବନ ସେବା (ଆଇଏଫ୍‌ଏସ୍‌) ଅଧିକାରୀ ବିକାଶ ନାୟକ ଇକୋଟୁରିଜମ୍‌କୁ ପ୍ରୋତ୍ସାହିତ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ କଥା ହେଉଛି ଏକ...

ତୁମ ଆଡ଼େ କେମିତ

ଡ. ଦ୍ୱିତୀ ଚନ୍ଦ୍ର ସାହୁ ସକାଳୁ ସକାଳୁ ମନେ ପଡ଼ିଗଲା କି କ’ଣ ଦୂର ବାଟ ବନ୍ଧୁ ଜଣେ ଫୋନ୍‌ କଲେ। ଚାଲି ଚାଲି ମୋବାଇଲର...

ଓଡ଼ିଶାରେ ଭାଷା

ଲୋକନାଥ ପଣ୍ଡା ଫେବୃଆରୀ ମାସରେ ତିନିଦିନ ଧରି ଭୁବନେଶ୍ୱରଠାରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ...

ଓଡ଼ିଆପ୍ରେମୀ ନାହାନ୍ତି

ଓଡ଼ିଶାରେ ନିର୍ବାଚନ ଚାଲିଥିବା ବେଳେ ଏବେ ‘ଅସ୍ମିତା’ ସର୍ବାଧିକ ବ୍ୟବହୃତ ଶବ୍ଦ ପାଲଟିଯାଇଛି। ସବୁ ଦଳ ଏହି ପ୍ରସଙ୍ଗକୁ ନେଇ ପରସ୍ପରକୁ ଦୋଷାରୋପ କରୁଛନ୍ତି। ସାହିତ୍ୟ,...

ଏଇ ଭାରତରେ

ଟେକ୍ସଟାଇଲ ଶିଳ୍ପରୁ ବର୍ଜ୍ୟ କପଡ଼ା ସଂଗ୍ରହ କରି ସେଥିରୁ ଷ୍ଟେସ୍‌ନେରି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ସୁରଟର ରାଶି ଅଗ୍ରଓ୍ବାଲା। ସେ ବର୍ଜ୍ୟରୁ ଡାଏରି, ଜର୍ନାଲ, ପ୍ଲାନର,...

ପ୍ଲାଷ୍ଟିକ୍‌ : ଏକ କ୍ଷୁଦ୍ର ପ୍ରବନ୍ଧ

ଶୈଳେନ୍ଦ୍ର ଦ୍ୱିବେଦୀ   ଆନ୍ତର୍ଜାତିକ ସ୍ତରରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଏବଂ ତଜ୍ଜନିତ ପ୍ରଦୂଷଣ ରୋକିବା ପାଇଁ ବିଶ୍ୱସ୍ତରରେ ରାଜିନାମା କଥା ଗୁରୁତ୍ୱର ସହ ଚିନ୍ତା କରାଯାଉଥିବାବେଳେ...

ମନ୍ତ୍ରଶକ୍ତିର ପ୍ରଭାବ

ଡ. ଛାୟାକାନ୍ତ ଷଡ଼ଙ୍ଗୀ   ବୈଦିକ ଋଷିମାନଙ୍କୁ ମନ୍ତ୍ରଦ୍ରଷ୍ଟା କୁହାଯାଏ। ଦାର୍ଶନାର୍ଥକ ଦୃଶ୍‌ ଧାତୁରୁ ଦ’ କାର ଲୋପ ହୋଇ ଋଷି ଶବ୍ଦ ଗଠିତ। ନିରୁକ୍ତାଚାର୍ଯ୍ୟ...

ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri